୨୭ରୁ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆସନ୍ତା ୨୭ତାରିଖରୁ ପୁରୀ ଜିଲ୍ଲାରେ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ୨୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ବର୍ଷକରୁ ୧୫ବର୍ଷ ମଧ୍ୟରେ ଥିବା ୪ଲକ୍ଷ ୬୦ହଜାର ୪୬୯ଜଣଙ୍କୁ ଟିକା ଦିଆଯିବ। ଏଥିଲାଗି ୫ଲକ୍ଷ ୬ହଜାର ୪୨୭ଟି ଡୋଜ୍ ଇଞ୍ଜେକ୍ସନ୍ ବ୍ୟବସ୍ଥା କରାଯାଇଛି। ଏଥିରେ ୩୫୬ଜଣ କର୍ମଚାରୀ ଓ ୩୬୮ଜଣ ସୁଇପର ସୁପରଭାଇଜରଙ୍କୁ ନିଯୁକ୍ତି କରାଯିବାକୁ ସ୍ଥିର ହୋଇଛି। ଏନେଇଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସମ୍ମେଳନ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ସୂଚନା ମିଳିଥିଲା ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି ଟିକା ଦିଆଯିବ। ଏହାପରେ ଘର ଘର ବୁଲି ବାକି ରହିଥିବା ପିଲାମାନଙ୍କୁ ଏହି ଟିକା ଦିଆଯିବ।ଏଥିପାଇଁ ଫୋନ୍ ନମ୍ବର- ୨୨୨୧୨୪ରେ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବାକୁ ବୈଠକ ସ୍ଥିର ହୋଇଥିଲା। ବେଠକରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ, ଉପମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବ୍ରଜବନ୍ଧୁ ଦାସ, ଡଃ. ପିତାମ୍ବର ମାଝୀ, ଡଃ. ପିତାମ୍ବର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ, ଚନ୍ଦ୍ରକାନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇ ଆଲୋଚନା ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *