ଓଡ଼ିଶା

୨୨ରେ ଉଦ୍ଘାଟିତ ହେବ ଝାରସୁଗୁଡ଼ା ବିମାନବନ୍ଦର : ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବ ଶୂନ୍ୟରେ ଝୁଲୁଛି

ସମ୍ବଲପୁର, ୧୨/୯ (ଓଡ଼ିଆ ପୁଅ) – ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦରର ଉଦ୍ଘାଟନ କରାଯିବ। ଏହି ଦିନ ଝାରସୁଗୁଡ଼ା-ରାଞ୍ଚି ବିମାନ ଚଳାଚଳ ମଧ୍ୟ ଆରମ୍ଭ କରିବ। ତେବେ ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣର ପ୍ରସ୍ତାବ ଝୁଲି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ବହୁ ଆଗରୁ କେନ୍ଦ୍ରକୁ ଅନୁରୋଧ ପତ୍ର ପଠାଇଛନ୍ତି। ତଥାପି ଏ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ବିମାନବନ୍ଦରଟି ବୀର ସୁରେନ୍ଦ୍ରଙ୍କ ନାମରେ ନାମିତ ହୋଇ ଉଦ୍ଘାଟିତ ହୋଇଥିଲେ ସମସ୍ତଙ୍କୁ ଏହା ଆନନ୍ଦିତ କରିଥାନ୍ତା। କିନ୍ତୁ ବିନା ନାମକରଣରେ ଉଦ୍ଘାଟନ ସମସ୍ତଙ୍କ ମନରେ ଖଟ୍କା ସୃଷ୍ଟି କରିଛି। ଗତ ଜୁଲାଇ ୨୫ ଏବଂ ୨୬ରେ ଯଥାକ୍ରମେ ରାଜ୍ୟସଭାରେ ଓ ଲୋକସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଡା. ପ୍ରଭାସ ସିଂହ ଏ ବିମାନବନ୍ଦରର ନାମକରଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଉଭୟ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ ଯେ, ବିମାନବନ୍ଦରର ନାମକରଣ ପାଇଁ ବିଧାନସଭାରେ ସଂକଳ୍ପ ପାରିତ କରି ବିଧିବଦ୍ଧ ଭାବରେ ମନ୍ତ୍ରାଳୟ ନିକଟରେ ପ୍ରସ୍ତାବ ଦେବା କଥା। ମାତ୍ର ୟା’ମଧ୍ୟରେ ବେଶ କିଛି ଦିନ ଗଡ଼ିଯାଇଥିଲେ ମଧ୍ୟ ବିଧାନସଭାରେ ସଂକଳ୍ପ ଆସିପାରିଲା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖରେ ନୂଆଦିଲ୍ଲୀରୁ ବାହାରି ସିଧାସଳଖ ଝାରସୁଗୁଡ଼ାରେ ପହଞ୍ଚି ବିମାନବନ୍ଦରର ଉଦ୍ଘାଟନ କରି ଏକ ସାଧାରଣ ସଭାରେ ଉଦବୋଧନ ଦେଲା ପରେ ବାୟୁସେନାର ଏକ ହେଲିକେପ୍ଟର ଯୋଗେ ତାଳଚେରକୁ ଯାଇ ସେଠାରେ ସାର କାରଖାନାର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଠାରେ ଜନସଭାକୁ ସମ୍ବୋଧିତ କଲାପରେ ଝାରସୁଗୁଡ଼ାକୁ ଫେରିଆସି ନବ ଉଦ୍ଘାଟିତ ବିମାନବନ୍ଦରରୁ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀକୁ ଫେରିଯିବେ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୧୭୫ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୫୦ କୋଟି ଟଙ୍କାରେ ଝାରସୁଗୁଡ଼ା ବିମାନବନ୍ଦରର ପୁନର୍ବିନ୍ୟାସ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top