୨୦ ବର୍ଷ ପରେ ଘରମୁହାଁ ହେଲା ପୁତ୍ର

ଭଦ୍ରକ,୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  – ୨୦ବର୍ଷ ପରେ ପୁଅର ମନେପଡିଛି ବାପା ମାଆ ଆଉ ଗାଁର କଥା  । ତାହା ପୁଣି ନବ ବିବାହିତା ପତ୍ନୀର ପରାମର୍ଶ ଯୋଗୁ । ଏଭଳି ଘଟଣା ଏହି ବ୍ଲକର ତେସିଙ୍ଗା ଗ୍ରାମର ବୃନ୍ଦାବନ ନାୟକଙ୍କ ପରିବାରକୁ ଯେତିକି ଆନନ୍ଦ ପ୍ରଦାନ କରିଛି ତାହାଠୁ ଅଧିକ ଖୁସି ଆଣିଦେଇଛି ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀଙ୍କୁ । ଅଧୀକାଂଶ ବୋହୂ ବିବାହପରେ ପୁଅମାନଙ୍କୁ ବାବା ମାଆଙ୍କ ଠାରୁ ଦୂରେଇ ଦେବାକୁ ସକ୍ଷମ ହୋଇ ପୃଥକ କରିଦେଉଥିବାବେଳେ ନବବିବାହିତା ଏହି ଗୁଜୁରାଟୀ ଯୁବତୀ ନିଜ ସ୍ୱାମୀଙ୍କୁ ସୁଦୂର ଓଡିଶାର ତେସିଙ୍ଗା ଗ୍ରାମକୁ ଆଣି ନିଜ ପରିବାର ଓ ବାପା ମାଆଙ୍କ ସହ ମିଳାଇଛନ୍ତି । ମିଳିଥିବା ବିବରଣୀରୁ ପ୍ରକାଶ ଯେ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ଗ୍ରାମର ବୃନ୍ଦାବନ ନାୟକଙ୍କ ପୁଅ ଅଭୟ ୨୦ ବର୍ଷ ତଳେ ମାତ୍ର ୧୫ବର୍ଷ ବୟସର ହୋଇଥିବାବେଳେ ରୋଜଗାର କରିବାର ଇଚ୍ଛାରେ ଘର ଛାଡି ଗୁଜୁରାଟ ପଳାଇଥିଲେ । ତେବେ ଅଭୟ ନାବାଳକ ହୋଇଥିବା କାରଣରୁ ତାଙ୍କୁ କୌଣସି ଠାରେ ଚାକିରି ମିଳିନଥିଲା । ଲୁଚାଛପାରେ କାମକରି କେବଳ ଖାଇବା ଆଉ ରହିବା ବ୍ୟବସ୍ଥାକୁ ଆଦରି ନେଇଥିଲେ ଅଭୟ । ହେଲେ ରାଜକୋଟରେ ଜନୈକ ବୃଦ୍ଧା ନନ୍ଦୁବା ଜାଡେଜା ତାଙ୍କୁ ଘରେ ଆଶ୍ରୟ ଦେଇ ନିଜର ପୁଅପରି ପାଳିଥିଲେ । ନନ୍ଦୁବାଙ୍କର ଦୁଇଟି ଛୋଟ ପୁଅ ଥିବାରୁ ଅଭୟ ସେମାନଙ୍କର ଯତ୍ନ ମଧ୍ୟ ନେଉଥିଲା । ଗତ ପ୍ରାୟ ଛଅମାସ ତଳେ ରାଜକୋଟର ସେହି ଗୁଜୁରାଟୀ ନନ୍ଦୁବା ଜାଡେଜା ସେଠାରେ ଅଭୟଙ୍କ ବିବାହ ଜାନଗରର ଯଶୋଦା ସୋଲାଙ୍କିଙ୍କ ଝିଅ ପୂଜା ସହ କରାଇଦେଇଥିଲେ । ଅଭୟ ବିବାହ କରିବାପରେ ତାଙ୍କ ପାଳିତ ପରିବାରର ଦୁଇଭାଇଙ୍କ ସହ ଛୋଟମୋଟ ବିବାଦ ହୋଇଥିଲା । ଫଳରେ ନବବିବାହିତା ପତ୍ନୀ ପୂଜା ଅଭୟଙ୍କ ମୂଳ ପରିଚୟ ଓ ଠିକଣା ଜାଣିବାକୁ ପାଇଥିଲେ । ଇତିମଧ୍ୟରେ ଦୀର୍ଘ ବର୍ଷର ବ୍ୟବଧାନ ଯୋଗୁ ଅଭୟ ନିଜ ପରିବାର ସହ ସଂପର୍କ ରଖିନଥିବା ଓ ଘରର ଠିକଣା ଓ ନିଜ ମାତୃଭାଷା ଓଡିଆ ଭୁଲିଯାଇଥିଲେ । ତେବେ ନବବଧୂ ପୂଜା ସୋଲାଙ୍କି ଅଭୟଙ୍କ ଠାରୁ ନିଜ ଗାଁ ଓ ଭଦ୍ରକର ଠିକଣା ଶୁଣି ଅନ୍ୟମାନଙ୍କ ସହାୟତାରେ ନେଟ ଯୋଗେ ଆସିବା ବ୍ୟବସ୍ଥା ନିରୂପଣ କରି ପ୍ରଥମେ ପୁରୀରେ ପହଞ୍ଚି ପରେ ଭଦ୍ରକ ଆସିଥିଲେ ଓ ତେସିଙ୍ଗା ଆସିବାକୁ ସକ୍ଷମ ହୋଇଥିଲେ ବୋଲି  ଗାଁରେ ପହଞ୍ଚି ଅଭୟ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିଛନ୍ତି । ଅଭୟଙ୍କ ଫେରିବା ଖବର ଶୁଣି ଗତ ଦୁଇଦିନ ଧରି ତାଙ୍କ ଘରକୁ ବନ୍ଧୁବାନ୍ଧବ, ଗ୍ରାମବାସୀ, ପଡୋଶୀ ଗ୍ରାମବାସୀ ଓ ବାଲ୍ୟବନ୍ଧୁଙ୍କ ଧାଡି ଛୁଟିଛି । ଏହି ଘଟଣା ଗାଁ ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *