୨ ଶହରୁ ଉର୍ଦ୍ଧ୍ୱ ପାଚିକା ଓ ସହାୟିକା ବାଦ୍ ପଡିବେ, ଗାଇଡ୍ ଲାଇନ୍ ବାହାରେ ନିଯୁକ୍ତି

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରୁ ୨ ଶହରୁ ଉଦ୍ଧ୍ୱର୍ସିସିଏଚ୍ (ପାଚିକା / ସହାୟିକା) ବାଦ୍ ପଡିବେ। ଆବଶ୍ୟକତା ଠାରୁ ଅଧିକ ଏବଂ ଏମ୍ଡିଏମ୍ ଗାଇଡ୍ ଲାଇନ୍ ବାହାରେ ନିଯୁକ୍ତି ପାଇଥିବା ପାଚିକାମାନଙ୍କୁ ନିଯୁକ୍ତି ହରାଇବାକୁ ପଡିବ। ସ୍କୁଲ ପରିଚାଳନା କମିଟି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅନୁପସ୍ଥିତିରେ ମଧ୍ୟାହ୍ନ ଭୋଜନ ପରିଚାଳିତ ହେଉଥିବା ବିଦ୍ୟାଳୟ ଗୁଡିକରେ ଏହି ବ୍ୟବସ୍ଥା ଲାଗୁ ହେବ। ରାଜ୍ୟ ଏମ୍ଡିଏମ୍ ନୋଡାଲ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ଖୁବ୍ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲାରେ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ପାଚିକା ନିଯୁକ୍ତି ହରାଇବା ସୁନିଶ୍ଚିତ ହୋଇଛି। ଚଳିତବର୍ଷ ଠାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ କାର୍ଯ୍ୟ କରୁଥିବା ପାଚିକାଙ୍କ ପାରିଶ୍ରମିକ ୧ ହଜାରରୁ ୧୪ ଶହ ଟଙ୍କାକୁ ବୃଦ୍ଧି କରାଯିବା ପରେ ବ୍ୟବସ୍ଥାରେ ଏହି କଟକଣା ଲାଗିଛି। ରାଜ୍ୟ ଏମ୍ଡିଏମ୍ ନୋଡାଲ ଅଫିସରଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ ବିଭିନ୍ନ ବ୍ଲକ୍ ଏବଂ ପୌରାଞ୍ଚଳ ପାଇଁ ନିଯୁକ୍ତ ବିଇଓମାନେ ସିଆରସିସିମାନଙ୍କ ଜରିଆରେ ଆବଶ୍ୟକତା ଠାରୁ ଅଧିକ ଏବଂ ଗାଇଲ୍ ଲାଇନ୍ ବାହାରେ ନିଯୁକ୍ତି ପାଇଥିବା ପାଚିକାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭଦ୍ରକ ଜିଲାରେ ପ୍ରକୃତ ପକ୍ଷେ କେତେ ପାଚିକାକୁ କାର୍ଯ୍ୟରୁ ଅନ୍ତର କରାଯିବ ତାହାର ଚୂଡାନ୍ତ ତାଲିକା ପ୍ରକାଶ ପାଇନଥିଲେ ମଧ୍ୟ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ଭଦ୍ରକ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଭଦ୍ରକ ବ୍ଲକ୍ରେ ୩୦ ଟି ସ୍କୁଲରେ ୩୦ ଜଣ ଏବଂ ଭଦ୍ରକ ପୌରପାଳିକାରେ ଥିବା ୬ ଟି ସ୍କୁଲରେ ୯ ଜଣ ପାଚିକାଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏ ସଂପର୍କରେ ସଂପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିଙ୍କୁ ଜଣାଇ ଦିଆଯାଇଥିବା ଜଣାପଡିଛି। ତେବେ ଜିଲାର ଅନ୍ୟାନ୍ୟ ବ୍ଲକ୍ ଏବଂ ପୌରପାଳିକାରେ ଏହି ପ୍ରକ୍ରିୟା ଅଦ୍ୟାବଧି ଚୂଡାନ୍ତ ହୋଇନଥିବା ଯୋଗୁଁ ଭଦ୍ରକ ଜିଲାରେ ପ୍ରକୃତ ପକ୍ଷେ କେତେ ପାଚିକା ସେମାନଙ୍କ ଜୀବିକା ହରାଇବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଜିଲାରେ ଅନ୍ୟୁନ ପକ୍ଷେ ୨ ଶହରୁ ଉର୍ଦ୍ଧ୍ୱ ପାଚିକା ସେମାନଙ୍କ ଜୀବିକା ହରାଇବା ନିଶ୍ଚିତ ମନେ କରାଯାଉଛି। ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲାରେ ଏବେ ପ୍ରାୟ ୪ ହଜାର ୫ ଶହ ପାଚିକା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥି ସକାଶେ ସରକାରଙ୍କୁ ମାସିକ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ ପ୍ରତି ୨୫ ଜଣ ପିଲାଙ୍କ ସକାଶେ ଜଣେ ପାଚିକା ହିସାବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥାନ ଅନୁଯାୟୀ ପାଚିକା ନିଯୁକ୍ତି ପାଇଛନ୍ତି। ତେବେ ଉପସ୍ଥାନରେ ଆଧାର ସଂଯୋଗ ଯୋଗୁଁ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତୀ ଉପସ୍ଥାନ ହ୍ରାସ ପାଇଛି। ଫଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ପାଚିକାଙ୍କ ସଂଖ୍ୟା ହ୍ରାସ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଛି।

Leave a Reply

Your email address will not be published. Required fields are marked *