୫ ଦଫା ଦାବି ନେଇ ସୁରକ୍ଷାକର୍ମୀଙ୍କ ଗଣଧାରଣା

ତାଳଚେର, ୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ୍ ଭରତପୁର କୋଇଲାଖଣିରେ ଓଡିଶା ସକ୍ୟୁରିଟି ଆଣ୍ଡ ସର୍ଭିସ ଏମ୍ଲଇଜ୍ ୟୁନିୟନ ପକ୍ଷରୁ ପାଂଚ ଦଫା ଦାବି ପୂରଣ ନେଇ ଭରତପୁର ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନ ଗଣଧାରଣା ଦିଆଯାଇଥିଲା। ଅଭିଯୋଗରୁ ପ୍ରକାଶ, ଏକ ଘରୋଇ ସିକ୍ୟୁରିଟି ସଂସ୍ଥା ଜରିଆରେ କାର୍ଯ୍ୟରତ ଏହି ସୁରକ୍ଷାକର୍ମୀମାନଙ୍କୁ ଗତ ଦୁଇ ବର୍ଷ ହେଲା କମ୍ପାନୀ ପକ୍ଷରୁ ନାନା ହଇରାଣ ହରକତ କରାଯାଉଥିବା ସହ ସେମାନଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରାଯାଉନାହି। ଏ ସମ୍ପର୍କରେ ବିଭିନ୍ନ ପଦାଧିକାରୀମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରା ଯାଉନାହିଁ। ଏହାର ପ୍ରତିବାଦରେ ସେମାନେ ପାଂଚ ଦଫା ଦାବି ଯଥା-ଗତ ଜୁନ ଓ ଜୁଲାଇ ମାସର ଦରମା ପ୍ରଦାନ କରିବା, ସି.ଏମ୍.ପି.ଏଫ.କୁ ଅପ୍ ଟୁ ଡେଟ୍ କରିବା, ଅବସରପ୍ରାପ୍ତ ସୁରକ୍ଷାକର୍ମୀଙ୍କୁ ପେନସନ୍ ପ୍ରଦାନ କରିବା, ଠିକ୍ ସମୟରେ କମ୍ପାନୀ ପକ୍ଷରୁ ସିଏମ୍ପିଏଫ୍ ଟଙ୍କା ଜମା କରିବା, ବିନା ତଦନ୍ତରେ ସୁରକ୍ଷାକର୍ମୀମାନଙ୍କୁ କାର୍ଯ୍ୟରୁ ଅନ୍ତର ନ କରିବା ଆଦି ଦାବି ନେଇ ଧାରଣା ଦିଆଯାଇଛି। ଅନୁଷ୍ଠାନର ସଭାପତି ପଦ୍ମ ଚରଣ ବିଶ୍ୱାଳ, ଉପ-ସଭାପତି ମଦନ ମୋହନ ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ଜେନା ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ସୁରକ୍ଷାକର୍ମୀ ଏହି ଧାରଣାରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଉପରୋକ୍ତ ଦାବିଗୁଡିକ ପୂରଣ ନେଇ ଗତ ଫେବୃୟାରୀ ବାର ତାରିଖ ଦିନ ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ଧାରଣା ଦିଆ ଯାଇଥିବା ବେଳେ ଖଣି କର୍ତ୍ତୃପକ୍ଷ ଅପ୍ରେଲ ମାସ ଶେଷ ସୁଦ୍ଧା ସମସ୍ତ ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ସଂଘର କୌଣସି ଦାବିକୁ ଖଣି କର୍ତ୍ତୃପକ୍ଷ ଅଦ୍ୟାବଧି ପୂରଣ କରି ନାହାନ୍ତି ବୋଲି ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ଭରତପୁର ପ୍ରକଳ୍ପ କାର୍ମିକ ଅଧିକାରୀ ମାନସ ରଞ୍ଜନ ଜେନା ଧାରଣାସ୍ଥଳରେ ପଂହଚି ସୁରକ୍ଷାକର୍ମୀମାନଙ୍କ ସହ ଆଲୋଚନା କରି ଏକ ମାସ ମଧ୍ୟରେ ଦାବିଗୁଡିକୁ ପୂରଣ କରିବାକୁ ପ୍ରତିଶୃତି ଦେବାରୁ ଅପରାହ୍ନ ସାଢେ ୧ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *