୪ ପିସ୍ତଲ-ରିଭଲଭର ସହ ୧ ଗିରଫ

ସମ୍ବଲପୁର, ୨୨/୨ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା ପୋଲିସ ଗତରାତିରେ ଏକ ଆନ୍ତଃରାଜ୍ୟ ମାରଣା୍ସ୍ତ୍ର ଚାଲାଣ ର୍ୟାକେଟ୍ର ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଅଞ୍ଚଳରେ ନାକାବନ୍ଦୀ ବେଳେ ଏକ କାରରୁ ବହୁସଂଖ୍ୟକ ରିଭଲଭର, ପିସ୍ତଲ ଓ ଗୁଳି ଜବତ କରାଯାଇଛି। ଏ ବାବଦରେ ଛତିଶଗଡ଼ ରାୟଗଡ଼ର ମୂଳନିବାସୀ ଓ ଏବେ ଝାରସୁଗୁଡ଼ା ଜିଲ୍ଲା ବଡ଼ବାହାଲରେ ରହୁଥିବା ଜଣା ଯୁବକଙ୍କୁ ଗିରଫ କରାଯାଇଛି। ଘଟଣା ବାବଦରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ସଦର ଏସ୍ଡ଼ିପିଓ ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ବେଆଇନ ମାରଣାସ୍ତ୍ର ଚାଲାଣ ହେଉଥିବା ସୂଚନା ପାଇ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗତରାତିରେ ପୋଲିସ ନାକାବନ୍ଦୀ କରି ସଦର ଥାନା ଅନ୍ତର୍ଗତ ସୁନ୍ଦୁରପଙ୍କରେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ପଟରୁ ଆସୁଥିବା ଏକ ନୀଳ ରଙ୍ଗର ମାରୁତି ସୁଜୁକୀ କାର୍କୁ ଅଟକାଇ ଥିଲେ। ଏହି ସମୟରେ କାର୍ରୁ ବର୍ତ୍ତମାନ କୋଲାବିରାରେ ରହୁଥିବା ଛତିଶଗଡ଼ର ଦୀପକ ଯାଦବ (୨୯)ଙ୍କୁ ଧରାଯାଇ ପଚରାଉଚରା କରାଯାଇଥିଲା। ଖାନତଲାସ ସମୟରେ କାର୍ ମଧ୍ୟରୁ ଏକ ଦେଶୀ ସେମି-ଅଟୋମେଟିକ୍ ପିସ୍ତଲ ଓ ମେଗାଜିନ, ୬ ରାଉଣ୍ଡ ବିଶିଷ୍ଟ ରିଭଲଭର, ଗୋଟିଏ ଦେଶୀ ସିଙ୍ଗଲ ସଟ୍ ପିସ୍ତଲ, ଗୋଟିଏ ଏୟାର ପିସ୍ତଲ ଓ ଦୁଇଟି ଗୁଳି ଠାବ କରାଯାଇଥିଲା। ସେହିଭଳି ଏଥିରୁ ନଗଦ ୪୨୦୦ ଟଙ୍କା, ଗୋଟିଏ ପ୍ରାଇମା ଏ-୫ ମୋବାଇଲ ଫୋନ, ଏୟାର ବେଗ ସହିତ କାର୍କୁ ମଧ୍ୟ ଜବତ କରାଯାଇଥିବା ଏସ୍ଡ଼ିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏ ନେଇ ସଦର ଥାନାର କେସ ସଂଖ୍ୟା ୨୯/୨୦୧୮ ବଳରେ ଆର୍ମସ୍ ଆକ୍ଟର ଧାରା ୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *