ଓଡ଼ିଶା

୨୫ ଓଡିଆ ଯୁବକଙ୍କୁ ଗୁଜୁରାତରେ ନିର୍ଯାତନା

ପୁରୀ:୨୦/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗୁଜୁରାତ ଏକ ଚାଇନାପ୍ଲେଟ ତିଆରି କାରଖାନାରେ ୨୫ଓଡିଆ ଯୁବକଙ୍କ ନିର୍ଯାତନା ଦିଆଯାଉଛି। ୮ଦିନ ହେଲା ସେମାନଙ୍କୁ ଖାଇବାକୁ ଦିଆଯାଇ ନାହିଁ। ଘରକୁ ଫେରିବାକୁ ଚାହୁଁଥିବା ଯୁବକଙ୍କୁ ବନ୍ଦୀ କରି ରଖାଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଚନ୍ଦନପୁର ଥାନା କୁରୁଣ୍ଟି ଗ୍ରାମର ବାବୁଲି ସେଠୀ ଓ ପ୍ରକାଶ ପ୍ରଧାନ ଗୁରୁବାର ଜିଲ୍ଲା ଶ୍ରମ ଅଧିକାରୀ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି। ନିର୍ଯାତିତ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ନାବାଳକ ବୋଲି ଜଣାପଡିଛି। ଅମି ସାହୁ ନାମକ ଜଣେ ଠିକାଦାର ୨ମାସ ତଳେ ପୁରୀ ସଦର, ବ୍ରହ୍ମଗିରି, କଣାସ, ପିପିଲି ବ୍ଲକରୁ ପ୍ରାୟ ୪୦ଜଣ ଯୁବକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୁଜୁରାଟ ନେଇଥିଲେ। ଖାଇବା ରହିବା ବ୍ୟବସ୍ଥା ସହ ମାସକୁ ୧୦ହଜାର ଟଙ୍କା ଦରମା ଦେବାକୁ ସେ ପ୍ରତିଶ୍ରୁତି ଦେଇଥିବା ବାବୁଲି ଅଭିଯୋଗ କରିଛନ୍ତି। ଅହମ୍ମଦାବାଦଠାରୁ ପ୍ରାୟ ୨ଶହ କି.ମି ଦୂର ବେଲାରୋଡ୍ର ଏକ ଘରୋଇ କମ୍ପାନୀରେ ସେମାନଙ୍କୁ ରଖାଯାଇଛି। ଠିକ୍ ଭାବେ ଖାଇବାକୁ ନଦେଇ ଦିନକୁ ୧୫ରୁ ୨୦ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ପ୍ରତିବାଦ କରୁଥିବା ଶ୍ରମିକଙ୍କୁ ଗୁଣ୍ଡା ଲଗାଇ ମାଡ ଦିଆଯାଉଥିବା ଅଭିଯୋଗପତ୍ରରେ କୁହାଯାଇଛି। ଜଣେ ଯୁବକ ଏ ସମ୍ପର୍କରେ ଟେଲିଫୋନ କରି ଜଣାଇବା ପରେ ପରିବାର ଲୋକେ ବିବ୍ରତ ହୋଇପଡିଛନ୍ତି। ଠିକାଦାରଙ୍କ ସହ ଯୋଗାଯୋଗ କଲେ ମଧ୍ୟ ସେ ଧରାଛୁଆଁ ଦେଉନାହାନ୍ତି। ତେଣୁ ଗୁଜୁରାଟରେ ଅଟକଥିବା ୨୫ଜଣ ଓଡିଆ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ବାବୁଲି ସେଠୀ, ପ୍ରକାଶ ପ୍ରଧାନ, ଜଟାଧାରୀ ପ୍ରଧାନ, ଛଇଳ ପ୍ରଧାନ, ବିନୋଦ ସେଠୀ, ତ୍ରିନାଥ ମଲିକ, ପୂର୍ଣ୍ଣ ପ୍ରଧାନ ଅନୁରୋଧ କରିଛନ୍ତି। ଏସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ଅହମ୍ମଦବାଦ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି। ଶ୍ରମ ଠିକାଦାରଙ୍କ ଲାଇସେନ୍ସ ଅଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top