୪ଫୁଟ ତାଳ ବଡରା ଘେରା ଚାଳିଆରେ ୨୦ ବର୍ଷଧରି ପଡିରହିଥିବା ତୁଳସୀ ; ବିଧାୟକଙ୍କ ଦ୍ୱାରା ଉଦ୍ଧାର, ଚିକିତ୍ସା ଆରମ୍ଭ

ଯାଜପୁର-୧/୬(ଓଡିଆ ପୁଅ/ଏ.ରାଉତ) ଚାରିଫୁଟର ଏକ ତାଳ ବଡରା ଘେରା ଘରେ ଦୁର୍ବିଶହ ଜୀବନ କାଟୁଥିଲେ ଜଣେ ମହିଳା। ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୨୦ ବର୍ଷ ହେଲା ଏହି ଘର ଭିତରେ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଗୁମୁରି କାନ୍ଦୁଥିଲେ ଦାନଗଦୀ ବ୍ଲକ ବାଙ୍ଗରକୋଟା ପଂଚାୟତ ବାଙ୍ଗରକୋଟା ଗ୍ରାମର ମୋହନ ପାତ୍ରଙ୍କ ପତ୍ନୀ ତୁଳସୀ ପାତ୍ର(୫୫)। ଦୀର୍ଘ ବର୍ଷ ହେଲା ଗାଧୋଉ ନଥିଲାବେଳେ ମାଟି ଓ ଜରି ଉପରେ ଶେଇ ଶୋଇ ଦେହରୁ ଗନ୍ଧ ବାହାରୁଥିଲା। ହାତ ଗୋଡର ନଖ ବଢି ମୋଡି ହୋଇ ଯାଇଛି। ଦେହ କଳା ପଡିଯାଇଥିଲାବେଳେ ମୁହଁ ଶୁଖି ଛୋଟିଆ ଟିଏ ହୋଇ ଯାଇଛି। ଗୋଡ ଦୁଇଟି ମୋଡି ହୋଇ ରହିଥିଲାବେଳେ ବେକ ତଳେ ଛିଣ୍ଡା ଅଖାର ମୁଚୁଳା ଟିଏ ରହିଛି। ଦେହରେ ପଡିଛି ଛିଣ୍ଡା ମଇଳା ସାଢି ଟିଏ। ମୁଲ ଲାଗି ପେଟ ପୋଶୁଥିବା ସ୍ୱାମୀଙ୍କ ଦୁଃଖ ସୁଖର ସଂସାରକୁ ଚଳାଉଥିଲାବେଳେ ଆଜକୁ ୨୦ ବର୍ଷ ତଳେ ପକ୍ଷାଘାତ ରୋଗର ଶିକାର ହୋଇଥିଲେ ତୁଳସୀ। ସ୍ୱାମୀ ନିଜ କିଂଚିତ ସଂଚିତ ଅର୍ଥ ସହିତ ଧାର ଉଦ୍ଧାର କରି ତୁଳସୀଙ୍କ ଚିକିତ୍ସା କରିଥିଲେ ସ୍ଥାନୀୟ ଡାକ୍ତରଖାନାରୁ ନେଇ କଟକ ଡାକ୍ତରଖାନା ପର୍ଯ୍ୟନ୍ତ। ରୋଗର ଚିକିତ୍ସା କରିବାକୁ ଅର୍ଥର ଆବଶ୍ୟକତା ଥିଲାବେଳେ ନିଜ ପତ୍ନୀଙ୍କ ଚିକିତ୍ସାରେ ମୋହନଙ୍କ ରୋଜଗାର ବାଧକ ସାଜିଥିଲା। ଦୁଇ ପୁଅ ଓ ଗୋଟିଏ ଝିଅକୁ ଚଳାଇବା ସହିତ ନିଜ ପତ୍ନୀଙ୍କ ଚିକିତ୍ସା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ଫଳରେ ଧିରେଧିରେ ଅଧିକ ରୋଗାକ୍ରାନ୍ତ ହୋଇ ପଡିଥିଲେ ତୁଳସୀ। ଚାଲିବାର ଶକ୍ତି ହରାଇଥିବାରୁ ଓ ଶୋଇବା ସ୍ଥାନରେ ମଳତ୍ୟାଗ ସହିତ ପରିସ୍ରା କରୁଥିବାରୁ ନିଜ ଘର ନିକଟରେ ଏକ ୪ ଫୁଟିଆ ଚାଳି କରି ପତ୍ନୀଙ୍କୁ ରଖିଥିଲେ ମୋହନ। ଚାଳିଆ ବୋଲି ଟାଇଲ ଛପର ସହିତ ବରଡା ପତ୍ରରେ ଘେରା କାନ୍ଥ। ମାଟିର ଚଟାଣ ଉପରେ ଆଜକୁ ୨୦ ବର୍ଷ ହେଲା ପଡିରହିଥିଲାବେଳେ ୨୦ ବର୍ଷ ଭିତରେ କେତେ ଶୀତ, ବର୍ଷା ଓ ଖରାକୁ ନିଜ ଦେହରେ ହଜାଇ ଦେଇଛନ୍ତି ତୁଳସୀ। ସମୟ ବଦଳି ଯାଇଛି। ପିଲା ବଡ ହୋଇ ଯାଇଛନ୍ତି। ଦୁଇ ପୁଅ ବିବାହ କରିଥିଲାବେଳେ ଝିଅ ମଧ୍ୟ ବିବାହ କରି ଚାଲି ଯାଇଛି ପରଘରକୁ। ବିଚରା ମା’ ଟି କିନ୍ତୁ ସେମାନଙ୍କ ସେବା ଯତ୍ନ ପାଇବା ବଦଳରେ ତିରସ୍କାର ପାଇଛି। ପୁଅ ବୋହୁ ପଚାରି ନଥିଲାବେଳେ ପୁରୁଣା କାଳିଆ ଇନ୍ଦିରା ଆବାସ ଘରକୁ ଦଖଲ କରି ବାପା ମୋହନକୁ ତୁଳସୀଙ୍କ ଚାଲିଆ ନିକଟରେ ଆଉ ଏକ ଚାଳିଆ କରି ରହିବାକୁ ବାଧ୍ୟ କରିଛନ୍ତି। ଦୁଇପୁଅ ରୋଜଗାର କରି ନିଜେ ଭଲରେ ଖାଉଥିଲାବେଳେ ଜନ୍ମଦାତ୍ରୀ ମା’ ଟି ଯନ୍ତ୍ରଣାରେ ଛଟପଟ ହୋଇ ବାହୁନି କାନ୍ଦିଛି। ତାକୁ ମୁଠାଏ ଖାଇବାକୁ ଦେବାତ ଦୂରର କଥା ତା ଚାଳିଆ ମୁହଁ ମାଡି ନାହାନ୍ତି। ସ୍ୱାମୀ ମୋହନ କାମଧନ୍ଦା କରି ଫେରିବା ପରେ ନିଜେ ଯାହା ରୋଷେଇ କରନ୍ତି ସେଥିରୁ କିଛି ଖୁଆଇ ଦିଅନ୍ତି ତୁଳସୀକୁ। ସେହିଠାରେ ପଡିରହି ତାକୁ ଖାଇ ଦେଇ ପୁଣି ଗୁମୁରି କାନ୍ଦନ୍ତି ତୁଳସୀ। ବିଦ୍ୟୁତ ସୁବିଧା ନଥିବାରୁ ରାତିର ଅନ୍ଧାର ଭିତରେ ଲୁଚି ଯାଇଛନ୍ତି ତୁଳସୀ। ପୁଣି ସକାଳ ହେଲେ ଦେଖାଯାଇଛନ୍ତି। ରାସ୍ତା କଡରେ ଚାଳିଆଟି ହୋଇଥିଲାବେଳେ ଗାଡି ଗଲେ ପାଣି ଛିଟିକା ତୁଳସୀଙ୍କ ଦେହରେ ପଡିବା ସହିତ ବର୍ଷା ପାଣି ଟାଇଲ ଦେଇ ତୁଳସୀଙ୍କୁ ବହୁ ବାର ଭେଦାଇ ଦେଇଛି। ପ୍ରବଳ ଶୀତ ତୁଳସୀଙ୍କୁ ଥରାଇ ଦେଇଥିଲାବେଳେ ସେହି ଚାଳିଆରେ କୁଙ୍କୁରିକାକୁରି ହୋଇ ପଡିରହିଛି ନିଜ ଭାଗ୍ୟକୁ ଆଦରି। ଗତ ବୁଧବାର ଦିନ କୈାଣସି ସୁତ୍ରରୁ ଖବର ପାଇ ସୁକିନ୍ଦା ବିଧାୟକ ଇଂ ପ୍ରତୀରଞ୍ଜନ ଘଡାଇ ତୁଳସୀ ନିକଟରେ ପହଂଚିଥିଲେ। ସବୁ ଦେଖି ବିଷର୍ଣ୍ଣ ମନରେ ଫେରିବା ସହିତ ତୁଳସୀକୁ ଉଦ୍ଧାର କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ତୁଳସୀଙ୍କୁ ତାଙ୍କ ବିଷୟରେ ପଚାରିବାରୁ ଅତି ଧିର କଣ୍ଠରେ ଜବାବ ଦେଇଥିଲେ। କହିଥିଲେ ଦେହ ହାତ ବିନ୍ଧୁଛି ଓ ଦରଜ ଲାଗୁଛି। ଔଷଧ ଖାଇବ ବୋଲି ପଚାରିବାରୁ କହିଥିଲେ କିଏ ଦେଲେ ତ ଖାଇବି। ଖାଇବା ବିଷୟରେ ପାରିବାରୁ କହିଥିଲେ ନଥିବା ଲୋକର ଭଲ ଖାଇବା କଣ ବାବୁ। ଇଚ୍ଛାଥିଲେ ମିଳିବ କେଉଁଠୁ। ଅନ୍ଧାରରେ ଡର ଲାଗେ ନାହିଁ ବୋଲି ପଚାରିବାରୁ କହିଥିଲେ ଭୟ ଲାଗିଲେ କ’ଣ ନଲାଗିଲେ କ’ଣ। ମୋର ତ କିଛି ଚାରା ନାହିଁ। ଆଜି ଅପରାହ୍ନରେ ବିଧାୟକ ଦାନଗଦୀ ଠାରେ ଉପସ୍ଥିତ ରହି ୧୦୮ ଆମ୍ବୁଲାନ୍ସ ପଠାଇ ତୁଳସୀଙ୍କୁ ଦାନଗଦୀ ଡାକ୍ତରଖାନାକୁ ଆଣିବା ସହିତ ନିଜେ ଉପସ୍ଥିତ ରହି ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତର ବିମଳେଶ ଓଝା ତୁଳସୀଙ୍କୁ ପ୍ରାଥମିକ ପରୀକ୍ଷା କରି ଚିକିତ୍ସା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ବିଧାୟକ ଦାନଗଦୀ ବିଡିଓଙ୍କୁ ମଧ୍ୟ ତୁରନ୍ତ ଡକାଇଥିଲେ ଚିକିତ୍ସାଳୟକୁ। ଚିକିତ୍ସା ସମୟରେ ବିଡିଓ ମଧ୍ୟ ଉପସ୍ଥିତ ଥିଲେ। ବିଧାୟକଙ୍କ ଦ୍ୱାରା ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ତୁଳସୀଙ୍କ ଘଟଣା ଭିନ୍ନ ଏକ ଦୀଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲାବେଳେ ଆଜକୁ ଦୀର୍ଘ ୨୦ ବର୍ଷ ହେଲା ଏକ ୪ ଫୁଟିଆ ଚାଳଘରେ ପଡିରହିଥିବା ତୁଳସୀଙ୍କ ପାଇଁ ସରକାରୀ ଯୋଜନା ଅପହଂଚ ରହିଥିଲା କାହିଁକି ? ଶହେ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେବି ତୁଳସୀ କାହିଁକି ପାଇ ନଥିଲେ ଭିନ୍ନକ୍ଷମ ଭତା? କାହିଁକି ପାଇନାହାନ୍ତି ଭିନ୍ନକ୍ଷମଙ୍କ ପାଇଁ ଅନ୍ୟାୟନ୍ୟ ସୁବିଧା। ସରକାରୀ ଯୋଜନାକୁ ସଫଳ କରୁଥିବା ବାବୁ ମାନଙ୍କ ନଜର କାହିଁକି ଓ କିଭଳି ପଡିନଥିଲା ତୁଳସୀଙ୍କ ଉପରେ। ଏ ନେଇ ବିଧାୟକ ଆଜି ଚିକିତ୍ସାଳୟରେ ବିଡିଓଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଥିଲାବେଳେ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ ତାଙ୍କୁ ଆବଶ୍ୟକ ପଡିଲେ କଟକ ସ୍ଥାନାନ୍ତର କରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ଏହି ବିସୟରେ ବିଧାୟକ ପଚାରିବାରୁ ସେ କୁହନ୍ତି ମାନବ ସେବା ହିଁ ମାଧବ ସେବା। ଏହାକୁ ନିଜ କାର୍ଯ୍ୟଧାରାରେ ସାମିଲ କରି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବହୁ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟକ୍ତିଗତ ଭାବେ ପ୍ରାଧାନ୍ୟ ଦେଇଛି। ତୁଳସୀଙ୍କ ଭଳି ଜଣେ ମହିଳା ଆଜକୁ ଦୀର୍ଘଦିନ ହେଲା ଏହି ଅବସ୍ଥାରେ ରହିବା ମୋତେ ବିଚଳିତ କରିଦେଇଛି। ଏ ନେଇ ମୋ ପାଖରେ ଖବର ପହଂଚିବା ପରେ ତୁରନ୍ତ ତାଙ୍କ ନିକଟକୁ ଯାଇଥିଲି। ଆଜି ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି। ସମାଜର ତଳ ସ୍ତରରେ ରହିଥିବା ଏହି ଭଳି ବ୍ୟକ୍ତି ମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେଇ ସେମାନଙ୍କୁ ଆରୋଗ୍ୟ କରିବାର ଉଦ୍ୟମକୁ ପ୍ରାଥମିକତା ଦେଉଛି।

Leave a Reply

Your email address will not be published. Required fields are marked *