୨୮ରୁ ଅଚଳ ହେବ ଧାମରା ବନ୍ଦର ଧାରଣାରେ ବସିବେ ଇଂଜିନିୟର୍ସ ସଂଘ

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମରା ବନ୍ଦରରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ଇଂଜିିନୟର୍ସଙ୍କୁ ବନ୍ଦର କର୍ତ୍ତୃପକ୍ଷ ବହୁ ପ୍ରକାରର ନିର୍ଯାତନା ଦେଇ ଚାଲିଛି। କଣ୍ଟ୍ରାକ୍ଟର ଅଧିନରେ ନିଯୁକ୍ତି ଦେଇ ବାରମ୍ବାର କଣ୍ଟ୍ରାକ୍ଟର ପରିବର୍ତ୍ତନ କରାଇ ସେମାନଙ୍କ ଚାକିରୀକୁ ସ୍ଥାୟୀ କରାଇ ଦେଉ ନାହାନ୍ତି। ବିଶେଷ କରି କମ୍ପାନୀର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏଫଏଲ୍ସ୍ମିଥ୍ ଓ ରାନ୍ଷ୍ଟାଡ ନାମକ କଣ୍ଟ୍ରାକ୍ଟରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଇଂଜିନିୟର ଓ କର୍ମଚାରୀ ବହୁ ଅଧିକ ନିର୍ଯାତନାର ଶିକାର ହୋଇ ଚାଲିଛନ୍ତି। ଅଭିଯୋଗ କଲେ ଚାକିରୀ ପରିତ୍ୟାଗ କରିବାକୁ ଧମକ ଦିଆ ଯାଉଛି। କମ୍ପାନୀ କର୍ତ୍ତୃପକ୍ଷ କିଛି ଠିକାଦାରଙ୍କ ଠାରୁ ଫାଇଦା ହାସଲ କରି ସେମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ କିଛି କଣ୍ଟ୍ରାକ୍ଟରଙ୍କ ଅଧିନର କର୍ମଚାରୀଙ୍କୁ ଶୋଷଣ କରୁଛି। ଯାହାକୁ ନେଇ ଇଂଜିନିୟର୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଧାମରା ପୋର୍ଟ ଇଂଜିନିୟର୍ସ ଆଣ୍ଡ ଏମ୍ପ୍ଲୋଇଜ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ଶାନ୍ତନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂପାଦକ ତୀବ୍ରତ ବେହେରା ବନ୍ଦରରେ ଚାଲିଥିବା ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ସମସ୍ୟା ସଂପର୍କରେ ବୈଠକରେ ପ୍ରକାଶ କରିଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବା ପରେ ସଂଘ ତରଫରୁ ସଂଘ ସହିତ ଜଡିତ ଥିବା ଇଂଜିନିୟର ଓ କର୍ମଚାରୀ ଆସନ୍ତା ୨୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସିଦ୍ଧାନ୍ତ ଗ୍ରହଣ କରିଥିଲେ। ଏ ନେଇ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଲେବର କମିଶନର, ଡେପୁଟି ଲେବର କମିଶନର, ଜିଲ୍ଳାପାଳ, ଏସପି, ଜିଲ୍ଲା ଶ୍ରମ ଅଧିକାରୀ, ବିଏମଏସ ରାଜ୍ୟ ଓ ଜିଲ୍ଲା ସମ୍ପାଦକଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦେବକାନ୍ତ ପରିଡା, ସନ୍ତୋଷ କୁମାର ସାହୁ, ସମୀୟ କୁମାର ମିଶ୍ର, ସତ୍ୟ ଶୋଭନ ମଲ୍ଲିକ, ସୁଧିର ରଞ୍ଜନ ପଟ୍ଟନାୟକ, ଜୟନ୍ତ କୁମାର ପ୍ରଧାନ, ରୂପକ କୁମାର ନାୟକ, ଜନ୍ମେଜୟ ସାହୁ, ଅମ୍ରିତ ଆନନ୍ଦ ସିଂ, ଦୁଷ୍ମନ୍ତ ବରାଳ, ସନ୍ତୋଷ ଦାସ, ରଶ୍ମିରଞ୍ଜନ ସାହୁ, ମୁକ୍ତିକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *