୩ କୋଟି ୨୩ ଲକ୍ଷ ଟଙ୍କାର ଚାଉଳ ଦୁର୍ନୀତି, ମିଲରଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦେଶ

ଭଦ୍ରକ, ୭/୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ଆଉ ଏକ ବଡ ଚାଉଳ ଦୁର୍ନୀତି ସାମ୍ନାକୁ ଆସିଛି। ଜିଲା ଯୋଗାଣ ନିଗମରୁ ଧାନ ନେଇ ଚାଉଳ ଫେରାଇ ନ ଥିବା ଜଣେ ମିଲରଙ୍କ ବିରୋଧରେ ୩କୋଟି ୨୩ ଲକ୍ଷ ଟଙ୍କା ବାଟମାରଣାର ଅଭିଯୋଗ ଆସିଛି। ଯୋଗାଣ ନିଗମର ଅଡିଟ ବେଳେ ଏହି ଦୁର୍ନୀତି ପଦାକୁ ଆସିଥିଲା। ସଂପୃକ୍ତ ମିଲରଙ୍କ ବିରୋଧରେ ଏତଲା ଦେବା ସହ ଅନ୍ୟ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଜିଲା ଯୋଗାଣ ଅଧିକାରୀଙ୍କୁ ଗତ ୧ତାରିଖରେ ଚିଠି ଆସିଛି। ଉକ୍ତ ଚିଠି ଅନୁଯାୟୀ: ଖିଲାପି ମିଲର ହେଲେ ଭଦ୍ରକ ଜିଲାର ଭାରତୀ ରାଇସ ମିଲ। ୨୦୧୫-୧୬ ଖରିଫ ବର୍ଷରେ ଭାରତୀ ରାଇସ ମିଲ ଭଦ୍ରକ ଜିଲାରେ କଷ୍ଟମ ମିଲର ଭାବେ ନିୟୋଜିତ ହୋଇଥିଲା। ଉକ୍ତ ରାଇସ ମିଲକୁ ଯୋଗାଣ ନିଗମ ଧାନ ଦେଇଥିଲା, ବଦଳରେ ଚାଉଳ ଫେରସ୍ତ କରିବା କଥା। ହେଲେ ନିର୍ଦ୍ଧାରିତ ସମୟ ଅକ୍ଟୋବର ୨୦୧୬ ମଧ୍ୟରେ ମିଲର ଚାଉଳ ଦେଇପାରି ନ ଥିଲେ। ପରବର୍ତ୍ତୀ ଅବସ୍ଥାରେ ମିଲରଙ୍କୁ ଚାଉଳ ଫେରସ୍ତ ପାଇଁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିଲା। ମାତ୍ର ମିଲର ଚାଉଳ ଫେରାଇ ପାରି ନ ଥିଲେ। ଇତିମଧ୍ୟରେ ଯୋଗାଣ ନିଗମର ସ୍ୱତନ୍ତ୍ର ଅଡିଟ ହୋଇଥିଲା; ଯେଉଁଥିରେ ସଂପୃକ୍ତ ମିଲର ୩ କୋଟି ୨୩ ଲକ୍ଷ ୧୩ହଜାର ଟଙ୍କା ନିଗମ ଟଙ୍କା ବାଟମାରଣା କରିଥିବା ଜଣାପଡିଥିଲା। ମିଲରଙ୍କୁ ଦିଆଯାଇଥିବା ଧାନର ମୂଲ୍ୟ ସହିତ ଅଖା ମୂଲ୍ୟ ଓ ନିଗମ ଅର୍ଥର ସୁଦ୍ଧ ବାବଦକୁ ମିଶାଇ ଉପରୋକ୍ତ ଟଙ୍କା ମିଲରଙ୍କ ଠରୁ ଆଦାୟ କରିବାକୁ ଅଡିଟ କରୁଥିବା ସଂସ୍ଥା ସୁ।ରିଶ କରିଥିଲା। ଉକ୍ତ ଅଡିଟ ରିପୋର୍ଟକୁ ତର୍ଜମା କରି ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୨୪ ଜୁନରେ ଭଦ୍ରକ ଜିଲା ଯୋଗାଣ ଅଧିକାରୀଙ୍କୁ ରାଜ୍ୟ ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏଥିସହିତ ସଂପୃକ୍ତ ମିଲରୁ ଚାଉଳ ସଂଗ୍ରହ ଦାୟିତ୍ୱରେ ଥିବା ଅଫିସରଙ୍କୁ ମଧ୍ୟ ଉତ୍ତରଦାୟୀ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ତେବେ ୨୪ ଜୁନ ପରେ ଜୁଲାଇ ୧ରେ ନିଗମ ପକ୍ଷରୁ ଆଉ ଏକ ଚିଠି (ନଂ୧୦୯୨୩) ବାବଦରେ ଜିଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି ଯାହାର ନକଲ ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ଚିଠିରେ ଭାରତୀ ରାଇସ ମିଲ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂ ଥାନାରେ ଏତଲା ଦେବାକୁ କୁହାଯାଉଛି। ଏତଲା ପରେ କେସ ନଂ ଓ ଏତଲା କପି ନିଗମକୁ ଜଣାିବାକୁ କୁହାଯାଇଛି। ଏଥିସହ ସଂପୃକ୍ତ ମିଲରଙ୍କୁ ୩କୋଟି ୨୩ ଲକ୍ଷ ଟଙ୍କା ଫେରସ୍ତ ଲାଗି ଏକ ଡିମାଣ୍ଡ ନୋଟିସ ପଠାଇବାକୁ ମଧ୍ୟ କୁହାଯାଇଛି। ଏସବୁ ବାଦ ମିଲରଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି କେମିତି ନିଗମ ଆହରଣ କରିବ ସେଥିନେଇ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି। ନିଗମ ଟଙ୍କା ଯଦି ମିଲର ପଇଠ ନ କରନ୍ତି ତେବେ ସାର୍ଟିଫିକେଟ ମାମଲା ଦାୟର କରିବାକୁ କୁହାଯାଇଛି। ଏସବୁ ପଦକ୍ଷେପ ତୁରନ୍ତ ନେବାକୁ ନିଗମ ପକ୍ଷରୁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଆସିଛି। ଅପରପକ୍ଷେ ଜିଲା ଯୋଗାଣ ଅଧିକାରୀଙ୍କୁ ଏବାବଦରେ ଯୋଗାଯୋଗ କରାଯିବାରେ ସେ କୁହନ୍ତି; ଇତିମଧ୍ୟରେ ଆମେ ଭାରତୀ ରାଇସ ମିଲରେ ଗଚ୍ଛିତ ଧାନକୁ ନିଲାମ କରିସାରିଛୁ। ନିଲାମରୁ ଆଦାୟ ଅର୍ଥର ହିସାବ ଚାଲିଛି। ଯାହା ମିଳିବ ସେତକ ଅର୍ଥ ୩କୋଟି ୨୩ ଲକ୍ଷରୁ ବାଦ ଦେଇ ଅବଶିଷ୍ଟ ସଂପୃକ୍ତ ମିଲରଙ୍କ ଠାରୁ ଆଦାୟ ହେବ। ଏଥିସହିତ ମିଲରଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ପାଇଁ ଜିଲାପାଳଙ୍କ ସହିତ ଆଲୋଚନା ହୋଇଛି, ଖୁବଶୀଘ୍ର ନୀତିଗତ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲା ଯୋଗାଣ ଅଧିକାରୀ।

Leave a Reply

Your email address will not be published. Required fields are marked *