୨୬ରେ କନ୍ଧମାଳ ଲିଟରେଚର ଫେଷ୍ଟିଭାଲ

ଭୁବନେଶ୍ୱର, ୭।୧୧(ଓଡ଼ିଆ ପୁଅ): କଳିଙ୍ଗ ଲିଟେରେଚର୍ ଫେଷ୍ଟିଭାଲ୍ ଏବଂ ଓଡିଶା ଡାଏରୀ ଫାଉଣ୍ଡେସନ ଦ୍ୱାରା କନ୍ଧମାଳ ପ୍ରୋଗ୍ରେସିଭ୍ ଫୋରମ୍ର ମିଳିତ ସହଯୋଗରେ ପ୍ରକୃତି, ସଂସ୍କୃତି ଓ ସାହିତ୍ୟର ସଂଯୋଗୀକରଣକୁ ନେଇ ଆସନ୍ତା ନଭେମ୍ବର ୨୬ ତାରିଖରେ ଫୁଲବାଣୀ ଠାରେ ଆୟୋଜିତ ହେବାକୁଯାଉଛି ‘କନ୍ଧମାଳ ଲିଟେରେଚର୍ ଫେଷ୍ଟିଭାଲ୍’। ଓଡିଶା ଡାଏରୀ ଫାଉଣ୍ଡେସନ, କଳିଙ୍ଗ ଲିଟେରେଚର୍ ଫେଷ୍ଟିଭାଲ୍ ଅଭିଯାନ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ସାହିତ୍ୟ ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ସୁସଜ୍ଜିତ କନ୍ଧମାଳ ନିଜର ସାଂସ୍କୃତିକ ବିଭବ ଏବଂ ସାଧାରଣ ଜୀବନ ଶୈଳୀ ତଥା ସୁମଧୁର ବ୍ୟବହାରକୁ ନେଇ ବେଶ୍ ପରିଚିତ। ଜଣେ କବି, ଭାବୁକ, ସାହିତ୍ୟିକ ତଥା ଲେଖକ ପାଇଁ ପ୍ରାଚୀନ ଗୁଣବତ୍ତା ଏଠାରେ ଗଚ୍ଛିତ ହୋଇ ରହିଛି। ଓଡିଶାର ସ୍ୱନାମଧନ୍ୟ ପ୍ରଖ୍ୟାତ ବ୍ୟକ୍ତିବିଶେଷ ପ୍ରଫେସର ବିଭୂତି ପଟ୍ଟନାୟକ, ଜୟନ୍ତ ମହାପାତ୍ର, ଫନି ମହାନ୍ତି, ପଦ୍ମଶ୍ରୀ ହଳଧର ନାଗ, ସଦାନନ୍ଦ ତ୍ରିପାଠୀ, ପରେଶ ପଟ୍ଟନାୟକ, ଚିରଶ୍ରୀ ଇନ୍ଦ୍ର ସିଂହ, ହିରଣ୍ମମୟୀ ମିଶ୍ର, ଭୀମ ପୃଷ୍ଟି, ସୁଚେତା ମିଶ୍ର, ଅଜୟ ସ୍ୱାଇଁ, ପ୍ରଜ୍ଞାଶ୍ରୀ ରଥ, ସୂର୍ଯ୍ୟ ମିଶ୍ର, ବିପିନ ନାୟକ, ବିରେନ୍ଦ୍ର କୁମାର ଦାସ, ସ୍ୱୟଂପ୍ରକାଶ, ସ୍ୱପ୍ନା ମିଶ୍ର, ଗାୟତ୍ରୀବାଳା ପଣ୍ଡା, ଅମୀୟ ମହାପାତ୍ର, କେଦାର ମିଶ୍ର, ଚନ୍ଦ୍ରଶେଖର ହୋତା, ମୁକୁଳ ମିଶ୍ର, ପବିତ୍ର ମୋହନ ଦାସ, ଡକ୍ଟର ଈଶ୍ୱର ଚନ୍ଦ୍ର ନାଏକ, ସ୍ୱାଗତିକା ସ୍ୱାଇଁ, ସରୋଜ ବଳ, ପ୍ରତୀକ୍ଷା ଜେନା, ବାଦଲ ମହାନ୍ତି ପ୍ରମୁଖ କନ୍ଧମାଳ ଲିଟେରେଚର୍ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।

ପ୍ରକୃତିର ଅବଦାନ ହେଉଛି କନ୍ଧମାଳ। ସଭିଙ୍କ ସାଧନାର ପ୍ରୋତ୍ସାହନ। କନ୍ଧମାଳ ସହିତ ଜଡିତ ଓଡିଆ ସାହିତ୍ୟର ଇତିହାସକୁ ଆମେ ଏହା ମାଧ୍ୟମରେ ଖୋଜିବାକୁ ପ୍ରୟାସ କରିଛୁ ଏବଂ କନ୍ଧମାଳର ଉନ୍ନତ କଳା ଓ ସଂସ୍କୃତିକୁ ନେଇ ଏକ ଉତ୍ସବ ପାଳନ କରିବାକୁ ଯାଉଛୁ ବୋଲି ଆୟୋଜକ ତଥା କନ୍ଧମାଳ ଲିଟେରେଚର୍ ଫେଷ୍ଟିଭାଲ୍ର ପ୍ରତିଷ୍ଠାତା ବରେନ୍ଦ୍ର କୁମାର କହିଛନ୍ତି। କଳିଙ୍ଗ ଲିଟେରାରି ଫେଷ୍ଟିଭାଲର ନିର୍ଦେଶକ ତଥା ପ୍ରତିଷ୍ଠାତା ରଶ୍ମିରଞ୍ଜନ ପରିଡା କହିଛନ୍ତି ଯେ ଏପରି କାର୍ଯ୍ୟକ୍ରମ ଦ୍ୱାରା ଓଡିଆ ସାହିତ୍ୟକୁ ଦେଶ ବିଦେଶରେ ପରିଚିତ କରିବାର ଏକ ମାଧ୍ୟମ ସୃଷ୍ଟି ହେଉଛି। କନ୍ଧମାଳ ଲିଟେରାରି ଫେଷ୍ଟିଭାଲ ପ୍ରତିବର୍ଷ ଆୟୋଜନ କରିବାର ଯୋଜନା ରହିଛି ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *