୨୦.୬୯ ଲକ୍ଷ ନିର୍ମାଣ-ଶ୍ରମିକ ପଞ୍ଜୀକୃତ

ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକଙ୍କ ପରିବାରଙ୍କୁ ପଞ୍ଜୀକୃତ କରାଯିବ। –

ପଞ୍ଜୀକୃତ ଶ୍ରମିକ ମାନଙ୍କୁ ଦିଆ ଯାଉଥିବା ସହାୟତାର ଆଧାର ଭିତ୍ତିକ ତଥ୍ୟ ପ୍ରସ୍ତୁତ ହେବ। ଯୋଜନା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ସହ ସ୍ୱତନ୍ତ୍ର କ୍ୟାମ୍ପ୍ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।

 

ଭୁବନେଶ୍ୱର, ୨୦-୧୦-୧୭ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦.୬୯ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରମ ଏବଂ ଇ.ଏସ୍.ଆଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଲୋଚନା ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ନିର୍ମାଣ ଶ୍ରମିକ ମଙ୍ଗଳ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼‘କ୍ୟାମ୍ପ୍ ମୋଡ୍ଦ ରେ ପଞ୍ଜୀକରଣ କାର୍ଯ୍ୟକୁ ଅଧିକ ସହଜ ଓ ସୁଗମ କରିବା ସହ ସ୍ଥାନାନ୍ତର ଗମନ କରି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ପଞ୍ଜୀକରଣ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରମିକ ପଂଜୀକରଣ ଏବଂ ବିଭିନ୍ନ ସୁବିଧା ସୁଯୋଗ ବଣ୍ଟନର ଏକ ଜି.ଆଇ.ଏସ୍ ଭିତ୍ତିକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ। ପଞ୍ଜୀକରଣ ଏବଂ ସୁବିଧା ସୁଯୋଗ ବଣ୍ଟନ ପ୍ରକ୍ରିୟାରେ ମଧ୍ୟସ୍ଥ ଲୋକ ଯେପରି ଶ୍ରମିକ ମାନଙ୍କୁ ଶୋଷଣ ନକରନ୍ତି ସେ ଦିଗରେ ପ୍ରତିରୋଧ ମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ସୁବିଧା ସୁଯୋଗ ମଞ୍ଜୁରୀ କ୍ଷମତା ଜିଲ୍ଲାପାଳ, ସହକାରୀ ଶ୍ରମ ଅଧିକାରୀ ଏବଂ ବିଡିଓଙ୍କ ପର୍ଯ୍ୟନ୍ତ ବିକେନ୍ଦ୍ରୀକରଣ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଯୋଜନା ବିଷୟରେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କ୍ୟାମ୍ପ୍ ଆୟୋଜନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା ବାହାର ରାଜ୍ୟର ଯେଉଁ ସ୍ଥାନ ମାନଙ୍କରେ ବେଶି ଓଡ଼ିଆ ନିର୍ମାଣ ଶ୍ରମିକ କାମ କରୁଛନ୍ତି ସେସବୁ ସ୍ଥାନରେ ‘ହେଲ୍ପ୍ ଡେକ୍ସ୍ଦ ପ୍ରତିଷ୍ଠା କରିବା ସହ ସେଠାରେ ଶ୍ରମିକ ମାନଙ୍କୁ ଚିହ୍ନଟ କରି ଓଡ଼ିଶାରେ ରହୁଥିବା ତାଙ୍କର ପରିବାରଙ୍କୁ ପଞ୍ଜୀକରଣ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା। ନିର୍ମାଣ ଶ୍ରମିକ ପିଲାମାନଙ୍କ ନିମନ୍ତେ ଋୁତୁ-କାଳୀନ ଛାତ୍ରାବାସ ନିର୍ମାଣ ଏବଂ ସହରାଞ୍ଚଳରେ ନିର୍ମାଣ-ଶ୍ରମିକ ମାନଙ୍କ ପାଇଁ ଭଡାଘର କମ୍ପ୍ଲେକ୍ସ୍ (ରେଣ୍ଟଡ୍ ହାଉସିଂ କମ୍ପ୍ଲେକ୍ସ୍ ) ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଶ୍ରମ କମିଶନର ଶ୍ରୀ ସଚ୍ଚିନ ଯାଦବ ଜଣାଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ଯୋଜନାରେ ୪୪୦.୨୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ଚଳିତ ଆଥିର୍କ ବର୍ଷରେ ପ୍ରାୟ ୫୦୦ କୋଟି ଟଙ୍କାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଯିବାର ପ୍ରାବଧାନ କରାଯାଇଛି। ସୂଚନା ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏହି ପାଣ୍ଠିରେ ପ୍ରାୟ ୧୨୭୫ କୋଟି ଟଙ୍କା ସଂଗ୍ରହ କରାଯାଇଛି ଏବଂ ଏହାର ବିନିଯୋଗରେ ଯୋଗ୍ୟ ବିବେଚିତ ଶ୍ରମିକ ମାନଙ୍କୁ ଶିକ୍ଷା, ବିବାହ, ମାତୃତ୍ୱ, ଯନ୍ତ୍ରପାତି ଓ ସରଞ୍ଜାମ କ୍ରୟ, ସାଇକେଲ୍, ଦୁର୍ଘଟଣାଜନିତ ଚିକିସିା, ସ୍ୱାସ୍ଥ୍ୟ ସହାୟତା, ମୃତ୍ୟୁକାଳୀନ ସହାୟତା, କୌଶଳ ବିକାଶ ତାଲିମ, ପକ୍କାଘର ନିର୍ମାଣ ପାଇଁ ସହାୟତା, ଶ୍ରମିକ ସନ୍ତାନ ସନ୍ତତି ମାନଙ୍କର ଆଇ.ଟି.ଆଇ ଓ ଡିପ୍ଲୋମା ଶିକ୍ଷା ପାଇଁ ସହାୟତା ଆଦି ୧୭ ଟି ବିଭିନ୍ନ ପ୍ରକାର ସହାୟତା ଦିଆଯାଉଛି ବୋଲି ଶ୍ରୀ ଯାଦବ ଜଣାଇଥିଲେ। ନଭେମ୍ବର ମାସ ଶେଷସୁଦ୍ଧା ରାଜ୍ୟର ୩୨ ଟି ଶ୍ରମ ଜିଲ୍ଲା ମାନଙ୍କରେ ୧୧୮ ଟି ସଚେତନତା, ପଞ୍ଜିକରଣ ଏବଂ ସହାୟତା ପ୍ରଦାନ କ୍ୟାମ୍ପ୍ ଆୟୋଜନ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଏହାଛଡା ଚଳିତ ଆଥିର୍କ ବର୍ଷ ମଧ୍ୟରେ ଅଧିକ ୧୦, ୦୦୦ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଯୋଜନାରେ ଆଇ.ଏ.ପି. ଜିଲ୍ଲାରେ ଘର ପିଛା ୧.୩ ଲକ୍ଷ ଏବଂ ଅଣ-ଆଇ.ଏପି. ଜିଲ୍ଲାରେ ଘର ପିଛା ୧.୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୮୭୦୦ ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସହରାଞ୍ଚଳର‘ଆଶ୍ରୟଦ ଯୋଜନା ମାଧ୍ୟମରେ ଭଡାଘର କମ୍ପ୍ଲେକ୍ସ୍ ନିର୍ମାଣ ପ୍ରକଳ୍ପ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ଟି ସହରାଞ୍ଚଳରେ ୨୧ ଟି ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ପାରାଦ୍ୱୀପ, ଢେ଼ଙ୍କାନାଳ, ବ୍ୟାସନଗର, ଝାରସୁଗୁଡା ଆଦି ସହର ଏଥିରେ ସାମିଲ ହୋଇଛନ୍ତି। ପର୍ଯ୍ୟାୟକ୍ରମେ ୪୫ ଟି ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍, ଶ୍ରମ ଓ ଇ.ଏସ୍.ଆଇ. ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶ୍ରମ କମିଶନର ଶ୍ରୀ ସଚ୍ଚିନ ଯାଦବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *