୨୦ବର୍ଷର ସଂଘର୍ଷ ପରେବି ପ୍ରଶାସନ ପଡିନି ନଜର ; ଭଙ୍ଗା ଝୁମ୍ପୁଡିରେ ଭିନ୍ନକ୍ଷମ ଲିଲି

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିଠାରୁ ଆରମ୍ଭ କରି ବ୍ଲକ୍ସ୍ତରୀୟ ଜନଶୁଣାଣି ପର୍ଯ୍ୟନ୍ତ, ସରପଂଚଙ୍କଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟନିର୍ବାହୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଗୋଟିଏ ନିବେଦନ, ବାବୁ ମୋତେ ଘର ଖଣ୍ଡିଏ ମିଳୁ। ଏହି ନିବେଦନ ପୁଣି ଥରେ ନୁହେଁ କି ଦୁଇଥର ନୁହେଁ ୨୦ବର୍ଷର ସଂଘର୍ଷମୟ ଓ ଯନ୍ତ୍ରଣାଶିକ୍ତ ଜୀବନ ଭିତରେ ଜଣେ ଭିନ୍ନକ୍ଷମ ବୃଦ୍ଧା ମୁଣ୍ଡ ଉପରେ ଭରଷାର ଛାତ ଖଣ୍ଡିଏ ପାଇଁ ଶତାଧିକ ବାର ଆବେଦନ ଓ ନିବେଦନ କରିଥିଲେ ମଧ୍ୟ କାହାର ନଜର ପଡିନି ଏହି ବୃଦ୍ଧାଙ୍କ ଉପରେ। ଖରାବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଦଦରା ଝୁମ୍ପୁଡି ଓ ଭଗବାନଙ୍କୁ ନିଜର ଆଶା ଓ ଭରଷା କରି ଜୀବନ ଜିଉଁଥିବା ଏହି ବୃଦ୍ଧାଙ୍କ ଦୁଃଖଦ ଚିତ୍ରକୁ ପାଖରୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଏ ଆବାସ ଯୋଜନା ଏଭଳି ହିତାଧିକାରୀଙ୍କ ପାଇଁ ନୁହେଁ ତ କାହାପାଇଁ ?

ଲିଲି ଦାସ ବୟସ ପାଖାପାଖି ୭୫ବର୍ଷ। ଦାନଗଦୀ ବ୍ଲକ୍ ଦେଉଳକଣ ପଂଚାୟତ ଭାଟିସାହି ଗ୍ରାମ ପ୍ରାରମ୍ଭରେ ଥିବା ଏକ ଝାଟିଜଙ୍ଗଲ ଭିତରେ ଥିବା ଦଦରା ଝୁମ୍ପୁଡି ହେଉଛି ତାଙ୍କ ଠିକଣା। ୬୦ପ୍ରତିଶତ ଭିନ୍ନକ୍ଷମ ଲିଲିଙ୍କର କେହି ଆତ୍ମୀୟସ୍ୱଜନ ନଥିବା ବେଳେ ହାତଗଣତି କେତୋଟି ବାସନକୁସନ ଓ ଚିରା ଲୁଗାପୁଟା ହିଁ ତାଙ୍କର ଏକମାତ୍ର ସମ୍ବଳ। ବିପିଏଲ୍ ଶ୍ରେଣୀୟ ଏହି ବୃଦ୍ଧାଙ୍କ ପାଇଁ ୩ଶହ ଟଙ୍କାର ଭତ୍ତା ଓ ରାସନକାର୍ଡରେ ମିଳୁଥିବା ୫କେ.ଜି ଚାଉଳରେ ସିମିତ ସରକାରୀ ଯୋଜନା। ଯାହା ତାଙ୍କ ଅବାଶ୍ୟକତାଠାରୁ କମ୍ଥିଲେ ମଧ୍ୟ ବଂଚିବାକୁ ଲିଲି ଜଙ୍ଗଲରୁ ଦାନ୍ତକାଠି ଆଣି ବିକ୍ରୀକରି ଯେନତେନ ଭାବରେ ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ ସବୁଠାରୁ ବିଡମ୍ବନାର ବିଷୟ ୨୦ବର୍ଷ ହେଲା ଲିଲିଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ଅର୍ଥ ଅଭାବରୁ ନିଜର ଥିବା ଝୁମ୍ପୁଡିକୁ ବର୍ଷବର୍ଷ ଧରି ଛପର କରିନପାରିବାରୁ ଏହା ଯେକୌଣସି ମୂହୂର୍ତ୍ତରେ ଭୁଷୁଡି ମାଟିରେ ମିଶିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ। ଘର ଖଣ୍ଡିଏ ପାଇଁ ଲିଲି ଦିର୍ଘ ୨୦ବର୍ଷ ହେବ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିଠାରୁ ଆରମ୍ଭ କରି ବ୍ଲକ୍ସ୍ତରୀୟ ଜନଶୁଣାଣି ପର୍ଯ୍ୟନ୍ତ, ସରପଂଚଙ୍କଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟନିର୍ବାହୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅନେକବାର ନିବେଦନ କରିଥିଲେ ମଧ୍ୟ ଏଥିରେ ଲିଲିଙ୍କୁ ସାମିଲ୍ କରିବାକୁ ପ୍ରଶାସନିକ ସ୍ତରରେ ଥରୁଟିଏ ଉଦ୍ୟମ ମଧ୍ୟ ହୋଇନଥିବା ସବୁଠାରୁ ପରିତାପର ବିଷୟ ପାଲଟିଛି। ତେବେ ଆବାସ ଯୋଜନାରୁ ବଂଚିତ ହୋଇ ଦଦରା ଝୁମ୍ପୁଡିରେ ୨୦ବର୍ଷର ସଂଘର୍ଷମୟ ଜୀବନ ଅତିବାହିତ କରିଥିବା ଏହି ଭିନ୍ନକ୍ଷମ ଲିଲିଙ୍କ ଉପରେ ପ୍ରଶାସନର କେବେ ନଜର ପଡୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *