୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବ : ମହାଶ୍ୱେତା ରାୟ

– ବିଜେପିରେ ଯୋଗ ଦେଲେ ବର୍ଷିୟାନ ଅଭିନେତ୍ରୀ ମହାଶ୍ୱେତା ରାୟ
– ମହାଶ୍ୱେତା ରାୟଙ୍କ ଯୋଗଦାନ ପାର୍ଟିକୁ ସୁଦୃଢ କରିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ତା ୧୨/୦୨ (ଓଡ଼ିଆ ପୁଅ) : ରାଜ୍ୟରେ ସମସ୍ତ ମା’, ଭଉଣୀ ଏବଂ ଶିଶୁ ସୁରକ୍ଷିତ ରହିବେ। ପାନୀୟ ଜଳ ପାଇଁ ଦୂର ବାଟକୁ ଯିବା ପରିବର୍ତେ ପାଇପ ଦ୍ୱାରା ପାଣି ଘରେ ଘରେ ପହଂଚିବ। ଗାଁ ଗାଁ ରେ ବିଜୁଳି ପହଂଚିବ। ଗର୍ଭବତୀ ମହିଳା ଆମ୍ବୁଲାନ୍ସ ଅଭାବରୁ ରାସ୍ତାକଡରେ ପ୍ରସବ କରିବେନି। ସ୍ତ୍ରୀର ଶବକୁ ସ୍ୱାମୀ କାନେ୍ଧଇ ନେବନି। ନ୍ୟାୟ ନପାଇ କୌଣସି ମହିଳା ଆତ୍ମହତ୍ୟା କରିବେନି। ସମସ୍ତ ଗାଁ କୁ ପକ୍କା ରାସ୍ତା ଥିବ। ସମସ୍ତଙ୍କୁ ଶିକ୍ଷା ଏବଂ ନାରୀମାନଙ୍କୁ ସୁରକ୍ଷା ଦେବା ସହ ରାଜ୍ୟର ସମୂହ ବିକାଶ ହେବ। ଏଭଳି ଏକ ବିକଶିତ ଓ ନୂତନ ଓଡିଶାର ସ୍ୱପ୍ନ ଦେଖିଛି। ଏହି ସ୍ୱପ୍ନକୁ କେବଳ ଭାରତୀୟ ଜନତା ପାର୍ଟୀ ହିଁ ସମ୍ଭବ କରିପାରିବ। ଏଭଳି ଦୃଢ ଆସ୍ଥା ପ୍ରକଟ କରି ବିଜେପିରେ ଯୋଗ ଦେଇଛି ବୋଲି ବର୍ଷିୟାନ ଓଡିଆ ଅଭିନେତ୍ରୀ ଶ୍ରୀମତି ମହାଶ୍ୱେତା ରାୟ କହିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ବିଜେପିର ଉତରୀୟ ଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ କରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିବା ପରେ ଶ୍ରୀମତୀ ରାୟ କହିଛନ୍ତି ଯେ, ରାଜନୀତିରେ ପାଦ ଦେବା ସହଜ କଥାନୁହେଁ। ରାଜନୀତି କରିବା ପାଇଁ କଠିନ ପରିଶ୍ରମ ସହ ଦାୟୀତ୍ୱବୋଧ ରହିବା ଦରକାର। ବିଜେପି ଦଳ ସବୁବେଳେ ପ୍ରଗତି ପଥରେ ଆଗେଇ ଚାଲିଛି। ଆଗାମୀ ୨୦୧୯ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର କରିବ ବୋଲି ଶ୍ରୀମତୀ ରାୟ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ଦଳରେ ସାମିଲ ହୋଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀମତୀ ରାୟ କୃତଜ୍ଞତା ଜଣାଇଛନ୍ତି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅର୍ଦ୍ଧ ଶତାଦ୍ଦୀ ଧରି ଶ୍ରୀମତୀ ରାୟଙ୍କ ପରିବାର ପ୍ରତିଟି ସଦସ୍ୟ ଓଡିଶାର କଳା, ସଂସ୍କୃତି, ସାହିତ୍ୟ ସହ ସମାଜିକ ଜୀବନରେ ସବୁବେଳେ ପ୍ରେରଣା ଦେଇଆସୁଛନ୍ତି। ବିଭିନ୍ନ ଭାଷାରେ ୮୦ ରୁ ଅଧିକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ କରିଥିବା ମହେଶ୍ୱତା ରାୟଙ୍କ ଅବଦାନ ଅତୂଳନୀୟ। ଏଥି ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଶ୍ରୀମତି ରାୟ ଦଳରେ ସାମିଲ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଓ ଶ୍ରୀମତି ସୀମନ୍ତିନୀ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅଭିନେତା ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ, ମିହିର ଦାସ, ଅନୁଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *