୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଲୟ (ଭିସୁଟ୍)ର ବିଭିନ୍ନ ବିଭାଗର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଇଡିଆ ଓ ଇନୋଭେସନ୍ ସେଲ୍ ଆଜି ମହାନଦୀରୁ ୫୨୦୦ ଫୁଟ ଉଚ୍ଚକୁ ଏକ ରକେଟ ଉତ୍କ୍ଷେପଣ କରି ଆଉ ଏକ ସଫଳତା ହାସଲ କରିଛି। ଭିଏସ୍ଏଲ୍ଭି ୨.୦ ନାମକ ଏହି ରକେଟ ଉକ୍ତ ସେଲ୍ର ୧୦ଟି ମିସନ୍ ମଧ୍ୟରୁ ଏହା ଦ୍ୱିତୀୟ ମିସନ୍ ଅଟେ। ୪୦ କିଲୋମିଟର ଉଚ୍ଚକୁ ରକେଟ୍ ଉତ୍କ୍ଷେପଣ ଓ ହୀରାକୁଦ୍ ନଦୀବନ୍ଧର ଅନୁଧ୍ୟାନ ପାଇଁ ଏହି ଛାତ୍ରଛାତ୍ରୀ ଲକ୍ଷ୍ୟ ରଖିଛନ୍ତି। କେମିକାଲ, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍, ସିଭିଲ୍, କମ୍ପୁ୍ୟଟର୍ ସାଇନ୍ସ ଭଳି ବିଭାଗର ଏହି ଛାତ୍ରଛାତ୍ରୀମାନେ ନିରନ୍ତର ଗବେଷଣା ଓ ପରୀକ୍ଷା ନିରୀକ୍ଷା ଉତାରୁ ନୂତନ ବର୍ଷର ୧ ତାରିଖ ଦିନ ଏହି ରକେଟ ଉତ୍କ୍ଷେପର କରିବାରେ ସକ୍ଷମ ହୋଇଥିଲେ। ଗତବର୍ଷ ଏହିଭଳି ଉଦ୍ଭାବନକୁ ଋଷିଆର ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଏବଂ ନାସାର ବୈଜ୍ଞାନିକ ଡେଭିଡ଼ ଫ୍ଲେଚରଙ୍କ ପକ୍ଷରୁ ପ୍ରଶଂସା କରାଯାଇଥିଲା।

ସେଲର ବୋଧିସତ୍ୱ ସଂଘପ୍ରିୟ ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ବି.ବି. ପତି, ଡିନ୍ ଦେବଦତ ମିଶ୍ର, ପ୍ରଫେସର ଜ୍ଞାନରଞ୍ଜନ ବିଶ୍ୱାଳ, ପ୍ରବୀଣ କୁମାର କର, ବନ୍ଦନ ଭୋଇ, ପୁଣ୍ୟପ୍ରିୟା ମିଶ୍ର, ପୁରାତନ ଛାତ୍ର ସଂଘର ଉପସଭାପତି ଅଶେଷ ପାଢ଼ୀଙ୍କୁ ସେମାନଙ୍କ ସହାୟତା ପାଇଁ କୃତଜ୍ଞତା ଜଣେଇଛନ୍ତି।

Leave a Reply

Your email address will not be published. Required fields are marked *