୩ଟି ମେଡିକାଲ କଲେଜର ୮୦୦ରୁ ଉର୍ଦ୍ଧ ପିଜି ଛାତ୍ରଛାତ୍ରୀ ଆନ୍ଦୋଳନ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରିଛି: ବିଜେପି

– ରାଜ୍ୟ ସରକାର ଶୋଇ ରହିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଆହୁରି ରସାତଳଗାମୀ ହୋଇଛି

ଭୁବନେଶ୍ୱର, ତା୨୭/୦୨ (ଓଡ଼ିଆ ପୁଅ): ରାଜ୍ୟରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଲାଣି। ନିରୀହ ଶିଶୁଠୁ ଆରମ୍ଭ କରି ଗର୍ଭବତୀ ମହିଳାମାନେ ନାନାଦି ହଇରାଣ ହେଉଛନ୍ତି। ଏପରିକି ଅକାଳ ମୃତ୍ୟୁବରଣ କରୁଛନ୍ତି। ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସାଧାରଣ ରୋଗୀ ସାମାନ୍ୟ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରାଥମିକ ଚିକିତ୍ସାଳୟଠୁ ଆରମ୍ଭ କରି ରାଜ୍ୟର ପ୍ରତିଷ୍ଠିତ କଟକ ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ସେବା ଠପ୍ ହୋଇଛି। ସେହିପରି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ, ନର୍ସଠୁ ଆରମ୍ଭ କରି ଡାକ୍ତରମାନେ ନିଜ ନ୍ୟାର୍ଯ୍ୟ ହକ୍ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଅନ୍ୟ ପଟେ ରାଜ୍ୟ ସରକାର ଶୋଇ ରହିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଆହୁରି ବିପର୍ଯ୍ୟସ୍ତ ହେଉଛି ବୋଲି ବିଜେପି ଅଭିଯୋଗ କରିଛି।

କଟକ, ବ୍ରହ୍ମପୁର ଏବଂ ବୁର୍ଲା ସରକାରୀ ମେଡିକାଲ କଲେଜର ୮୦୦ରୁ ଉର୍ଦ୍ଧ ପିଜି ଡାକ୍ତରୀ ଛାତ୍ର ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗତ ୯ ତାରିଖରୁ ଆନ୍ଦୋଳନ କରୁଛନ୍ତି। ଉକ୍ତ ୩ଟି ମେଡିକାଲ କଲେଜର କିଛି ପ୍ରଭାବଶାଳୀ ଡାକ୍ତର ଦୀର୍ଘ ଦିନ ଧରି ସେହି ଗୋଟିଏ ସ୍ଥାନରେ ଚାକିରୀ କରି ଆସିବା ସହ ନିଜ ନିଜ ବ୍ୟକ୍ତିଗତ ବ୍ୟବସାୟୀକ ନର୍ସିଂହୋମ ମାଧ୍ୟମରେ ବହୁ ଅର୍ଥ ଉପାର୍ଜନ କରୁଛନ୍ତି। ମେଡିକାଲ କଲେଜର ଅଧ୍ୟୟନରତ ଛାତ୍ରଛାତୀମାନଙ୍କୁ ଜୋର ଜବରଦସ୍ତ ଭାବେ ନିଜ ନର୍ସିଂହୋମରେ କାର୍ଯ୍ୟ କରାଉଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରିବା ସହ ଦିନକୁ ୧୬ ଘଂଟା କାମ କରାଉଛନ୍ତି। ଏପରି ନକଲେ ତାଙ୍କ ଭବିଷ୍ୟତ ଅନ୍ଧକାର କରିଦେବାକୁ ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି। ଏ ସମସ୍ତ ଅଭିଯୋଗ ଯଥାର୍ଥ ବୋଲି ଅଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି। ଆନ୍ଦୋଳନକାରୀ ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ ମେଡିକାଲ କର୍ତ୍ତୃପକ୍ଷ, ଡିନ, ପ୍ରିନ୍ସିପାଲଙ୍କଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ୱେ ବର୍ତ୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଶେଷରେ ନିରୁପାୟ ହୋଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏପରି ଏକକାଳୀନ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବାରେ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି କହିଛି।

ଏହି ଆନ୍ଦୋଳନ କାରଣରୁ ୩ଟି ମେଡିକାଲ କଲେଜର ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାରକୁ ନେବା ଆବଶ୍ୟକ। ତାହା ସହିତ ଏଭଳି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଜେପି ଦାବି ଜଣାଇଛି। ଯଦି ସରକାର ଠୋସ୍ ପଦକ୍ଷପ ଗ୍ରହଣ ନକରନ୍ତି ତେବେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ ବୋଲି ବିଜେପି ଚେତାବନୀ ଦେଇଛି।

ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କଟକ ସ୍ଥିତ ଏସସିବି ମେଡିକାଲ କଲେଜଠାରେ ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଭେଟିଥିଲେ। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ପୂର୍ବତନ ସରକାରୀ ଉପ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ପଣ୍ଡା, ଯୁବମୋର୍ଚ୍ଚା ଜାତୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ, ବରିଷ୍ଠ ନେତା ପୃଥ୍ୱୀରାଜ କୁଅଁର, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *