ଭୁବନେଶ୍ୱର, ୩୧ା୩ (ଓଡ଼ିଆ ପୁଅ) : ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର କ୍ୟାପିଟାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଆସନ୍ତା ଏପ୍ରିଲ୍ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ତଥା ସାଂସ୍କୃତିକ ମହୋତ୍ସବରେ ଭୁବନେଶ୍ୱର ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରବୀନ୍ଦ୍ର ମଣ୍ଡପ ଛକଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ୍ ହେବ। ଏଥିରେ ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଜାତୀୟସ୍ତରରେ ଭୁବନେଶ୍ୱରକୁ ଏକ ନମ୍ବର ସ୍ମାର୍ଟ ସିର୍ଟି ଭାବେ ବିବେଚିତ ହୋଇଥିବାରୁ ରାଜଧାନୀବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା। ସମସ୍ତ ରାଜଧାନୀବାସୀ ସଗୌରବେ ଏହି ପ୍ରତିଷ୍ଠା ଦିବସରେ ପାଳନ କରିବାକୁ ସେ ନିବେଦନ କରିଛନ୍ତି।
ଏହି ବେସାମରିକ ପ୍ୟାରେଡ୍ରେ ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଏହାକୁ ପରିଚାଳନା କରିବା ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିଲା। ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାରେ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖସ୍ଥ ଇନ୍ଦିରା ପାର୍କ ପରିସରରେ ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ସ୍କୁଲ୍ କଲେଜ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦଳ ଅଂଶଗ୍ରହଣ କରିବେ। ଏହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଉପଲକ୍ଷେ ୧୩ ତାରିଖ ଦିନ ରାଜଧାନୀର ବିଭିନ୍ନ ସରକାରୀ, ବେସରକାରୀ ଉଦ୍ୟୋଗ, ବ୍ୟାଙ୍କର କୋଠାବାଡ଼ି ରାସ୍ତାଘାଟ, ବାଣିଜ୍ୟକର ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଏବଂ ସଚ୍ଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ, ଏ.ଜି. ଅଫିସ୍, ଇଡ୍କୋ, ବିଡ଼ିଏ, ଭାରତ ଦୂର ସଞ୍ଚାର ଭବନ, ବିଏମ୍ସି, ଫର୍ଚୁନ ଟାୱାର, ହାଉସିଂ ବୋର୍ଡ଼ କୋଠାଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ଏବଂ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ପାଇଁ ସ୍ଥିର ହୋଇଥିଲା। ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ସନତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ପରେ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରସ୍ତୁତି କମିଟି ବୈଠକରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ସଂସ୍କୃତି ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଦେବେନ୍ଦ୍ର ନାଥ ବରିହା, ଉପ ଜିଲ୍ଲାପାଳ ମାନସ ସାମଲ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ଖୋର୍ଦ୍ଦା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ, କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିିକ୍ଷୟତ୍ରୀ ସୋନାମିକା ରାୟ, ବିଡ଼ିଏର ମୁଖ୍ୟ ଉଦ୍ୟାନବିତ୍ ଅଶୋକାନନ୍ଦ ଧର୍, ସିଆରପିଏଫ୍ର ଡ଼ି.କେ. ମହାନ୍ତି, ଓଏସ୍ଏପି ୭ମ ବାଟାଲିୟନର ଏସିପି ଦୀପକ କୁମାର ଦେହୁରୀ, ଅତିରିକ୍ତ ତହସିଲ୍ଦାର ସନାତନ ଆଚାର୍ଯ୍ୟ, ପୂର୍ତ୍ତ ଡ଼ିଭିଜନ ନଂ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଏ.ସି. ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଆର.ଆର. ସାହୁ, ବିଏମ୍ସିର ସିଟି ହେଲ୍ଥ ଅଫିସର ରଜନୀ ଦାସ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଈଶ୍ୱର ଚନ୍ଦ୍ର ପ୍ରଧାନ, ଶେଖ ଅବଦୁଲ ଜନାବ, ପ୍ରଭାସ ରଞ୍ଜନ ଦାସ, କମଳ କୁମାର ସାହୁ, ସୁଧାଂଶୁ ମହାନ୍ତି ଓ ଗୌରଚନ୍ଦ୍ର ମହାପାତ୍ରଙ୍କ ସମେତ ପୂର୍ତ୍ତ, ପରିବହନ, ଜନସ୍ୱାସ୍ଥ୍ୟ, ଜିଇଡି, ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ନାଲ୍କୋ, ଓଏମ୍ସି, ରେଡ୍କ୍ରସ, ଅଗ୍ନିଶମ ସେବାସଂସ୍ଥା, ଭାରତ ସ୍କାଉଟ ଗାଇଡ, ସିଆର୍ପିଏଫ୍, ଓଏସ୍ଏପି ୭ମ ବାଟାଲିୟନ, ସେଣ୍ଟଜନ୍ ଆମ୍ବୁଲାନ୍ସ ଏନ୍ସିସି ନିର୍ଦ୍ଦେଶାଳୟ, ଟ୍ରାଫିକ ଏବଂ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗଦେଇଥିଲେ।
