ଟିକସ ରିହାତି ପାଇଁ ସରକାର ୭ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ
ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ୨୦୧୬-୧୭ ଆର୍ଥିକ ବର୍ଷରେ ୨୫୦ କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ ଟିକସରେ ୨୫ ପ୍ରତିଶତ ହ୍ରାସର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ। ଏହା ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ସମ୍ପୂର୍ଣ୍ଣ ଶ୍ରେଣୀକୁ ଲାଭ ପହଁଚାଇବ। ଟିକସ ରିଟର୍ଣ୍ଣ ଦାଖଲ କରୁଥିବା ୯୯ ପ୍ରତିଶତ କମ୍ପାନୀ ଏହି ଶ୍ରେଣୀରେ ଆସିଥା’ନ୍ତି। ଏହି ନିଷ୍ପତି ଦ୍ୱାରା ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ୭ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ। ଏହାକୁ ସ୍ୱୀକାର କରି ଅର୍ଥମନ୍ତ୍ରୀ ଆଜି ସଂସଦରେ କହିଥିଲେ ଯେ ପର୍ଯ୍ୟାୟକ୍ରମେ କର୍ପୋରେଟ ଟିକସରେ ହ୍ରାସ ଆଣିବା ଲାଗି ସରକାରଙ୍କ ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଏହା ଏକ ପଦକ୍ଷେପ। କର୍ପୋରେଟ ଟିକସର କମ ଦର ଯୋଗୁ ୯୯ ପ୍ରତିଶତ କମ୍ପାନୀ ଫାଇଦା ପାଇପାରିବେ। ସେମାନଙ୍କ ନିକଟରେ ନିବେଶ କରିବା ଲାଗି ଅତିରିକ୍ତ ସମ୍ବଳ ଉପଲବ୍ଧ ରହିବ। ଏହାଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅର୍ଥମନ୍ତ୍ରୀ ୨୦୧୭ ସାଧାରଣ ବଜେଟ କଥା ମନେ ପକାଇ କହିଥିଲେ ଯେ ସେ ୫୦ କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ ଟିକସ କମ କରି ୨୫ ପ୍ରତିଶତ ପର୍ଯ୍ୟନ୍ତ ଆଣିବା ଲାଗି ଘୋଷଣା କରିଥିଲେ। ଟିକସ ରିଟର୍ଣ୍ଣ ଦାଖଲ କରୁଥିବା ମୋଟ କମ୍ପାନୀଗୁଡ଼ିକ ମଧ୍ୟରୁ ୯୬ ପ୍ରତିଶତ କମ୍ପାନୀକୁ ଏଥିରୁ ଲାଭ ହୋଇଥିଲା। ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ନିଷ୍ପତି ପରେ ରିଟର୍ଣ୍ଣ ଦାଖଲ କରୁଥିବା ମୋଟ ୭ ଲକ୍ଷ କମ୍ପାନୀ ମଧ୍ୟରୁ ୭ ହଜାର ଏପରି କମ୍ପାନୀ ରହିଛନ୍ତି, ଯେଉଁମାନଙ୍କ ଟର୍ଣ୍ଣ ଓଭର ୨୫୦ କୋଟି ଟଙ୍କାରୁ ଅଧିକ ହୋଇଥିବ ଏବଂ ସେମାନେ ୩୦ ପ୍ରତିଶତ ଟିକସ ପରିସର ମଧ୍ୟରେ ଆସିଥା’ନ୍ତି।
