୪ ବର୍ଷ ହେଲା ଅଟକିଛି ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରେ ଜିଲାପାଳଙ୍କ ପରେ ଜିଲ୍ଲାପାଳ ବଦଳି ଯାଉଛନ୍ତି। ମାତ୍ର ସେମାନେ ଦେଉଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା କି ନାହିଁ, ତା ଉପରେ ତର୍ଜମା କରାଯାଉନାହିଁ। ଏହାର ଏକ ଉଦାହରଣ ହେଉଛି ଭଦ୍ରକରେ ହେବାକୁ ଥିବା ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରକଳ୍ପ। ୪ ବର୍ଷ ତଳେ ହୋଇଥିବା ଯୋଜନା ଏବେବି ସାକାର ରୂପ ନେଇ ପାରିନାହିଁ। ଜିଲାର କ୍ରୀଡାପ୍ରେମୀଙ୍କ ପାଇଁ ଏଇ ଯୋଜନା ଏବେ ପ୍ରହସନ ପାଲଟିଛି। କେନ୍ଦ୍ର ସରକାରଙ୍କର ଖେଲ୍ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ସବୁ ଜିଲାରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଥିଲା। କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ କ୍ରୀଡା ବିଭାଗ ଭଦ୍ରକରେ ଏକ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଗତ ତା ୩୧.୧୦.୨୦୧୬ ରିଖରେ ଭଦ୍ରକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ଜିଲାପାଳ ଗତ ତା ୧୫.୧୧.୨୦୧୬ ରିଖରେ ଚିଠି ନମ୍ବର ୧୪୯/୧୬ ରେ ଭଦ୍ରକ ତହସିଲଦାରଙ୍କୁ ୧୫ ଏକର ସରକାରୀ ଜମି ଚିହ୍ନଟ କରି ଜିଲା କ୍ରୀଡା ବିଭାଗକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକକାଳୀନ ଗୋଟିଏ ପେଚ୍ ଜମି ୧୫ ଏକର ଜମି ନମିଳିଲେ ଦୁଇଟି ପେଚ୍ ଜମି ସାଢେ ସାତ ଏକର କରି ଯୋଗାଇ ଦେବାକୁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ତହସିଲଦାରଙ୍କୁ ଦିଆଯାଇଥିବା ଏଇ ଚିଠିର ଆଜିପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଭଦ୍ରକ ତହସିଲଦାର ଜିଲାର ଉନ୍ନୟନ ମୂଳକ କାମ ପାଇଁ ଜମି ଚିହ୍ନଟ କରୁନଥିବାରୁ ଜିଲାରେ କୌଣସି ଯୋଜନା କାର୍ଯ୍ୟ ଆଗକୁ ଆଗେଇ ପାରୁନାହିଁ। ତହସିଲଦାର କେବଳ ଇଟା ଭାଟି, ବାଲି ଖାଦାନ ଓ ମାଟି ଟ୍ରାକ୍ଟର ପଛରେ ପଡିଥିବା ବେଳେ ଜିଲାର ବିକାଶ ମୂଳକ ଯୋଜନା ପାଇଁ ସରକାରୀ ଜମି ଚିହ୍ନଟ କରିବାରେ ଆଦୌ ଆନ୍ତରିକତାହ ପ୍ରକାଶ କରୁନାହାଁନ୍ତି। ଏହାର କାରଣ ହେଉଛି ଜିଲା ସଦର ମହକୁମା ଓ ସହର ଉପକଣ୍ଠର ମୂଲ୍ୟବାନ ସରକାରୀ ଜମିକୁ ସବୁ କିଛି ମାଫିଆ ଶ୍ରେଣୀର ଲୋକ ଜବରଦଖଲ କରି ନେଇଛନ୍ତି। ଏଇ ଜବରଦଖଲକାରୀମାନେ କିଛି ତହସିଲ କର୍ମଚାରୀଙ୍କୁ ହାତକରି ଏଇ ସବୁ ଜମି ଆଉ ଛାଡିବାକୁ ଚାହୁଁନାହାଁନ୍ତି। ବିରୁଡି ବସାରେ କାହିଁକି ହାତମାରି ଅଡୁଆରେ ପଡିବେ, ନ୍ୟାୟରେ ରହିଛନ୍ତି ତହସିଲ କର୍ମଚାରୀ। ଭଦ୍ରକ ତହସିଲଦାର ଜମି ଯୋଗାଇବାରେ ସହଯୋଗ କଲେ ଜିଲାର ଉନ୍ନୟନ ମୂଳକ କାମ ଆଗକୁ ଆଗେଇ ପାରନ୍ତା। ଜିଲାର ଉନ୍ନୟନ ମୂଳକ ବୈଠକରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ସଂକ୍ରାନ୍ତରେ ଆଦୌ ଆଲୋଚନା ହେଉନାହିଁ। ଯେଉଁଥିପାଇଁ ଜିଲାରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ହୋଇପାରୁନାହିଁ। ଜିଲାରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଯେଉଁ ଜମି ଚିହ୍ନଟ କରାଯିବ, ତାହା ଜିଲା ସଦର ମହକୁମା ଠାରୁ ୫ କିଲୋମିଟର ଦୂରତାରେ ଥିବା ଆବଶ୍ୟକ। ଖେଲ୍ ଇଣ୍ଡିଆର ଏଇ ଯୋଜନାରେ ୧୫ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସର ରହିବ ସିନ୍ଥେଟିକ୍ ଆଥ୍ଲେଟିକ୍ ଟ୍ରାକ୍। ଏଠାରେ ମଧ୍ୟ ତିଆରି ହେବ ସିନ୍ଥେଟିକ୍ ହକି ଓ ଫୁଟବଲ ଗ୍ରାଉଣ୍ଡ। ଆକର୍ଷଣୀୟ ସୁଇମିଂପୁଲ କମ୍ପ୍ଲେକ୍ସ ସହ ମଲଟିପୁଲ ଇନ୍ଡୋର ହଲ୍ ଓ ଜିଲାସ୍ତରୀୟ ସ୍ପୋର୍ଟସ୍ କମ୍ଲେକ୍ସ। ଯେଉଁସବୁ ଜିଲାରେ ସହର ଦ୍ରୁତଗତିରେ ବୃଦ୍ଧି ପାଇଛି, ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ରହିଥିଲେ ଓ ବିଶେଷ ଭାବେ ସହରର ଜନବସତି ବଢିଥିବ, ସେହିସବୁ ଜିଲାଗୁଡିକରେ ପ୍ରାଥମିକ ସ୍ତରରେ ଏଇ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ସହର ୩୦ ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଏହାର ଆଖପାଖ ଅଂଚଳରେ ଦ୍ରୁତ ଜନବସତି ଗଢିଉଠିଛି। ସହରର ଲୋକ ସଂଖ୍ୟା ଏବେ ପ୍ରାୟ ଦେଢଲକ୍ଷଙ୍କୁ ଟପି ଯାଇଛି। ଏସବୁ ଦୃଷ୍ଟିକୋଣକୁ ବିଚାରକୁ ନେଇ ରାଜ୍ୟ ସରକାର ଭଦ୍ରକରେ ଏଇ ବୃହତ କ୍ରୀଡା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜମି ଚିହ୍ନଟ ପ୍ରକ୍ରିୟା ପ୍ରକଳ୍ପ ପାଇଁ ବାଧକ ହୋଇଛି। ଯେଉଁଥିପାଇଁ ଜିଲାରେ ଏଇ ବୃହତ୍ କ୍ରୀଡା ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡିରହିଛି। ଜିଲାପାଳ ଏଇ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାନ୍ତୁ ବୋଲି ଜିଲାର ବହୁ କ୍ରୀଡାପ୍ରେମୀ ଦାବି ଉଠାଇଛନ୍ତି। ଭଦ୍ରକର ବିକାଶ ପାଇଁ ତହସିଲଦାର ତୁରନ୍ତ ଜମି ଚିହ୍ନଟ କରି କ୍ରୀଡା ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଏବେ ଜୋର ଧରିଛି। ଜମି ଯୋଗାଣ କରାନଗଲେ ଆଗାମୀ ଦିନରେ ଜିଲାର ବହୁ କ୍ରୀଡାପ୍ରେମୀ ଯୁବକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭାହ କରିବେ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ସହର ଉପକଣ୍ଠରେ ଶହଶହ ଏକର ସରକାରୀ ଜମି ପଡିରହିଥିବାବେଳେ ଜମି ଚିହ୍ନଟ ପ୍ରକ୍ରିୟାରେ ତହସିଲଦାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲାରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରି ଅନେକ ବୃହତ୍ତର ପ୍ରକଳ୍ପ କାର୍ଯ୍ୟ ଆଗକୁ ଆଗେଇ ପାରୁନାହିଁ। ଜିଲାରେ ପ୍ରମୁଖ ପ୍ରକଳ୍ପ ପାଇଁ ଜିଲାପାଳ, ଜିଲାର ନିର୍ବାଚିତ ଲୋକ ପ୍ରତିନିଧି ଓ ଭଦ୍ରକର ବୁଦ୍ଧିଜୀବୀମାନେ ଉଦ୍ୟମ କରିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନେଇ ଜିଲା କ୍ରୀଡା ଅଧିକାରୀ ମନୋଜ ଦାସ ତାଙ୍କ ପ୍ରତିକ୍ରିୟାରେ କହନ୍ତି ଜମି ଚିହ୍ନଟ ନହେବା ପର୍ଯ୍ୟନ୍ତ କିଛି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ବାଗୁରାଇ ସ୍କୁଲ ପଡିଆକୁ ଇନ୍ଡୋର ହଲ୍ ପାଇଁ ଦିଆଯାଇଥିଲା। ସେ କାମ ଆଗକୁ ଆଗେଇ ନଥିବାବେଳେ ମିନି ଷ୍ଟାଡିୟମ୍ ପାଇଁ ପୁରୁଣାବଜାରର ଡିଇଓ ଅଫିସ୍ ପଡିଆ ଚିହ୍ନଟ କରାଯାଇଛି। ଏଇ ଜମି ମିନି ଷ୍ଟାଡିୟମ୍ ପାଇଁ ଅନୁପଯୁକ୍ତ ହୋଇଥିବାବେଳେ ଏହାକୁ କେଉଁ ପରିସ୍ଥିତିରେ ମିନି ଷ୍ଟାଡିୟମ୍ ପାଇଁ ଚିହ୍ନଟ କରାଯାଇଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *