୨୪ ଘଂଟାରେ ଜିଲାରେ ୧୭୪୦ ମିମି ବର୍ଷା

କୋରାପୁଟ ; ତା ୨୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ୨୪ ଘଂଟାରେ କୋରାପୁଟ ଜିଲାରେ ହାରାହାରି ୧୭୩୯.୪ ମିମି ବର୍ଷା ହୋଇଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସୂଚନା ଅନୁଯାୟୀ, ୨୪ ଘଂଟା ମଧ୍ୟରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୨୨୦ ମିମି ବର୍ଷା ହୋଇଥିବାବେଲେ ବନ୍ଧୁଗାଁରେ ସବୁଠାରୁ କମ୍ ମାତ୍ର ୨୭ ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୧୮୮ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୧୭୯, ପଟ୍ଟାଙ୍ଗିରେ୯୪, ନନ୍ଦପୁରରେ ୧୪୩.୪, ଦଶମନ୍ତପୁରରେ ୧୪୮, ନାରାୟଣପାଟଣାରେ ୩୪.୪, ଲକ୍ଷ୍ମୀପୁରରେ ୬୦, ସେମିଲିଗୁଡାରେ ୧୮୭, ଜୟପୁରରେ ୧୩୮, କୋଟପାଡରେ ୧୨୬, କୁନ୍ଦୁରାରେ ୧୦୫ ଏବଂ ବୋରିଗୁମାରେ ୯୩.୬ ମିମି ବର୍ଷା ହୋଇଥିବା ଜଣା ପଡିଛି। ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ଭଣ୍ଡାରର ଜଳ ପତନ ବୃଦ୍ଧି ପାଇଥିବାରୁ ଶୁକ୍ରବାର ୪ଟି ଗେଟ୍ ଖୋଲା ଯାଇଥିବାବେଳେ ଶନିବାର ଗୋଟିଏ ଗେଟ୍ ବନ୍ଦ କରା ଯାଇ ତିନୋଟି ଗେଟ୍ରେ ବର୍ଷାଜଳ ଛଡା ଯାଉଛି। ସେହିପରି କୋଲାବ ଜଳ ଭଣ୍ଡାରର ଜଳ ପତନ ଗୋଟିଏ ଦିନରେ ଦେଢ ମିଟର ବୃଦ୍ଧି ପାଇଥିବା ଜଣା ପଡିଛି। ଜିଲା ଜରୁରୀ କାଳୀନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ବ୍ଲକରେ ୨୫ଟି ଘର ଭାଙ୍ଗିଥିବାବେଳେ କୌଣସି ଅଂଚଳରେ ଧନ ଜୀବନ କ୍ଷୟ କ୍ଷତିର ସୂଚନା ନଥିବା ଜଣା ପଡିଛି। ତେବେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ-ରାୟଗଡା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ଧାରଣାରେ ବର୍ଷା ଜଳ ପ୍ରବାହିତ ହେବାରୁ ଭୁବନେଶ୍ୱରରୁ ଜଗଦଲପୁର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡା ଜିଲାର ଭାଲୁମାସ୍କା ଷ୍ଟେସନ ନିକଟରେ ଅଟକି ରହିଥିବାବେଳେ କୋରାପୁଟ-ବିଶାଖାପାଟଣା ଡିଏମୟୁ ଓ ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଟିକିରି ଷ୍ଟେସନରେ ଅଟକି ରହିଥିଲା। ଜଳସ୍ତର କମିବା ପରେ ହୀରାଖଣ୍ଡ ୪ଘଂଟା ବିଳମ୍ବରେ କୋରାପୁଟରେ ପହଂଚିଥିଲା। ତେବେ ଆଜି ହୀରାଖଣ୍ଡ ଜଗଦଲପୁର ନଯାଇ କୋରାପୁଟରୁ ଭୁବନେଶ୍ୱର ଅଭିମୁଖେ ବାହାରଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *