୩୩୮ଜଣ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାରରେ ସମ୍ମାନିତ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) ଆଜି ଉପରାଷ୍ଟ୍ରପତି ଏମ୍ .ଭେଙ୍କେୟା ନାଇଡୁ ୩୩୮ଜଣ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଉପସ୍ଥିତ ଥିଲେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଆଜି ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୫ ଓ ୨୦୧୬ ମସିହା ପାଇଁ ୧୯୪ଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ। ୫୦୦ ଅବା ତଦୁର୍ଦ୍ଧ୍ୱ କର୍ମଚାରୀ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ର କମ୍ପାନୀର କର୍ମଚାରୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ମାଧ୍ୟମରେ ସେହିମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି ଯେଉଁମାନଙ୍କ ଉଲ୍ଲେଖନୀୟ ରେକର୍ଡ ପ୍ରଦର୍ଶନ, କର୍ତବ୍ୟ ପ୍ରତି ସମର୍ପିତ ଭାବ, ଉତ୍ପାଦନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଯୋଗଦାନ, ନିରାପତା, ଗୁଣାତ୍ମକ, ପ୍ରମାଣିତ ନବସୃଜନ ଦକ୍ଷତା, ସମ୍ବଳର ସଂରକ୍ଷଣ, ଉପସ୍ଥିତ ବୁଦ୍ଧି ଓ ଅଦ୍ୟମ ସାହାସ ଦେଖାଇଛନ୍ତି। ଏହି ପୁରସ୍କାର ମଧ୍ୟ ସେଭଳି କର୍ମଚାରୀଙ୍କୁ ଦିଆଯାଇଛି ଯେଉଁମାନେ କର୍ତବ୍ୟ ସମ୍ପାଦନ ସମୟରେ ନିଜର ଜୀବନକୁ ବଳି ଦେଇଛନ୍ତି।
ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ . ଭେଙ୍କେୟା ନାଇଡୁ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱ ଅର୍ଥବ୍ୟବସ୍ଥାର ଆଶା ଓ ଯାହାର ଚିତ୍ର ଉଭୟ ଆକର୍ଷକ ଓ ଜଟିଳ। କାରଣ ଆମର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ନାଇଡୁ କହିଥିଲେ ଯେ ଲକ୍ଷ ଲକ୍ଷ ମାନବ ସମ୍ବଳ ଦିନରାତି ପରିଶ୍ରମ କରି ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରୁଛନ୍ତି। ଏହା ହିଁ ହେଉଛି ‘ବାସ୍ତବ ଜିଡିପି’ର(ରିଏଲ୍ ଜିଡିପି) ଉତ୍ସବ। ଅର୍ଥାତ୍ ଯେଉଁମାନଙ୍କର ‘ଅଭିବୃଦ୍ଧି କରାଇବାର ଶକ୍ତି’(ଗ୍ରୋଥ ଡ୍ରାଇଭିଂ ପାୱାର) ରହିଛି ସେହି ‘ମହାନ ସମର୍ପିତ ବ୍ୟକ୍ତିମାନଙ୍କୁ’( ଗ୍ରେଟ୍ ଡେଡିକେଟେଡ୍ ୍ ପର୍ସନସ୍ ) ଆଜି ସମ୍ମାନିତ କରାଯାଉଛି। ଆଉ ଏହି ଦୁଇ ଜିଡିପି ହେଉଛି ‘ମୋଟ ଘରୋଇ ଉତ୍ପାଦ’(‘ଗ୍ରସ୍ ଡୋମେଷ୍ଟିକ ପ୍ରଡକ୍ଟ) ପାଇଁ ମହତ୍ୱପୂର୍ଣ୍ଣ, ଯେଉଁଥି ପ୍ରତି ଆମେ ଅବଗତ ରହିଛେ।
ସେହିପରି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱର ଏହି ଅବସରରେ ଶ୍ରମିକଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ନିମନ୍ତେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ସେ କହିଥିଲେ ଯେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ପ୍ରୟାସଗୁଡ଼ିକ ଯୋଗୁ ସିଧାସଳଖ ଭାରତର ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ସୁଫଳ ମିଳୁଛି। ଯାହାକି ପରୋକ୍ଷ ଭାବେ ପ୍ରାୟତଃ ସମଗ୍ର ଜନସଂଖ୍ୟା ଉପରେ ପଡ଼ୁଛି। ତାଙ୍କ ମନ୍ତ୍ରଣାଳୟ ଦ୍ୱାରା ଶ୍ରମ ସୁଧାରର ପ୍ରୟାସ ସମ୍ପର୍କରେ ସେ କହିଥିଲେ ଯେ ବିଶେଷକରି ସାମାଜିକ ସୁରକ୍ଷାକୁ ନେଇ ରହିଥିବା କୋଡ୍ ଯାହା ସମସ୍ତ କର୍ମଚାରୀଙ୍କୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବାର ପ୍ରସ୍ତାବ ରହିଛି। ତାଙ୍କ ମନ୍ତ୍ରଣାଳୟ ‘ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ’ର ସିଦ୍ଧାନ୍ତରେ କାର୍ଯ୍ୟ କରୁଛି।
ରାଷ୍ଟ୍ରାୟତ କ୍ଷେତ୍ରର କର୍ମଚାରୀଙ୍କୁ ୨୩୨ଟି ପୁରସ୍କାର ମିଳିଥିବାବେଳେ ୧୦୬ଟି ପୁରସ୍କାର ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ମିଳିଛି। ଆହୁରି ମଧ୍ୟ ମିଳିତ ଭାବେ କର୍ମଚାରୀଙ୍କ ଗୋଷ୍ଠୀକୁ ପୁରସ୍କାର ମିଳିଛି। ମୋଟ ୩୩୮ଟି ପୁରସ୍କାର ମଧ୍ୟରୁ ୨୦ଟି ମହିଳାଙ୍କୁ ମିଳିଥିବାବେଳେ ୨ଟି ମରଣୋତର ପୁରସ୍କାର ରହିଛି।
ଶ୍ରମ ରତ୍ନ ପୁରସ୍କାର ହେଉଛି ସର୍ବୋଚ୍ଚ ଶ୍ରମ ପୁରସ୍କାର। ଏହି ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଓ ଏକ ମାନପତ୍ର ୨୦୧୨ ମସିହାରେ ଉଦାହରଣଯୋଗ୍ୟ ଯୋଗଦାନ ପାଇଁ ଜାମସେଦ୍ ପୁର ଟାଟା ଷ୍ଟିଲ ଲିଃର ସୁବ୍ରତ କୁମାର, ଚାର୍ଜ ହ୍ୟାଣ୍ଡ(ଡିଜେଲ୍ )(ସ୍ପେଶାଲ ଗ୍ରେଡ୍ )ଙ୍କୁ ପ୍ରଦାନ କରାଯାଇଛି।
୨୦୧୧ରୁ ୨୦୧୬ ମସିହା ପାଇଁ ଶ୍ରମ ଭୂଷଣ ପୁରସ୍କାର ମୋଟ୍ ୪୬ଜଣଙ୍କ ମଧ୍ୟରୁ ୫ଜଣ ମହିଳା କର୍ମଚାରୀଙ୍କୁ ଦିଆଯାଇଛି। ପ୍ରତ୍ୟେକ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ନଗଦ ଓ ମାନପତ୍ର ପ୍ରଦାନ କରାଯାଇଛି।
ସେହିପରି ୨୦୧୧ରୁ ୨୦୧୬ ମସିହା ପାଇଁ ଶ୍ରମ ବୀର/ବୀରାଙ୍ଗନା ପୁରସ୍କାର ବର୍ଗରେ ୪ଜଣ ମହିଳା କର୍ମଚାରୀଙ୍କ ସମେତ ମୋଟ ୧୨୯ଜଣଙ୍କୁ ପୁରସ୍କୃତ କରାଯାଇଛି। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୬୦ହଜାର ଟଙ୍କା ନଗଦ ଓ ମାନପତ୍ର ଦିଆଯାଇଛି।
ସେହିପରି ୨୦୧୧ରୁ ୨୦୧୬ ମସିହା ପାଇଁ ଶ୍ରମ ଶ୍ରୀ/ଶ୍ରମ ଦେବୀ ପୁରସ୍କାର ବର୍ଗରେ ୧୧ଜଣ ମହିଳା କର୍ମଚାରୀଙ୍କ ସମେତ ମୋଟ ୧୬୨ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୪୦ହଜାର ଟଙ୍କା ନଗଦ ଓ ମାନପତ୍ର ପ୍ରଦାନ କରାଯାଛି।
ଏହି ଅବସରରେ ଶ୍ରମ ଓ ନିଯୁକ୍ତି ସଚିବ ଏମ୍ .ଶାଥିୟାଭାଥି, ଅତିରିକ୍ତ ସଚିବ ହୀରାଲାଲ ସମାରିୟା ଓ ଅର୍ଥନୀତିକ ପରାମର୍ଶଦାତା ଦେବେନ୍ଦର ସିଂହ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *