ଅନୁଗୁଳ

୫ଦଫା ଦାବି ନେଇ କୁଦଗାଁ ଗ୍ରାମବାସୀଙ୍କ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ, ୨୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ନୂଆଁ କୁଦଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ କୁଦଗାଁ ଗ୍ରାମ୍ୟ କମିଟି ନେତୃତ୍ୱରେ ଗ୍ରାମବାସୀଙ୍କ ପକ୍ଷରୁ ମଙ୍ଗଳବାର ଦିନ ୫ଦଫା ଦାବି ନେଇ ଏକ ଶୋଭାଯାତ୍ରା ମାଧ୍ୟମରେ ଅଂଚଳ ପରିକ୍ରମା କରିବାପରେ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଅନୁଗୋଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସ୍ୱାଧିନତାର ୭୦ବର୍ଷ ପରେ ବି କୁଦଗାଁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇନି। ଫଳରେ ଯାଆସ ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପ୍ରତ୍ୟେକ ବର୍ଷା ଋତୁ ସମୟରେ ଛାତ୍ରଛାତ୍ରୀ ସ୍କୁଲକୁ ଏବଂ ସାଧାରଣ ରୋଗୀମାନେ ଡାକ୍ତରଖାନାକୁ ଯିବାରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟକୁ ଯାଇ ନପାରି ଅନେକ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ୁଛନ୍ତି। ଗ୍ରାମରେ ୫ରୁ ୧୪ବର୍ଷ ମଧ୍ୟରେ ୩୦ରୁ ଉର୍ଦ୍ଧ୍ୱ ପିଲା ରହିଥିଲେ ମଧ୍ୟ ବାରମ୍ବାର ଦାବି ସତ୍ୱେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉନାହିଁ। ଫଳରେ ପିଲାମାନେ ବାଧ୍ୟରେ ଦୀର୍ଘ ୩ କି.ମି ଦୂରରେ ଅବସ୍ଥିତ ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ୧ କି.ମି ଦୂରତା ମଧ୍ୟରେ ସ୍କୁଲ ନଥିଲେ ତଥା ୧୫ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ, ବିଦ୍ୟାଳୟ ସ୍ଥାପନର ନିୟମ ଥିଲେ ସୁଦ୍ଧା ଗ୍ରାମରେ ବିଦ୍ୟାଳୟ ସ୍ଥାପନ କରାନଯିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ କହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଘରେ ଘରେ ବିଜୁଳି ପହଂଚାଇଛନ୍ତି ବୋଲି ଢିଣ୍ଡିମ ପିଟୁଥିବାବେଳେ ଆଠମଲ୍ଲିକ ସଦର ମହକୁମାଠାରୁ ମାତ୍ର ୧୦ କି.ମି ଦୂରରେ ଅବସ୍ଥିତ କୁଦଗାଁରେ ବିଜୁଳି ସାତ ସପନ ପାଲଟିଛି। ସେହିପରି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳର ଅଭାବ ଏବଂ ଚାଷ ଜମିରେ ଜଳ ସେଚନର ସୁବିଧା ଉପଲବ୍ଧ ହୋଇପାରିନି ବୋଲି ଗ୍ରାମବାସୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏଣୁ ଆଠମଲ୍ଲିକ-କିଆକଟା ପୁର୍ତ ବିଭାଗ ରାସ୍ତାଠାରୁ ମହାନଦୀ ଉପରେ ପୋଲ ନିର୍ମାଣ କରି କୁଦଗାଁ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ, କୁଦଗାଁରେ ବିଦ୍ୟୁତିକରଣ ସହ ସମସ୍ତ ପରିବାରକୁ ବିଜୁଳି ଯୋଗାଣ, କୁଦଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ସମସ୍ତ ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମହାନଦୀରେ ଉଠା ଜଳସେଚନ ପଏଂଟ ନିର୍ମାଣ କରି ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମରେ କୁଦଗାଁ ଗ୍ରାମ ସଭାପତି ପ୍ରାଣବନ୍ଧୁ ପ୍ରଧାନ, ସମ୍ପାଦକ ନରେନ୍ଦ୍ର ପ୍ରଧାନ, ଗ୍ରାମ୍ୟ କମିଟିର ସଭ୍ୟ ସୁଶାନ୍ତ ପାତ୍ର, ଉପେନ୍ଦ୍ର ପାତ୍ର, ଗୋପାଳ ପ୍ରଧାନ, ବିଶ୍ୱାମିତ୍ର ଦେହୁରୀ, ଶ୍ରୀତମ ପାତ୍ର, କୃତିବାସ ଭୋକ୍ତା, ରମେଶ ଭୋକ୍ତା, ବୁଧ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top