୭ ଦଫା ଦାବି ନେଇ ଚାଷୀ ମୂଲିଆ ସଂଘ ଭଦ୍ରକ ଜିଲା କମିଟିର ଗଣଧାରଣା

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ-ଧାମରା ରେଳଲାଇନ୍ ଯୋଗୁଁ କେଦାରପୁର ପଂଚାୟତ ସେରପୁର ଗ୍ରାମାଞ୍ଚଳରେ ଥିବା ଚାଷ ଜମିରେ ବର୍ଷାଜଳ ମାଡିବା ସହ ତିହିଡି ମାଇନର କେନାଲର ବଳକା ଜଳ ଯୋଗୁଁ କୃତିମ ବନ୍ୟା ସୃଷ୍ଟି ହୋଇ ୨୦୦ ଏକରରୁ ଉର୍ଦ୍ଧ୍ୱ ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ ସ୍ଥାୟୀ ଜଳ ନିଷ୍କାସନର ବ୍ୟବସ୍ଥା କରିବାର ଦାବି ନେଇ ଆଜି ସ୍ଥାନୀୟ ଅଂଚଳର ଚାଷୀ ଓ ଗ୍ରାମବାସୀମାନେ ଚାଷୀ ମୂଲିଆ ସଂଘ ନେତୃତ୍ୱରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ କରିଛନ୍ତି। ଭଦ୍ରକ ଜିଲା କମିଟିର ସୁଶାନ୍ତ କୁମାର ଯେନାଙ୍କ ନେତୃତ୍ୱରେ ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ଗାରିଡି, ସୁଦର୍ଶନ ମୁଦୁଲି, ରାଜେଶ ମୁଦୁଲି, ଅନନ୍ତ ଚରଣ ନାୟକ, ଜୟକୃଷ୍ଣ ପ୍ରଧାନ, ଦିବାକର ରଣା, ଇନ୍ଦ୍ରମଣି ଗାରିଡି ପ୍ରମୁଖ ବହୁ ଚାଷୀ ଓ ଗ୍ରାମବାସୀଙ୍କ ସହ ମହିଳା ସଦସ୍ୟମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ଦାବି ନେଇ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ (ରାତି ୮.୩୦) ଗଣଧାରଣାରେ ବସିରହିଥିବାର ଜଣାପଡିଛି। ସେମାନେ ଜିଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଦେଇଥିବା ଦାବିପତ୍ର ମୂଳେ ଶହ ଶହ ବର୍ଷ ଧରି ସେମାନଙ୍କ ଚାଷ ଜମିରୁ ଯେଉଁ ରାସ୍ତାରେ ଜଳ ନିଷ୍କାସନ ହେଉଥିଲା, ତାହାର ଉଚିତ୍ ବ୍ୟବସ୍ଥା ଜଳ ନିଷ୍କାସନ ପାଇଁ ଆବଶ୍ୟକ ହେଉଥିବା ଜମିକୁ ଭୂ-ଅର୍ଜନ ଆଇନ୍ ଅନୁଯାୟୀ ଅଧିଗ୍ରହଣ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ସହ ସ୍ଥାୟୀ ଜଳ ନିଷ୍କାସନର ବ୍ୟବସ୍ଥା, ଚାଷ ଜମିର ପାଣି ଯୋଗୁଁ ଧାନ ତଳି ନଷ୍ଟ ହେଉଥିବାରୁ ଚାଷୀଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଣ, ତିହିଡି ମାଇନର କେନାଲ ସ୍ଥାନାନ୍ତରିତ ହେବା ଯୋଗୁଁ କାଡା ନାଳ କେନାଲରୁ ବିଚ୍ଛିନ୍ନ ହୋଇଥିବାରୁ ଉକ୍ତ ନାଳକୁ କେନାଲ ସହିତ ସଂଯୋଗ କରି ଜଳସେଚନ ବ୍ୟବସ୍ଥା କରାଯିବା, ସ୍ଥାୟୀ ଜଳ ନିଷ୍କାସନ ନାଳଉପରେ ଛୋଟ ଆନିକଟର ବ୍ୟବସ୍ଥା କରାଯାଇ ଚାଷଜମିକୁ ଜଳସେଚନର ବ୍ୟବସ୍ଥା କରାଯିବା, ନୂଆନନ୍ଦ, ସେରପୁର ରେଲ୍ୱେ ଲେବଲ କ୍ରସିଂ ଠାରେ ଆଲୋକ ନଥିବାରୁ ଯେଉଁ ଟ୍ରେନ୍ ଦୁର୍ଘଟଣା ଘଟୁଛି, ତାର ପ୍ରତିକାର ନିମନ୍ତେ ବିଜୁଳି ଆଲୋକର ବ୍ୟବସ୍ଥା ଏବଂ ରେଳଲାଇନ୍ ଯୋଗୁଁ ଗୋଚର ଜମି, ଜଂଗଲ ଜମି (ଯାହା ଧାମରା ବନ୍ଦର ଅଧିଗ୍ରହଣ କରିଛି) ତାହା ତୁରନ୍ତ ଉକ୍ତ ଅଂଚଳବାସୀଙ୍କୁ ଯୋଗାଇ ଦିଆଯିବାର ପ୍ରସ୍ତାବ ଦିଆଯାଇଛି।

Leave a Reply

Your email address will not be published. Required fields are marked *