୨୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ:୧୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଚଳିତମାସ ୨୩ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା, ବାହୁଡା, ହରିଶୟନ ଏକାଦଶୀ, ସୁନାବେଶ ଓ ନିଳାଦ୍ରୀବିଜେ ନୀତିନିର୍ଘଣ୍ଟ ଏହି ବୈଠକରେ ଅନୁମୋଦନ କରାଯିବ। ଏତଦ୍ ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଥିବାରୁ ପରିଚାଳନା କମିଟିରେ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ରେକର୍ଡ ରୁମରୁ ମିଳିଥିବା ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ସେଥିରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ପ୍ରସ୍ତାବ ଦେବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲାରେ ମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିବାକୁ ରବିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଛି। ସତ୍ୟପାଠର ରୂପରେଖ କଣ ହେବ ସେଥିନେଇ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବ। ଗୋବର୍ଦ୍ଧନ ପୀଠକୁ ୫ଏକର ଜମି ଫେରାଇବା ପାଇଁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯିବ କି ନାହିଁ ସେଥିପାଇଁ ସ୍ପଷ୍ଟ ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *