୨୦୨୫ ସୁଦ୍ଧା ରାଜ୍ୟ ସଂମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ ହେବ

ପୁରୀ, ୨୪/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବିଭିନ୍ନ କାର୍ଯ୍ୟଶ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀରେ ପାଳିତ ହୋଇଛି ବିଶ୍ୱ ଯକ୍ଷ୍ମାଦିବସ। ଏହି ଅବସରରେ ପୁର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରାର ଆଯୋଜନ କରାଯାଇଥିଲା।ଟାଉନଥାନା ସମ୍ମୁଖରେ ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାମନ୍ତରାୟ ରାଲିକୁ ସବୁଜ ପତାକା ହଲାଇ ଅନୁଷ୍ଠନିକ ଭାବେ ଉଦ୍ ଘାଟନ କରିଥିଲେ। ବିଭିନ୍ନ ସ୍ଲୋଗାନ୍ ଲେଖାଥିବା ପ୍ଲାକାର୍ଡଧରି ଏ.ଏନ୍.ଏମ୍ ସେଟଂରରେ ଅନ୍ତେବାସୀମାନେ ଏହିରାଲିରେ ସାମିଲ୍ ହୋଇଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ସଂଜୁ ଦାସ, ଠାକ୍ତର ହରିଶ୍ଚନ୍ଦ୍ର ପଣ୍ଡିତ, ଡି.ପି.ଏମ୍ ଟି. ନାରାୟଣ ରାଓ ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ରାଲି ଶେଷ ହୋଇଥିଲା। ଏହି ପରିପେକ୍ଷୀରେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ଯକ୍ଷ୍ମାରୋଗ ଅଧିକାରୀ ସଂଜୟ ଦାସ ସ୍ୱାଗତ ଭାଷଣ ଦେବାସହ ଜିଲ୍ଲା ଯକ୍ଷ୍ମାରୋଗର ସ୍ଥିତି ସଂମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବାମଦେବ ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ଯେ, ନିୟମିତ ଔଷଧରେ ଯକ୍ଷ୍ମାରୋଗ ସଂପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ଯକ୍ଷ୍ମା ରୋଗୀଙ୍କୁ ମୁକ୍ତ ଔଷଧ ସେବନ କରାଇବାରେ ଅଙ୍ଗନୱାଡୀ ଓ ଆଶାକର୍ମୀଙ୍କର ଗୁରୁ ଦାୟିତ୍ୱ ରହିଛି। ଦୁଇ ସପ୍ତାହ ଧରି କାଶ ହେବା, ଓଜନ କମିବା ଏହା ଯକ୍ଷ୍ମାରୋଗର ମୂଳଲକ୍ଷଣ।ଉଚିତ୍ ସମୟରେ କଫ ପରୀକ୍ଷା କରାଇ ରୋଗ ନିରୁପଣ ଓ ସହ ନିୟମିତ ଚିକିତ୍ସାରେ ରହିଲେ ଜଣେ ଏହି ରୋଗରୁ ମୁକ୍ତ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଉଦ୍ଧବ ଚନ୍ଦ୍ର ମାଝି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ, ଯକ୍ଷ୍ମାରୋଗ ସଂମ୍ପର୍କରେ ପ୍ରତ୍ୟେକ ସଚେତନ ହେବା ଆବଶ୍ୟକ। ଠିକ୍ ସମୟରେ ଏହି ରୋଗକୁ ଚିହ୍ନଟ କରି ଏହି ରୋଗର ଚିକିତ୍ସା କଲେ ଏହା ଆରୋଗ୍ୟସାଧ୍ୟ। ସରକାର ଏଥିପାଇଁ ଅନେକ ଚିକିତ୍ସା ଯୋଜନା ପ୍ରଣୟନ କରିଛନ୍ତି। ନିୟମିତ ଔଷଧ ସେବନ କଲେ ଆମେ ଯକ୍ଷ୍ମାରୋଗରୁ ମୁକ୍ତ ହୋଇପାରିବା ବୋଲି ସେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *