୪ ବର୍ଷରେ ଖଦି ବୋର୍ଡ ପାଇଛି ୮୮ କୋଟି ଟଙ୍କା : ଖଦି ଉତ୍ପାଦନ ୬ କୋଟିରୁ କମ୍

ଭୁବନେଶ୍ୱର, ୨୪ା୦୩ (ଓଡ଼ିଆ ପୁଅ) : ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପାଇଁ ରାଜ୍ୟ ସରକାର ୪ ବର୍ଷରେ ୨୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଦେଇଥିବା ବେଳେ କେନ୍ଦ୍ର ସରକାର ଯୋଗାଇଛନ୍ତି ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ। କିନ୍ତୁ ଉକ୍ତ ବର୍ଷଗୁଡ଼ିକରେ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ତାହାର ସହଯୋଗୀ ସଂସ୍ଥାମାନଙ୍କ ମାଧ୍ୟମରେ ମାତ୍ର ୨ କୋଟି ୧୪ ଲକ୍ଷ ଟଙ୍କାର ସୂତା ଉତ୍ପାଦନ କରିଥିବା ବେଳେ ୫ କୋଟି ୪୨ ଲକ୍ଷ ଟଙ୍କାର ଖଦି ସାମଗ୍ରୀ ତିଆରି କରିଛି। ଏହି ୪ ବର୍ଷରେ ରାଜ୍ୟରେ ପ୍ରାୟ ୪ କୋଟି ୨୭ ଲକ୍ଷ ଟଙ୍କାର ଖଦି ସାମଗ୍ରୀ ବିକ୍ରି ହୋଇଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ କହିଛନ୍ତି ଯେ ବୋର୍ଡର ଖଦି ଭଣ୍ଡାର ମାଧ୍ୟମରେ ୨୦୧୪-୧୫ରୁ ୨୦୧୭-୧୮ ବର୍ଷ ମଧ୍ୟରେ ୨୪୩.୧୨ ଲକ୍ଷ ଟଙ୍କାର ଖଦି ବସ୍ତ୍ର ବିକ୍ରୟ କରାଯାଇଥିବା ବେଳେ ଉକ୍ତ ବର୍ଷମାନଙ୍କରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କୌଣସି ହାତକଟା ସୂତା ଓ ହାତବୁଣା ଖଦି ବସ୍ତ୍ର ବାହାରକୁ ରପ୍ତାନି କରିନାହିଁ। ତେବେ ଏହି ୪ ବର୍ଷରେ ଅନ୍ୟ ରାଜ୍ୟରୁ ୧୩୧. ୮୫ ଲକ୍ଷ ଟଙ୍କାର ଖଦି ଆମଦାନୀ କରାଯାଇଛି। ୨୦୧୪-୧୫ ବର୍ଷରେ ୯୬ ଲକ୍ଷ ୫୫ ହଜାର ଟଙ୍କାର ଖଦି ବସ୍ତ୍ର ଖଦି ବୋର୍ଡ ଓ ତାହାର ଅନୁବନ୍ଧିତ ସମିତିମାନଙ୍କ ଜରିଆରେ ଉତ୍ପାଦିତ ହୋଇଥିବା ବେଳେ ଉକ୍ତ ବର୍ଷରେ ମାତ୍ର ୪୮ ଲକ୍ଷ ଟଙ୍କାର ଖଦି ବିକ୍ରି ହୋଇଛି। ତେବେ ୨୦୧୭-୧୮ ବର୍ଷରେ ୧୨୮ ଲକ୍ଷ ଟଙ୍କାର ଖଦି ଓଡ଼ିଶାରେ ଉତ୍ପାଦିତ ହୋଇଥିବା ବେଳେ ୧୪୪ ଲକ୍ଷ ଟଙ୍କାର ବିକ୍ରି ହୋଇଛି। ୨୦୧୭-୧୮ ବର୍ଷରେ ଫେବୃଆରୀ ସୁଦ୍ଧା ରାଜ୍ୟ ସରକାର ଖଦି ବୋର୍ଡକୁ ୬ କୋଟି ୩୮ ଲକ୍ଷ ଟଙ୍କା ଦେଇଥିବା ବେଳେ ୨୦୧୬-୧୭ ରେ ୮ କୋଟି ୧୩ ଲକ୍ଷ, ୨୦୧୫-୧୬ରେ ୬ କୋଟି ୬୦ ଲକ୍ଷ ଓ ୨୦୧୪-୧୫ରେ ୭ କୋଟି ୩୪ ଲକ୍ଷ ଟଙ୍କା ଦେଇଛନ୍ତି। ଏହି ଚାରିବର୍ଷରେ କେବଳ ବେତନ ପାଇଁ ରାଜ୍ୟ ସରକାର ଖଦି ବୋର୍ଡକୁ ପ୍ରାୟ ୨୬ କୋଟି ଟଙ୍କା ଦେଇଥିବା ବେଳେ ୪ ବର୍ଷରେ ୬ କୋଟି ଟଙ୍କାର ବୋର୍ଡ ଉତ୍ପାଦନ କରିବାରେ ସଫଳ ହୋଇନଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି। ଏହି ବର୍ଷଗୁଡ଼ିକରେ ରାଜ୍ୟ ଖଦି ବୋର୍ଡ ପ୍ରଧାନମନ୍ତ୍ରୀ ଅନୁସୃଜନ ଯୋଜନା ପାଇଁ ଭାରତ ସରକାରଙ୍କ ଖଦି କମିଶନଙ୍କ ପାଇଁ ୩୩ କୋଟି ୪୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ପାଇଥିବା ସରକାରଙ୍କ ପ୍ରଦତ୍ତ ତଥ୍ୟରେ ଉଲ୍ଲେଖ କରାଯାଇଛି।

ଖଦି ବୋର୍ଡର କାର୍ଯ୍ୟାଳୟ ପରିସରରେ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୦୩ ଅକ୍ଟୋବର ୩୦ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ ସଂକ୍ରାନ୍ତରେ କିଛି ଉଲ୍ଲେଖ କରିନାହାନ୍ତି। ଏହି ପ୍ରକଳ୍ପ ଲାଗି ସରକାରଙ୍କର କୌଣସି ବ୍ୟୟବରାଦ ହୋଇନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଥିବା ବେଳେ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ଖୋଦ୍ ମୁଖ୍ୟମନ୍ତ୍ରୀ ରାଜଧାନୀରେ ଶିଳାନ୍ୟାସ କରିଥିବା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୫ ବର୍ଷ ଧରି ଆରମ୍ଭ ହେଉନଥିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଏ ବାବଦରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *