୬ ବର୍ଷ ହେଲା ପଡ଼ି ରହିଛି ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଗୃହ

ବୈାଦ୍ଧ,୨୨ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଥିବା ଆଦିବାସୀ ଅଧୁଷିତ ତଳଗାଁ ପଞ୍ଚାୟତର ଦୁର୍ଗମ ବଣ ପାହାଡ ଘେରା ମଧ୍ୟରେ ଥିବା ରାଣିସାହି ଗ୍ରାମରେ ସମ୍ମନ୍ୱୀତ ମହିଳା ଓ ଶିଶୁ ବିକାଶ ଯୋଜନା ଦ୍ୱାରା ଗର୍ଭବତୀ ମହିଳା ଓ ଛୋଟ ଛୋଟ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ସହିତ ପିଲା ମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ୨୦୧୨ ମସିହାରେ ୫ ଲକ୍ଷ ୨୯ ହଜାର ଟଙ୍କା ବ୍ୟୟ ରେ ଏକ ଅଙ୍ଗନବାଡି ଗୃହ କରିବା ପାଇଁ ଅନୁଦାନ ମଂଜୁର ହୋଇଥିଲା । ହେଲେ କାର୍ଯ୍ୟ ଆରମ୍ଭ ହେବାର ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣାଧିନ ଅଙ୍ଗନବାଡି ଗୃହଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହଛି । ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ଗୋତିବିଡା , ନେଡିଗୁଡା, ବୁରୁଷି ଓ ରାଣୀସାହି ଆଦି ୪ ଟି ଗ୍ରାମରେ ରହୁଥିବା ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ଓ ପ୍ରସୁତି ମହିଳା ଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟ ରଖିବା ଠାରୁ ଆରମ୍ଭ କରି ସୁଷମ ବଣ୍ଟନ କରିବା ଓ କୁନି କୁନି କୋମଳମତି ଶିଶୁ ମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ଦାନ ପ୍ରଦାନ କରିବା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଲକ୍ଷ୍ୟ କରାଯାଇଛି । ଏପରିକି ସେମାନଙ୍କ ପାଇଁ ଉଦିଷ୍ଟ ଅଙ୍ଗନବାଡି ଗୃହ ନଥିବାରୁ ଶିଶୁ ମାନଙ୍କୁ ଦାଣ୍ଡ ରାସ୍ତା ଉପରେ ବସି ଖାଇବାକୁ ଦିଆଯାଉଥିବା ସହିତ ଘର ପିଣ୍ଡା ମାନଙ୍କରେ ବସି ପାଠ ପଢାଇବାକୁ ପଡୁଥିବା ଭଳି ଅଭାବନୀୟ ସ୍ଥିତି ଦୀର୍ଘ ବର୍ଷ ହେଲା ଲାଗିରହିଛି । ଏ ନେଇ ଗ୍ରାମବାସୀ ମାନେ ବାରମ୍ବାର ହରଭଙ୍ଗା ସିଡିପିଓ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ଏ ସଂମ୍ପର୍କରେ ହରଭଙ୍ଗା ସିଡିପିଓଙ୍କ ମତାମତ ନେବାପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *