୨୦୦୦ରେ ୫ ସଚଳ, ୧୨ ଅଚଳ; ୨୦୧୭ରେ ୫ ସଚଳ, ୧୩ ଅଚଳ ସମବାୟ ବିଭାଗର ଶୀତଳ ଭଣ୍ଡାରର ସ୍ଥିତି ରାଜ୍ୟ ସରକାରଙ୍କ ସଫଳତାର ଆଇନା : ବିଜେପି

–    ୨୦୧୫ରେ ତିନି ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁଆଡେ ଗଲା ବୋଲି ଉତର ମାଗିଲା ବିଜେପି
–    ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଗୋଟିଏ ଶୀତଳ ଭଣ୍ଡାରର  କ୍ଷମତା ଯେତିକି ରାଜ୍ୟ ସମବାୟ ବିଭାଗର ଏହି ସଚଳ ୫ଟି  ଶୀତଳ ଭଣ୍ଡାରର କ୍ଷମତା ତା ଠାରୁ ଯଥେଷ୍ଟ କମ, ଏହି ତଥ୍ୟ ସରକାରଙ୍କ ପାଖରେ ଅଛି ତ ?
–    ଚାଷୀଙ୍କ ଧାନରୁ କ୍ୱିଂଟାଲ ପିଛା ୨ରୁ ୪ କିଲୋ କାଟିବା ଦ୍ୱାରା  ମିଲରଙ୍କୁ  ମିଳୁଥିବା  ୩୦୫ କୋଟି ଟଙ୍କାରୁ କାହା  କାହା ପକେଟକୁ ଯାଉଛି କେତେ ?
–    ୨୦୦  କୃଷକ ବଜାର ପ୍ରତିଶ୍ରୁତିରୁ ପୂରଣ ହେଲା ୪୩, ଚାଲୁଛି ୨୮, ଜବାବ ଦିଅନ୍ତୁ ମନ୍ତ୍ରୀ
–    କୃଷି ଋଣ ହିତାଧିକାରୀଙ୍କୁ ନେଇ ବର୍ତମାନ ଓ ପୂର୍ବତନ ମନ୍ତ୍ରୀ ଝଗଡା କରି ସାରିଛନ୍ତି,  ପ୍ରକୃତ ଚାଷୀଙ୍କୁ ମିଳୁଛି ତ କୃଷି ଋଣ ?
–    ପ୍ରତି ଗାଁରେ କୃଷକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରତି ପଂଚାୟତରେ ପଣ୍ୟାଗାର ନିର୍ମାଣ ପାଇଁ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ପାଣିରେ ଗାର  ଅଭିଯୋଗର ଉତର ରଖନ୍ତୁ ମନ୍ତ୍ରୀ
–    ମଧ୍ୟ ପ୍ରଦେଶ, ଛତିଶଗଡ ପରି ବିନା ସୁଧରେ ଚାଷୀଙ୍କୁ କାହିଁକି କୃଷି ଋଣ ଦେଉ ନାହାନ୍ତି ସରକାର ?
–    ଅନେକ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ତାଲିକାରୁ  ଏ ପର୍ଯ୍ୟନ୍ତ ବି ବାଦ ପଡିବା ଗରୀବ ଲୋକଙ୍କର ହକ୍  ଓ ଅଧିକାରର ହତ୍ୟା
–    ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ  ଆଧାର ସଂଯୁକ୍ତ କରି  ସେମାନଙ୍କର ବ୍ୟାଙ୍କ ଆକାଉଂଟରେ ରିହାତି ଅର୍ଥ ପ୍ରଦାନ କରି ଦୁର୍ନୀତିକୁ ଶେଷ କରିବାକୁ ରାଜ୍ୟ ସରକାର କାହିଁକି ଅମଙ୍ଗ ହେଉଛନ୍ତି?
–    ହଜାର ହଜାର ଗରୀବ ଓଡିଆ  ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶୀକାର ହୋଇଥିବା ବେଳେ  ଏହାକୁ ରୋକିବା ପାଇଁ ପ୍ରଭାବୀ ପଦକ୍ଷେପ ନେବାରେ ରାଜ୍ୟ ସରକାର ବିଫଳ କାହିଁକି ?
–    ମୁଖ୍ୟମନ୍ତ୍ରୀଙ୍କ ତିନୋଟି ଟିରୁ ଟେକ୍ନୋଲଜି ଗୁରୁତ୍ୱପୂର୍ଣ ହୋଇଥିବା ବେଳେ ପ୍ରମୁଖ ଟେକ୍ନୋଲଜିର ବିଭାଗ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବେବସାଇଟରେ  ପୁରୁଣା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଫଟୋ ଏବେ ବି ଲାଗିଛି, ଏହା କଣ ନବୀନଙ୍କ ଟେକ୍ନୋଲଜୀ ?

ଭୁବନେଶ୍ୱର, ୨୬/୫ (ଓଡ଼ିଆ ପୁଅ) :  ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡିଶାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ବେଳେ ସମବାୟ ବିଭାଗର ପାଂଚଟି ସଚଳ ଓ ୧୨ଟି ଅଚଳ ଶୀତଳ ଭଣ୍ଡାର ଥିଲା ବେଳେ ଆଜି ଦିନରେ ରାଜ୍ୟ ସମବାୟ ବିଭାଗର ୫ଟି ସଚଳ ଓ ୧୩ଟି ଅଚଳ ଶୀତଳ ଭଣ୍ଡାର ରହିଥିବା ଖୋଦ ସମବାୟ ମନ୍ତ୍ରୀ ଭାବେ ଡା ଦାମୋଦର ରାଉତ ବିଧାନସଭାର ୦୭.୧୨.୨୦୧୬ରେ  ଅଣତାରକା ପ୍ରଶ୍ନ ୭୧୨ରେ  ସ୍ୱୀକାର କରିଛନ୍ତି  ବୋଲି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି ଯେ ଇତି ମଧ୍ୟରେ ନବୀନ ପଟ୍ଟନାୟକ ୧୭ ବର୍ଷ କ୍ଷମତାରେ ରହି ସାରିଲେଣି। ଆଳୁ ମିଶନ, ପିଆଜ ମିଶନ  ଭଳି ଅନେକ ସୁନେଲି ସ୍ୱପ୍ନ ଦେଖାଇ ସାରିଛନ୍ତି। କୃଷିର ସଫଳତା ପାଇଁ ଶୀତଳ ଭଣ୍ଡାରକୁ ଗୁରୁତ୍ୱକୁ ଉପଲବ୍ଧି କରି ୨୦.୦୮.୨୦୧୫ରେ ତିନି ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ବିଭାଗକୁ ସମୀକ୍ଷା କରିବା ପରେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଶୀତଳ ଭଣ୍ଡାରର ଦୟନୀୟ ସ୍ଥିତି ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଣ ହେଲା ବୋଲି ପ୍ରଶ୍ନ କରିବା ସହ  ଏହା ନେଇ ତାଙ୍କର ଜବାବ ମାଗିଛନ୍ତି।

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଗୋଟିଏ ଶୀତଳ ଭଣ୍ଡାରର କ୍ଷମତା ଯେତିକି ରାଜ୍ୟ ସମବାୟ ବିଭାଗର ଏହି ସଚଳ ୫ଟି  ଶୀତଳ ଭଣ୍ଡାରର କ୍ଷମତା ତା ଠାରୁ ଯଥେଷ୍ଟ କମ ବୋଲି ଏହି ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛି କି ନାହିଁ ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ଆଳୁ ମିଶନର ସଫଳତା, ପିଆଜ ଅଭାବୀ ବିକ୍ରୀକୁ ରୋକିବା, ସବୁଜ ପନିପରିବା ସଂରକ୍ଷଣ  ପାଇଁ ଶୀତଳ ଭଣ୍ଡାର ମାଧ୍ୟମରେ ହିଁ ଚାଷୀ ତା ଅମଳର ଉପଯୁକ୍ତ ମୂଲ୍ୟ ପାଇ ପାରିବ। ରାଜ୍ୟ ସରକାର ଯେଉଁ ବେସରକାରୀ ସଂସ୍ଥା ମାନଙ୍କୁ ଡାକି ଶୀତଳ ଭଣ୍ଡାର ନିର୍ମାଣର ପ୍ରୟାସ କରିଛନ୍ତି, ସେମାନଙ୍କୁ ବିଜୁଳି ଯୋଗାଇ ଦିଆ ଯାଇ ପାରି ନଥିବା କାରଣରୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା ତଥ୍ୟ ସମୀକ୍ଷା ପରେ ମନ୍ତ୍ରୀ ସ୍ୱୀକାର କରିବେ କି ବୋଲି ଶ୍ରୀ ଷଡଙ୍ଗୀ ଆହ୍ୱାନ କରିଛନ୍ତି।

ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ପ୍ରତି କ୍ୱିଂଟାଲରେ କ୍ରୟ ସମୟରେ ୨ କିଲୋରୁ ୪ କିଲୋ କାଟିବା କାରଣରୁ ମିଲର ମାନଙ୍କୁ ୩୦୫ କୋଟି ଟଙ୍କା ଲାଭ ହୋଇଛି ବୋଲି ସିଏଜି ସ୍ପଷ୍ଟ କରିଥିବା ବେଳେ ଚାଷୀଙ୍କୁ ଧାନ ଓଜନରେ ଦଣ୍ଡ ନ ଦେବା ପାଇଁ ସରକାର କାହିଁକି ପଦକ୍ଷେପ ନେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଏହି ଆକଳିତ ୩୦୫ କୋଟି ଟଙ୍କାରୁ କାହା ପକେଟକୁ କେତେ ଯାଇଛି ତାହାର ହିସାବ ଦରକାର ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟ ସରକାର ୨୦୦ଟି କୃଷକ ବଜାର କରିବା ପାଇଁ ଘୋଷଣା କରିଥିଲେ। ହେଲେ ଗତ ୧୭ ବର୍ଷରେ ମାତ୍ର ୪୩ଟି କୃଷକ ବଜାରର ସ୍ଥାପନା କରି ପାରିଛନ୍ତି। ସେଥି ମଧ୍ୟରୁ ମଧ୍ୟ ୧୫ଟି ବନ୍ଦ ହୋଇ ସାରିଛି ଓ କେବଳ ୨୮ଟି ଚାଲୁଥିବା ସରକାରୀ ଭାବେ ତଥ୍ୟ ସାମନାକୁ ଆସିଥିବା ବେଳେ ଏ ସମ୍ବନ୍ଧରେ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପାଇଁ ଶ୍ରୀ ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି।

ରାଜ୍ୟରେ କୃଷି ଋଣ କୃଷକ ପାଖକୁ ଯାଉଛି ନା ବାଟମାରଣା ହେଉଛି ଏ ନେଇ ପୂର୍ବତନ ସମବାୟ ମନ୍ତ୍ରୀ ଡା. ରାଉତ  ଓ ବର୍ତମାନର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଝଗଡା କରି ସାରିଛନ୍ତି। ଏବେ ପ୍ରକୃତ ଚାଷୀ କିଏ ଓ ଋଣ ପାଇଁ ହକଦାର ତାର ତାଲିକା କାହିଁକି  ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ଷଡଙ୍ଗୀ  ଆହ୍ୱାନ ଜଣାଇଛନ୍ତି।

ପ୍ରତି ଗାଁରେ କୃଷକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରତି ପଂଚାୟତରେ ପଣ୍ୟାଗାର ନିର୍ମାଣ ପାଇଁ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ପାଣିରେ ଗାର  ଅଭିଯୋଗର ଉତର ରଖିବାକୁ ସେ ଆହ୍ୱାନ କରିଛନ୍ତି।

ଏକ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ମଧ୍ୟପ୍ରଦେଶ   ଓ ଛତିଶଗଡ ଭଳି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ଋଣ ଦିଆ ଯାଉଥିବା ରାଜ୍ୟ ସମବାୟ ମନ୍ତ୍ରୀଙ୍କୁ ଜଣା ଅଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ସ୍ୱଳ୍ପକାଳୀନ କୃଷି ଋଣ ସଠିକ ସମୟରେ ପୈଠ କଲେ ଚାଷୀ ଏକ ପ୍ରତିଶତ ସୁଧ ଦେଉଥିବା ବେଳେ  ରାଜ୍ୟ ମାତ୍ର ୩ ପ୍ରତିଶତ ଓ ଅବଶିଷ୍ଟ କେନ୍ଦ୍ର ସରକାର ବହନ କରୁଥିବା ତଥ୍ୟ ମନ୍ତ୍ରୀ ସର୍ବ ସାଧାରଣରେ ସ୍ପଷ୍ଟ କରିବେ କି ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ରାଜ୍ୟର ୩.୨ କୋଟି ଲୋକଙ୍କୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ଏକ ଟଙ୍କା ମୂଲ୍ୟରେ  ଚାଉଳ ଯୋଗାଇ ଦେବା ନବୀନ ପଟ୍ଟନାୟକଙ୍କ ଖାଦ୍ୟ ସୁରକ୍ଷାର ଗ୍ୟାରେଂଟି ଭାବରେ ରାଜ୍ୟ ସରକାର ବିଜ୍ଞାପନର ବର୍ଷା କରିଥିବା ବେଳେ ଗାଁ-ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ତାଲିକାରୁ  ଏ ପର୍ଯ୍ୟନ୍ତ ବି ବାଦ ପଡିବା ଗରୀବ ଲୋକଙ୍କର ହକ୍  ଓ ଅଧିକାରର ହତ୍ୟା ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଧାର ସଂଯୁକ୍ତ କରି ସେମାନଙ୍କର ବ୍ୟାଙ୍କ ଆକାଉଂଟରେ ରିହାତି ଅର୍ଥ ପ୍ରଦାନ କରି ଦୁର୍ନୀତିକୁ ଶେଷ କରିବାକୁ ରାଜ୍ୟ ସରକାର କାହିଁକି ଅମଙ୍ଗ ହେଉଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ଋାଜ୍ୟରେ ହଜାର ହଜାର ଲୋକ ଦାଦନ ଖଟିବାକୁ ଯିବା  ଓ ସେଠାରେ ଅକଥନୀୟ ଅତ୍ୟାଚାରର ଶୀକାର ହୋଇଥିବା  ଓ ଗତ କିଛି ବର୍ଷରେ ହାତ ଗୋଡ କଟା ହେବା ଭଳି ଘଟଣା ସାମନାକୁ ଆସୁଥିବା ବେଳେ ଶ୍ରମ ବିଭାଗ  ଗରୀବ ଓଡିଆଙ୍କୁ ସୁରକ୍ଷା ଦେବାରେ ବିଫଳତାକୁ ଶ୍ରମମନ୍ତୀ ସୁଶାନ୍ତ ସିଂହ ସ୍ୱୀକାର କରିବେ କି ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେକ୍ନଲଜି ଆଧାରରେ ସରକାର ଚଳାଇବା କଥା କହୁଥିବା ବେଳେ ପ୍ରମୁଖ ଟେକ୍ନୋଲଜିର ବିଭାଗ  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବେବସାଇଟରେ  ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଫଟୋ ରହିବା ଓ ଏଥିରେ ନୂଆ  ମନ୍ତ୍ରୀ ଉଷା ଦେବୀଙ୍କ ଫଟୋ ଅପଡେଟ ନ ହେବା ମୁଖ୍ୟମନ୍ତ୍ରୀ କେତେ ଟେକ୍ନୋଲଜି ପ୍ରିୟ ତାହା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *