ଅନୁଗୁଳ

୬ ଦଫା ଦାବିରେ ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)- ତାଳଚେର ବ୍ଲକ ଡଅଁରା ପଂଚାୟତ ଅନ୍ତର୍ଗତ ଲକେଇପଶି ଗ୍ରାମବାସୀଙ୍କ ପକ୍ଷରୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଆଦି ଛଅ ଦଫା ଦାବିରେ ଏମ୍ସିଏଲ୍ ଭରତପୁର କୋଇଲା ଖଣିରେ ବନ୍ଦ ଆନ୍ଦୋଳନ କରା ଯାଇଛି। ଗ୍ରାମର ଶତାଧିକ ଆନ୍ଦୋଳନକାରୀ ବୁଧବାର ସକାଳୁ ଭରତପୁର କୋଇଲା ଖଣିର ଟାଇମ ଅଫିସ, ସିଏଚ୍ପି, ରେଲୱେ ସାଇଡିଙ୍ଗ୍ରେ ବସି ରହି ଆନ୍ଦୋଳନ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ ଯେ- ଲକେଇପଶି ଗ୍ରାମର ସମସ୍ତ ଜମିବାଡି ଓ ଘରଦ୍ୱାର ଏମ୍ସିଏଲ ଦ୍ୱାରା ୨୨/୧୦/ ୨୦୧୧ ମସିହାରୁ ଫୋର-ୱାନ(୪-୧) କରାଯାଇଅଛି। ମାତ୍ର ଅଦ୍ୟାବଧି ଗ୍ରାମବାସୀମାନଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ମିଳିନାହିଁ। ଏସମ୍ବନ୍ଧରେ ଗ୍ରାମବାସୀମାନେ ବିଭିନ୍ନ ସମୟରେ ଖଣିବନ୍ଦ ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାର ସମାଧାନ ନିମନ୍ତେ ତା-୨୫/୧୦/୨୦୧୭ରିଖରେ ଏମସିଏଲ ମୁଖ୍ୟାଳୟରେ କାର୍ମିକ ନିର୍ଦ୍ଦେଶକଙ୍କ ସହ ଲକେଇପଶି ଗ୍ରାମ୍ୟ କମିଟିର ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଗ୍ରାମବାସୀଙ୍କ ପକ୍ଷରୁ ଛଅଟି ଦାବି ଉପସ୍ଥାପନ କରା ଯାଇଥିଲା। ଏମସିଏଲ କର୍ତ୍ତୃପକ୍ଷ ମଧ୍ୟ ଡିସେମ୍ବର ମାସ ଶେଷ ସୁଦ୍ଧା ଏହି ଦାବିଗୁଡିକ ପୂରଣ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଦାବିଗୁଡିକ ହେଲା-ଗ୍ରାମର ସମସ୍ତ ଖଣି କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ୨୦୧୭ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ନିଯୁକ୍ତି ପତ୍ର ପ୍ରଦାନ କରିବା, ଗ୍ରାମର ଜମିବାଡି ସହ ବାସଗୃହ ଗୁଡିକର କ୍ଷତିପୂରଣ ପ୍ରଦାନ କରାଯାଇ ନଥିବାରୁ ୨୦୧୭ ନଭେମ୍ବର ମାସ ୩ ତାରିଖ ସୁଦ୍ଧା ଜମିବାଡିର କ୍ଷତିପୂରଣ ଓ ନଭେମ୍ବର ମାସ ୨୦ତାରିଖ ସୁଦ୍ଧା ବାସଗୃହ ଗୁଡିକର କ୍ଷତିପୂରଣ ପ୍ରଦାନ କରିବା, ବଉଳପୁର ନିକଟରେ ବାସସ୍ଥାନ ଦେଇ ଗ୍ରାମବାସୀମାନଙ୍କୁ ଥଇଥାନ କରିବା, ବଳରାମ କୋଇଲା ଖଣିର ଜିରୋ ପଏଣ୍ଟଠାରୁ ଗ୍ରାମର ଶିବ ମନ୍ଦିର ପର୍ଯ୍ୟନ୍ତ ଲାଇଟ ବ୍ୟବସ୍ଥା କରିବା, ଗ୍ରାମର ୫୦୦ମି. ଦୂରରେ ଥିବା ଜଳାଶୟରୁ ପାଇପ ଯୋଗେ ଗ୍ରାମକୁ ଜଳ ଯୋଗାଣ କରିବା ଇତ୍ୟାଦି। ପରନ୍ତୁ ଖଣି କର୍ତ୍ତୃପକ୍ଷ କେବଳ ପ୍ରତିଶୃତି ଦେଇ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଗଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଏହାର ପ୍ରତିବାଦରେ ଲକେଇପଶି ଗ୍ରାମ୍ୟ କମିଟିର ସଭାପତି ସୁମନ୍ତ କୁମାର ଦାସ ଓ ସମ୍ପାଦକ ପଦ୍ମନାଭ ଦାସଙ୍କ ନେତୃତ୍ୟରେ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରୀ ରଖିବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଅପରାହ୍ନରେ କଲିୟରୀ ପୋଲିସ ଘଟଣାସ୍ଥଳରେ ପଂହଚି ୪୧ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି ଦେଉଳବେଡା କ୍ଲବ ଘରେ ଅସ୍ଥାୟୀ ଜେଲରେ ରଖିଥିଲେ। ପ୍ରଶାସନର ଏଭଳି ଆଭିମୁଖ୍ୟକୁ ତୀବ୍ର ବିରୋଧ କରି ଲକେଇପଶି ଗ୍ରାମର ଶତାଧିକ ମହିଳା ଆନ୍ଦୋଳନସ୍ଥଳକୁ ଆସି ଖଣି ବନ୍ଦ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ଉତେଜନା ଲାଗି ରହିଛି। ରିପୋର୍ଟ ଲେଖା ହେଲା ବେଳକୁ ଭରତପୁର କୋଇଲା ଖଣିରେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ଜାରୀ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top