୨୨ତମ ବିଶୋଧନ ଓ ପେଟ୍ରୋରସାୟନ ପ୍ରଯୁକ୍ତି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

– ଏଲଏନଜି କ୍ଷେତ୍ରରେ ଜାପାନ ବିନିଯୋଗ କରିବ ୧୦ ବିଲିୟନ ଡଲାର ପୁଞ୍ଜି
– କ୍ରମବର୍ଦ୍ଧିଷ୍ଣୁ ଇନ୍ଧନ ଚାହିଦା ମେଂଟାଇବା ପାଇଁ ପ୍ରତି ବର୍ଷ ୨୦ ନିୟୁତ ଟନ ବିଶୋଧନ କ୍ଷମତା ବଢ଼ାଇବାକୁ ପଡିବ
– ୨୦୨୫ ସୁଦ୍ଧା ଆମର ଇନ୍ଧନ ବ୍ୟବହାର ବିଶ୍ୱର ମୋଟ ବ୍ୟବହାରର ୯ ରୁ ୧୦ ପ୍ରତିଶତ ହେବ
– ବ୍ରାଉନ ଫିଲ୍ଡ କ୍ଷେତ୍ରରେ ୧୨୦ ନିୟୁତ ଟନ, ଗ୍ରୀନ ଫିଲ୍ଡ କ୍ଷେତ୍ରରେ ୬୯ ନିୟୁତ ଟନ ବିଶୋଧନ କ୍ଷମତା ସୃଷ୍ଟି ହେବ
– କୃତ୍ରିମ ଜ୍ଞାନ, ରୋବଟିକ୍ସ, ଇଲେକ୍ଟି୍ରକ ଯାନ, ଡିଜିଟାଲ ଜ୍ଞାନକୌଶଳ ତୈଳ ଓ ବାଷ୍ପ ସେକ୍ଟର ପାଇଁ ବଡ ଆହ୍ୱାନ
– ୨୦୪୦ ସୁଦ୍ଧା ଭାରତ ଜ୍ଞାନକୌଶଳରେ ବିଶ୍ୱର ଶ୍ରେଷ୍ଠ ନବସୃଜନକାରୀ ରାଷ୍ଟ୍ର ହେବ

ଭୁବନେଶ୍ୱର ୧୩-୧ (ଓଡ଼ିଆ ପୁଅ) ଦେଶରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ଉନ୍ମୁକ୍ତ କରାଯିବା ପରେ ଏ କ୍ଷେତ୍ରରେ ଏବେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ୩୦୦ ନିୟୁତ ଡଲାର ଏବଂ ଏଲଏନଜି ସେକ୍ଟରରେ ଜାପାନ ପ୍ରାୟ ୧୦ ବିଲିୟନ ଡଲାର ପୁଞ୍ଜି ବିନିଯୋଗ କରିବାକୁ ଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ଭୁବନେଶ୍ୱରରେ ଆୟୋଜିତ ୨୨ତମ ବିଶୋଧନ ଓ ପେଟ୍ରୋରସାୟନ ପ୍ରଯୁକ୍ତି ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ଏବେ ବିଶ୍ୱର ଅନ୍ୟତମ ବୃହତ ତୈଳ ବିଶୋଧନକାରୀ ଏବଂ ବିଶ୍ୱର ତୃତୀୟ ବୃହତମ ଶକ୍ତି ବ୍ୟବହାରକାରୀ ରାଷ୍ଟ୍ର। ଦେଶର କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୫ ସୁଦ୍ଧା ଆମର ଇନ୍ଧନ ବ୍ୟବହାର ବିଶ୍ୱର ମୋଟ ବ୍ୟବହାରର ୯ ରୁ ୧୦ ପ୍ରତିଶତ ମଧ୍ୟରେ ରହିବ। ତେଣୁ ଦେଶର ତୈଳ ବିଶୋଧନ କ୍ଷମତା ବଢ଼ାଇବାକୁ ପଡିବ।

ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶରେ ଏବେ ମୋଟ ୨୩ଟି ରାଷ୍ଟ୍ରାୟତ ଓ ଘରୋଇ ବିଶୋଧନ କାରଖାନାରେ ଦୈନିକ ପ୍ରାୟ ୫ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ବିଶୋଧନ କରାଯାଉଛି। କ୍ରମବର୍ଦ୍ଧିଷ୍ଣୁ ଇନ୍ଧନ ଚାହିଦାକୁ ମେଂଟାଇବା ପାଇଁ ପ୍ରତି ବର୍ଷ ୨୦ ନିୟୁତ ଟନ ବିଶୋଧନ କ୍ଷମତା ବଢ଼ାଇବାକୁ ପଡିବ। ଏହା ହେଲେ ଆଗାମୀ ୨୦୪୦ ସୁଦ୍ଧା ଆମର ନିର୍ଦ୍ଧାରିତ ଲକ୍ଷ ଅନୁଯାୟୀ ତୈଳ ବିଶୋଧନ କ୍ଷମତା ଉଭୟ ରାଷ୍ଟ୍ରାୟତ ଓ ଘରୋଇ କ୍ଷେତ୍ରରେ ସାମଗ୍ରିକ ଭାବେ ୬୬୭ ନୟୁତ ଟନକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଶ୍ରୀ ପ୍ରଧାନ କହିଲେ ଯେ, ବ୍ରାଉନ ଫିଲ୍ଡ କ୍ଷେତ୍ରରେ ୧୨୦ ନିୟୁତ ଟନ ଏବଂ ଗ୍ରୀନ ଫିଲ୍ଡ କ୍ଷେତ୍ରରେ ୬୯ ନିୟୁତ ଟନ କ୍ଷମତାର ବିଶୋଧନ ପ୍ଲାଂଟ ମାନ ନିର୍ମିତ ହେବାକୁ ଯାଉଛି। ଖୁବଶୀଘ୍ର ୱେଷ୍ଟକୋଷ୍ଟରେ ୬୦ ନିୟୁତ ଟନ ଏବଂ ରାଜସ୍ଥାନରେ ୯ ନିୟୁତ ଟନର ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହେବ। ବର୍ତମାନ ଆମର ବାର୍ଷିକ କ୍ଷମତା ୨୪୭.୬ ନିୟୁତ ଟନ ଥିବାବେଳେ ଆଗାମୀ ବର୍ଷ ଗୁଡିକରେ ଏହା ଆହୁରି ବଢ଼ି ବଢ଼ି ଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ରାଷ୍ଟ୍ରାୟତ ଓ ଘରୋଇ ବିଶୋଧନାଗାର ଗୁଡିକ ମଧ୍ୟରେ ଗଠନାତ୍ମକ ଉତ୍ପାଦନ ପ୍ରତିଯୋଗିତା ହେଲେ ଦେଶର ହାଇଡ୍ରୋକାର୍ବନ ସେକ୍ଟର ଅଧିକ ବିକଶିତ ହେବ। ଯଦିଓ କୃତ୍ରିମ ଜ୍ଞାନ, ରୋବଟିକ୍ସ, ଇଲେକ୍ଟି୍ରକ ଯାନ ଏବଂ ଡିଜିଟାଲ ଜ୍ଞାନକୌଶଳ ଏହି ସେକ୍ଟର ପାଇଁ ବଡ ଆହ୍ୱାନ, ତଥାପି ମାନବୀୟ ବୁଦ୍ଧି ଓ ପ୍ରଜ୍ଞା, ଅଧ୍ୟବ୍ୟସାୟ, ଉନ୍ନତ ମାନବ ସମ୍ବଳ, ନବସୃଜନର କୌଣସି ବିକଳ୍ପ ବର୍ତମାନ ପାଇଁ ଦୃଷ୍ଟିଗୋଚର ହେଉନାହିଁ। ବିଶ୍ୱରେ ଇଲେଟ୍ରିକ ଯାନବାହନ ଓ ଅନାନ୍ୟ ସୂତ୍ରରୁ ଶକ୍ତି ଆବଶ୍ୟକତା ପୂରଣ ହେବା ପରେ ମଧ୍ୟ ଦେଶରେ ଆହୁରି ୨୫୦ ରୁ ୩୦୦ ନିୟୁତ ମେଟ୍ରିକ ଟନ ବିଶୋଧନ କ୍ଷମତା ବଢାଇବାର ଆବଶ୍ୟକତା ରହିଛି। ଭାରତର ଉନ୍ନତ ମାନବ ସମ୍ବଳ ଏବେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। କେବଳ ପାଶ୍ଚାତ୍ୟ ଜଗତ ନୁହଁ ବରଂ ଗଲ୍ଫ କୋପରେସନ କାଉନସିଲ ଅନ୍ତର୍ଗତ ତୈଳ ଉତ୍ପାଦନକାରୀ ଆରବ ରାଷ୍ଟ୍ରମାନଙ୍କରେ ଆମର ମାନବ ସମ୍ବଳ ବେଶ ପ୍ରସିଦ୍ଧି ଲାଭ କରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଗାମୀ ୨୦୪୦ ସୁଦ୍ଧା ଭାରତକୁ ଜ୍ଞାନକୌଶଳରେ ବିଶ୍ୱର ଶ୍ରେଷ୍ଠ ନବସୃଜନକାରୀ ରାଷ୍ଟ୍ର ରୂପେ ଗଢ଼ିବାକୁ ପଡିବ। ସେହିପରି ଆମର ଉତମ କାର୍ଯ୍ୟପଦ୍ଧତିକୁ ବିଶ୍ୱ ଆଗରେ ଭଲ ଭାବେ ଉପସ୍ଥାପନ କରିବାକୁ ପଡିବ। ଉତମ କାର୍ଯ୍ୟପଦ୍ଧତି ଏବଂ ଆଧୁନିକ ବିଶୋଧନ ଜ୍ଞାନକୌଶଳ ଦ୍ୱାରା ଭାରତରେ ସ୍ୱଚ୍ଛ ଜାଳେଣୀର ବ୍ୟବହାରକୁ ବଢ଼ାଇବାକୁ ପଡିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନ ଅନୁଯାୟୀ ଦେଶରେ ଅଙ୍ଗାରକାମ୍ଳ ଉତ୍ସର୍ଜନ ପରିମାଣକୁ ବେଶ କମାଇବାକୁ ପଡିବ। ଏଣୁ ୨୦୨୦ ସୁଦ୍ଧା ଦେଶରେ ବିଏସ-୬ ସ୍ତରର ଇନ୍ଧନ ବ୍ୟବହାର ଆରମ୍ଭ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ସୂଚନା ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ସରକାର ଓଡିଶା ସମେତ ସମ୍ପୂର୍ଣ୍ଣ ପୂର୍ବ ଭାରତକୁ ବିକାଶ ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବା ପାଇଁ ପ୍ରୟାସ କରୁଛନ୍ତି। ଓଡିଶାକୁ ହାଇଡ୍ରୋକାର୍ବନ ଶିଳ୍ପର ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିରେ ବିଶୋଧନ କ୍ଷମତା ବୃଦ୍ଧି ସହ ବିଶୋଧନାଗାର ସହ ଜଡିତ ହାଇଡ୍ରୋକାର୍ବନ କ୍ଷେତ୍ରରେ ଡାଉନ ଷ୍ଟ୍ରିମ ଶିଳ୍ପର ଦୃତ ବିକାଶର ସମ୍ଭାବନା ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମଗ୍ର ବିଶ୍ୱରେ ଜ୍ଞାନକୌଶଳର ନୂଆ ଯୁଗ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି ତିନିଦିନିଆ ବିଶୋଧନ ଓ ପେଟ୍ରୋରସାୟନ ପ୍ରଯୁକ୍ତି ସମ୍ମିଳନୀ ଦେଶର ତୈଳ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଓଡିଶା ତାଙ୍କର ନିଜ ରାଜ୍ୟ ହୋଇଥିବାବେଳେ ସମଗ୍ର ବିଶ୍ୱର ବିଶୋଧନ ଓ ପେଟ୍ରୋରସାୟନ ଶିଳ୍ପର ପ୍ରତିଷ୍ଠିତ ସଂସ୍ଥାମାନଙ୍କ ଉପସ୍ଥିତି ଓଡିଶାରେ ଥିବା ଅପାର ସମ୍ଭାବନା ଓ ବ୍ୟବସାୟିକ ପରିବେଶର ସ୍ଥିତିକୁ ସୁଦୃଢ଼ କରିବ। ଓଡିଶାରେ ଗତ ୨ ବର୍ଷ ତଳେ ୧୫ ନିୟୁତ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ପାରାଦ୍ୱୀପ ତୈଳ ବିଶୋଧନାଗାର ସହ ଜଡିତ ହାଇଡ୍ରୋକାର୍ବନ ଶିଳ୍ପର ବିକାଶ ଓଡିଶାର ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ସହ ଓଡିଆ ଯୁବକଙ୍କୁ ରୋଜଗାର ସୁଯୋଗ ଓ ସେମାନଙ୍କୁ ଉଦ୍ୟୋଗୀ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଏହି ସମ୍ମିଳନୀର ପ୍ରଥମ ଦିବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଉନ୍ନତ ତୈଳ ବିଶୋଧନ ଜ୍ଞାନକୌଶଳର ବିକାଶ ଏବଂ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁରସ୍କାରମାନ ପ୍ରଦାନ କରିଥିଲେ। ଉନ୍ନତ ତୈଳ ବିଶୋଧନ କ୍ଷମତାର ବିକାଶ କ୍ଷେତ୍ରରେ ଭାରତ ତୈଳ ନିଗମର ମୁମ୍ବାଇ ବିଶୋଧନାଗାର ପ୍ରଥମ, ଭାରତୀୟ ତୈଳ ନିଗମର ମଥୁରା ରିଫାଇନାରୀ ଦ୍ୱିତୀୟ ଏବଂ ଭାରତୀୟ ତୈଳ ନିଗମର ବଙ୍ଗାଇଗାଓଁ ବିଶୋଧନାଗାର ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି ନବସୃଜନ କ୍ଷେତ୍ରରେ ଶ୍ରେଷ୍ଠ ସ୍ୱଦେଶୀ ଜ୍ଞାନକୌଶଳ ବିକାଶ ପାଇଁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନକୁ ୨ଟି ପୁରସ୍କାର ମିଳିଥିବା ବେଳେ ତୈଳ ବିଶୋଧନ କ୍ଷେତ୍ରରେ ସର୍ବୋତମ ନବସୃଜନ କୌଶଳ ପାଇଁ ବିପିସିଏଲର ମୁମ୍ବାଇ ବିଶୋଧନାଗାରକୁ ଗୋଟିଏ ପୁରସ୍କାର ଏବଂ ରିଲାଏନ୍ସ ତୈଳ ବିଶୋଧନାଗାରକୁ ଚତୁର୍ଥ ପୁରସ୍କାର ମିଳିଛି। ୨୦୧୬-୧୭ ବର୍ଷ ପାଇଁ ଏହି ପୁରସ୍କାର ମାନ ଦିଆଯାଇଛି। ଏହି ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଦେଶ ବିଦେଶରୁ ୮୦୦ ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ତିନିଦିନ ଧରି ବିଭିନ୍ନ ବୈଷୟିକ ଅଧିବେଶନରେ ହାଇଡ୍ରୋକାର୍ବନ କ୍ଷେତ୍ର, ତୈଳ ବିଶୋଧନ ଏବଂ ନୂତନ ପ୍ରଯୁକ୍ତି କୌଶଳର ବିକାଶ ତଥା ପ୍ରୟୋଗ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହେବା ସହ ଅନେକ ସନ୍ଦର୍ଭ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *