୩ କୋଟି ବ୍ୟୟରେ ନିର୍ମିତ ଆର୍ ଡି ରାସ୍ତା ଶୋଚନୀୟ, ନିର୍ମାଣ ର ୧ ବର୍ଷ ନପୁରୁଣୁ ଶତାଧିକ ସ୍ଥାନରୁ ଉଠିଲା ପିଚୁ

ବୌଦ୍ଧ, ୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ସରକାର ଗ୍ରାମାଞ୍ଚଳ ରେ ରହୁଥିବା ଲୋକ ମାନଙ୍କ ଗମନାଗମନ ର ସୁବିଧା ପ୍ରତି ପ୍ରାଥମିକତା ଦେଇ କୋଟି କୋଟି ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ମାତ୍ର କେତେକ ସ୍ଥଳରେ ବିଭାଗୀୟ କର୍ତୁପକ୍ଷ ଙ୍କ ଆନ୍ତରିକ ଇଛାଶକ୍ତିର ଅଭାବ ସହିତ ଠିକାଦାରଙ୍କ ଳାଭଖୋର ମନଭାବ ଓ ବେପାରୁଆ ନୀତି ଯୋଗୁଁ ଜନହିତକର ଯୋଜନା ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନରେ ନିର୍ମିତ ପ୍ରକଳ୍ପ ମୁଳ ଲକ୍ଷ୍ୟ ଠାରୁ ଦୁରେଇ ଯାଉଛି ଏହାର ନମୁନା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ସବୁଠାରୁ ପଛୁଆ ବ୍ଲକ କୁହାଯାଉଥିବା ହରଭଙ୍ଗା ବ୍ଲକ ରେ । ବ୍ଲକର ସଦର ମହକୁମା ଚାରିଛକ ଦେଇ ଯାଇଥିବା ଖୋର୍ଦ୍ଧା – ବଲାଙ୍ଗିର ଜାତୀୟ ରାଜପଥ ର ତେଇଶମାଇଲ ଠାରୁ କରଜଂକଟା ପର୍ଯ୍ୟନ୍ତ ୬ କିମି ନିତିଦିନିଆ ଚଲାପଥ ଉପରେ ନିର୍ଭର କରୁଥିବା କିଟାଙ୍ଗପଡା, ପାଟଦୁହୁଲି, ଗୁଣ୍ଡରିବିଡା, ଖୁଟପଡା, ତିଲିକପୁର ,ତିଲେଇମୁଣ୍ଡା, ବାହାଳି, ସୋରିଷପଙ୍କାଳ , କରଜଂକଟା , ହରିଡାବିଡା ଆଦି ୧୦ ଖଣ୍ଡ ଗ୍ରାମ ସହିତ ଆଖପାଖ ଅଂଚଳର ପ୍ରାୟ ୨ ହଜାରରୁ ଉର୍ଦ୍ଧ ଲୋକଙ୍କ ଯାତାୟତର ସୁବିଧା ପାଇଁ ସଂପ୍ରସାରଣ କରାଯାଇ ପିଚୁ ରାସ୍ତା କରାଯିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷରେ ୩ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯାଇଥିଲା । ହେଲେ ରାସ୍ତାର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ରାସ୍ତାକୁ ଲାଗି ରହିଥିବା ବହୁ ବଡ ବଡ ଗଛ ସବୁ ଥିବାରୁ ସେଗୁଡିକ କାଟିବା ପାଇଁ ସେ ସମୟରେ ବନ ବିଭାଗର କ୍ଲିଅରେନ୍ସ ମିଳିବାରେ ଅହେତୁକ ବିଳମ୍ବ ହେବାରୁ ଗତ ୧ ବର୍ଷ ତଳେ ରାସ୍ତା ନିର୍ମାଣ ସରିଥିଲା । ହେଲେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାର ୧ବର୍ଷ ନଯାଉଣୁ ରାସ୍ତାର ଶତାଧିକ ସ୍ଥାନରୁ ପିଚୁ ଓ ଗୋଡି ସବୁ ଉଠି ରାସ୍ତା ଏକ ପ୍ରକାର ଶୋଚନୀୟ ହୋଇପଡିଛି । ନବ ନିର୍ମିତ ରାସ୍ତାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଂଚଳବାସୀ ବାରମ୍ବାର ବିଭାଗୀୟ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରାଯାଉନଥିବାରୁ ସେମାନଙ୍କ ମଧ୍ୟରେ ପୁଂଜିଭୂତ ଅସନ୍ତୋଷ ଦେଖାଦେଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବାକଥା ହେଲା ଗୋଟିଏ ପଟେ ସଂପୃକ୍ତ ଠିକାଦାର ପିଚୁ କାମ ଆଗେଇ ନେଉଥିବା ବେଳେ ଅନ୍ୟପଟେ ନିମ୍ନ ମାନର କାମ ଯୋଗୁଁ ଏହି ନିର୍ମାଣ ହୋଇ ସାରିଥିବା ପିଚୁ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିବା ଦେଖାଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପିଚୁରାସ୍ତା ନିର୍ମାଣ କରିଥିବା ଠିକାଦାରଙ୍କ ସମେତ କାର୍ଯ୍ୟ ତତ୍ୱାବଧାନରେ ଥିବା କନିଷ୍ଠ ଯନ୍ତ୍ରୀ ଓ ତଦାରଖ ଦାଇତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ଉଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଆଦିବାସୀ ନେତା ତଥା ସମାଜସେବୀ ପ୍ରକାଶ ମଲିକ ଦାବୀ କରିଛନ୍ତି । ଏ ସଂର୍ମ୍ପକରେ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କ ମତାମତ ପାଇଁ ଯୋଗାଯୋଗ ହୋଇ ନପାରିବାରୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ରଜଂନ ନାୟକଙ୍କ ଦୃଷ୍ଟି ଆକର୍ଷଣ କରି ମତାମତ ମାଗିବାରୁ ମୁଁ ଦାଇତ୍ୱ ଗ୍ରହଣ କରିବା ପୁର୍ବରୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲା ତଥା ରାସ୍ତା ର ଅବସ୍ଥା ଖରାପ ହେବା ନେଇ କୌଣସି ନିର୍ଦ୍ଧିଷ୍ଟ ଅଭିଯୋଗ ମୋ ନଜରକୁ ଆସିନାହିଁ ଯଦି ସେଭଳି କିଛି ଅଭିଯୋଗ ହେଲେ ଆମେ ସେଠାକୁ ଯାଇ ରାସ୍ତାର ଅବସ୍ଥା ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *