୪୦ ପ୍ରତିଶତ ଜନସାଧାରଣଙ୍କର ବିକାଶର ମଙ୍ଗ ଧରିବାର ଦାୟିତ୍ୱ ବହନ କରୁଥିବା ବିଭାଗରେ ଦୀର୍ଘ ଦିନ ଧରି ପୂର୍ଣ୍ଣକାଳୀନ ସଚିବ ନାହାନ୍ତି-ଧର୍ମେନ୍ଦ୍ର ପ୍ରଧାନ

– ଅତିରିକ୍ତ ଦାୟିତ୍ୱରେ ଥିବା ସଚିବଙ୍କ ହାତରେ ରାଜ୍ୟର ୪୦ ପ୍ରତିଶତ ଲୋକଙ୍କ ଭାଗ୍ୟକୁ ବାନ୍ଧି ଦିଆଯିବା ଦୁର୍ଭାଗ୍ୟଜନକ ଘଟଣା
– ସରକାରଙ୍କ ଅନୁସୂଚିତ ଜନଜାତିଙ୍କ ପାଇଁ ପରିଚାଳିତ ଆବାସିକ ବିଦ୍ୟାଳୟରେ ଘଟୁଥିବା ଅଭାବନୀୟ ଘଟଣା କାହାର ବି ହୃଦୟକୁ ଥରାଇଦେବ
– ଅନୁସୂଚିତ ଜନଜାତି ବର୍ଗରେ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ରାଜ୍ୟର ହାରାହାରି ଠାରୁ ଯଥେଷ୍ଟ ଉପରେ ରହି ୬୩ ପ୍ରତିଶତରୁ ଅଧିକ ରହିଛ
– ୫ ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ରକ୍ତହୀନତାର ଶୀକାର ୫୮ପ୍ରତିଶତରୁ ଅଧିକ
– ଟ୍ରାଇବାଲ ଆଡଭାଇଜରୀ କାଉନସିଲର ବୈଠକ ସଠିକ ସମୟରେ ନବସିବା ଦୁର୍ଭାଗ୍ୟଜନକ
– ଓଡିଶାରେ ୬୨ଟି ଜନଜାତି ବର୍ଗମାନଙ୍କ ମଧ୍ୟରୁ ୧୩ଟି ଅତିବିପଦଶଙ୍କୁଳ ଆଦିମ ଜନଜାତି ବର୍ଗ ଅଛନ୍ତି
– ଦେଶର ମୋଟ ଜନଜାତି ଜନସଂଖ୍ୟାର ୯.୬ ପ୍ରତିଶତ ଓଡିଶାରେ ବସବାସ କରନ୍ତି। ରାଜ୍ୟର ୧୧୯ଟି ବ୍ଲକ୍ ରେ ଜନଜାତି ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ।
– ରାଜ୍ୟର ମୋଟ ଭୌଗୋଳିକ ଅଂଚଳର ସମ୍ବିଧାନର ପଂଚମ ଅନୁଚ୍ଛେଦରେ ରାଜ୍ୟର ୪୪ ପ୍ରତିଶତରୁ ଅଧିକ ଅଂଚଳ ସିଡ୍ୟୁଲଡ୍ ଅଂଚଳଭାବେ ଅଧିସୂଚିତ
– ଏହି ଅଂଚଳରେ ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ବିକାଶ, ଜୀବନଜୀବିକା ସବୁଠୁବଡ ଆହ୍ୱାନର ସମ୍ମୁଖୀନ

ଭୁବନେଶ୍ୱର, ୬ ଅଗଷ୍ଟ (ଓଡ଼ିଆ ପୁଅ) -ଓଡିଶାର ପାଖାପାଖି ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଓ ୧୭ ପ୍ରତିଶତ ଅନୁସୂଚିତ ଜାତି ଏହି ପରି ପାଖାପାଖି ୪୦ ପ୍ରତିଶତ ଜନସାଧାରଣଙ୍କର ବିକାଶର ମଙ୍ଗ ଧରିବାର ଦାୟିତ୍ୱ ବହନ କରୁଥିବା ବିଭାଗର ଦୀର୍ଘ ଦିନ ଧରି ପୂର୍ଣ୍ଣକାଳୀନ ସଚିବ ନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡିଆରେ ଏକାଉଂଟରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ନିଜର ମତ ଉପସ୍ଥାପନ କରି କହିଛନ୍ତି ପ୍ରଶାସକ ସୁରେନ୍ଦ୍ର କୁମାର ଏହି ବିଭାଗ ଛାଡି ମୁଖ୍ୟ ନିର୍ବାଚନ ଅଧିକାରୀ ହେବାର ଅନେକ ମାସ ବିତିଯାଇଥିଲେ ମଧ୍ୟ ଜଣେ ଅତିରିକ୍ତ ଦାୟିତ୍ୱରେ ଥିବା ସଚିବଙ୍କ ହାତରେ ରାଜ୍ୟର ୪୦ ପ୍ରତିଶତ ଲୋକଙ୍କ ଭାଗ୍ୟକୁ ବାନ୍ଧି ଦିଆଯିବା ଦୁର୍ଭାଗ୍ୟଜନକ ଘଟଣା। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଓଡିଶାରେ ରହିଲି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଅନ୍ତରଙ୍ଗ ଭାବେ ମିଶିବାର ସମୟ ମିଳିଲା। ଏହି ସମୟରେ ଓଡିଶାରେ ଏକ ମର୍ମନ୍ତୁଦ ଘଟଣା ଗଣମାଧ୍ୟମରୁ ଦେଖି ମନ ବେଶ୍ ବ୍ୟଥିତ ହେଲା। ମାଲକାନଗିରି ଜିଲ୍ଲାର ଶିଖପାଲି ପଂଚାୟତରେ ଏସ ଏସ୍ ଡି ସେବାଶ୍ରମ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ସ୍କୁଲରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବାର ଖବର ଆସିଲା। ଏହି ମୃତ୍ୟୁଠୁ ଆହୁରି ଦୁଃଖଦ ଓ ଯନ୍ତ୍ରଣାଦାୟକ ଥିଲା ମୃତ୍ୟୁର କାରଣ ନେଇ ଗଣମାଧ୍ୟମରେ ଚର୍ଚ୍ଚିତ ବିଷୟ। ସ୍କୁଲର ପ୍ରଧାନଶିକ୍ଷକ ବାଳିକାଟିକୁ ବାରମ୍ବାର ଦୁଷ୍କର୍ମ ଏହି ଆତ୍ମହତ୍ୟା ପଛର ମୂଳ କାରଣ ବୋଲି ଜାଣିବାକୁ ମିଳିଲା। ସରକାରଙ୍କ ଅନୁସୂଚିତ ଜନଜାତିଙ୍କ ପାଇଁ ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା କାହାର ବି ହୃଦୟକୁ ଥରାଇଦେବ।

ଶ୍ରୀ ପ୍ରଧାନ ଆହୁରି ଉଲେଖ କରିଛନ୍ତି ଏହି ଘଟଣା ଆଧାରରେ ରାଜ୍ୟର ୪୦ ପ୍ରତିଶତ ଲୋକଙ୍କ ସ୍ଥିତିକୁ ଆଲୋଚନା କଲାବେଳେ ନଜରକୁ ଆସିଲା ଟ୍ରାଇବାଲ ଆଡଭାଇଜରୀ କାଉନସିଲର ବୈଠକ ଯାହା ଅନ୍ୟୁନ ବର୍ଷକୁ ଦୁଇ ଥର ବସିବା କଥା ତାହା ମଇ୨୦୧୫ ପରେ ୩ ବର୍ଷ ବ୍ୟବଧାନରେ ଜୁନ୍ ୨୦୧୮ରେ ବସିଲା। ସେହିପରି ସେ କହିଛନ୍ତି ଓଡିଶାରେ ୬୨ଟି ଜନଜାତି ବର୍ଗମାନଙ୍କ ମଧ୍ୟରୁ ୧୩ଟି ଅତିବିପଦଶଙ୍କୁଳ ଆଦିମ ଜନଜାତି ବର୍ଗ ଅଛନ୍ତି। ଦେଶର ମୋଟ ଜନଜାତି ଜନସଂଖ୍ୟାର ୯.୬ ପ୍ରତିଶତ ଓଡିଶାରେ ବସବାସ କରନ୍ତି। ରାଜ୍ୟର ୧୧୯ଟି ବ୍ଲକ୍ ରେ ଜନଜାତି ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ। ରାଜ୍ୟର ମୋଟ ଭୌଗୋଳିକ ଅଂଚଳର ସମ୍ବିଧାନର ପଂଚମ ଅନୁଚ୍ଛେଦରେ ରାଜ୍ୟର ୪୪ ପ୍ରତିଶତରୁ ଅଧିକ ଅଂଚଳ ସିଡ୍ୟୁଲଡ୍ ଅଂଚଳଭାବେ ଅଧିସୂଚିତ। ରାଜ୍ୟର ୧ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ୱ ବର୍ଗ କିମି ଅଂଚଳ ମଧ୍ୟରୁ ୭୦ ହଜାର ବର୍ଗକିମି ରୁ ଉର୍ଦ୍ଧ୍ୱ ବର୍ଗକିମି ଅଂଚଳ ସିଡ୍ୟୁଲଡ୍ ଏରିଆ। ସେହିପରି ଏହି ଅଂଚଳରେ ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ବିକାଶ, ଜୀବନଜୀବିକା ସବୁଠୁବଡ ଆହ୍ୱାନର ସମ୍ମୁଖୀନ। ରାଜ୍ୟରେ ଅନୁସୂଚିତ ଜନଜାତି ବର୍ଗରେ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ରାଜ୍ୟର ହାରାହାରି ଠାରୁ ଯଥେଷ୍ଟ ଉପରେ ରହି ୬୩ ପ୍ରତିଶତରୁ ଅଧିକ ରହିଛି। ସେହିପରି ୫ ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ରକ୍ତହୀନତାର ଶୀକାର ୫୮ପ୍ରତିଶତରୁ ଅଧିକ ରହିଛି ବୋଲି ସେ କହିଛନ୍ତି।

ଏହି ଅଂଚଳରେ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ରାଜ୍ୟ ହାର ଠାରୁ ଯଥେଷ୍ଟ କମ୍ ରହିଛି। ପ୍ରତିଟି ପ୍ରସବରେ ଜନଜାତି ପରିବାରକୁ ଏତେ ସରକାରୀ ଯୋଜନା ଥିବା ସତ୍ୱେ ୩୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରାଯାଉଥିବା ସରକାରୀ ଭାବେ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ସୋସିଆଲ ମିଡିଆରେ ଉଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *