୨ୟ ତାଳଚେର ପୁସ୍ତକ ମହୋତ୍ସବ ଉଦଘାଟିତ

ତାଳଚେର,୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ୨ୟ ତାଳଚେର ପୁସ୍ତକ ମହୋତ୍ସବ ସାଉଥ ବଲଣ୍ଡାସ୍ଥିତ ଶିବ ମନ୍ଦିର ପଡିଆଠାରେ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । କମିଟିର ସଭାପତି ବଳରାମ ପତି ପୁସ୍ତକ ମହୋତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା ମୂଖ୍ୟ ଅତିଥିଭାବେ ଏବଂ ତାଳଚେର ଥର୍ମାଲର ମହାପ୍ରବନ୍ଧକ ମିଥିଲେଶ କୁମାର ସିଂ ସମ୍ମାନିତ ଅତିଥିଭାବେ ଏବଂ ସାହିତି୍ୟକ ତଥା ତାଳଚେର ସ୍ୱଂୟଶିସିତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ବିରଂଚି ନାରାୟଣ ସାମଲ ମୂଖ୍ୟ ବକ୍ତାଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ମହୋତ୍ସବର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଏନ୍.ଏସ.ଏଲ.ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ପରେପରେ କମିଟିର ସଦସ୍ୟମାନଙ୍କ ଦ୍ୱାରା ମଂଚାସୀନ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସାଧାରଣ ସମ୍ପାଦକ ଧୀରମୋହନ ରାୟ ସ୍ୱାଗତ ଭାଷଣ ଦେବାସହ ତାଳଚେର ପୁସ୍ତକ ମହୋତ୍ସବ ସମ୍ପର୍କରେ ଉପସ୍ଥିତ ଅତିଥିଗଣ ଏବଂ ଦର୍ଶକଙ୍କୁ ସୂଚନା ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ବେହେରା ନିଜ ଅଭିଭାଷଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜକ କମିଟିର କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ପ୍ରକଟ କରିଥିଲେ । ସାଉଥ ବଲଣ୍ଡା ଅଂଚଳରେ ଏପରି ମହୋତ୍ସବର ଆୟୋଜନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ତଥା ଏହାଦ୍ୱାରା ସ୍ଥାନୀୟ ଗ୍ରାମାଂଚଳରେ ପୁସ୍ତକର ଲୋକପି୍ରୟତା ବୃଦ୍ଧି ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସମସ୍ତଙ୍କ ସାହାଯ୍ୟ ଏବଂ ସହଯୋଗ ଦ୍ୱାରା ଏହି ପୁସ୍ତକ ମହୋତ୍ସବ ଆଗକୁ ବଢ଼ିପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ସିଂ ନିଜ ବକ୍ତବ୍ୟରେ ସର୍ବପ୍ରଥମେ ତାଳଚେର ଥର୍ମାଲ ତରଫରୁ ପୁସ୍ତକ ମହୋତ୍ସବ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଇଂଟରନେଟ ଓ ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ଉପାଦେୟତା ବଜାୟ ରହିଛି । ଯେଉଁ ଉଦେ୍ଦଶ୍ୟରେ ଏହି ପୁସ୍ତକ ମହୋତ୍ସବର ଆୟୋଜନ କରାଯାଇଛି ତାହା ନିଶ୍ଚିତ ସଫଳ ହେବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଥିଲେ । ମୂଖ୍ୟ ବକ୍ତାଭାବେ ଅଧ୍ୟାପକ ଶ୍ରୀ ସାମଲ ମାର୍ଚ୍ଚ ୧୧ ତାରିଖ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଐତିହାସିକ ଦିବସ ବୋଲି ବର୍ଣ୍ଣନା କରିଥିଲେ । ଆଜିର ଦିନରେ ହିଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଥିଲା ବୋଲି ସେ ଉପସ୍ଥିତ ପାଠକ ଏବଂ ଦର୍ଶକମାନଙ୍କୁ ସୂଚନା ଦେଇଥିଲେ । ପୁରାତନ ଯୁଗରେ ଆଦିକବି ସାରଳା ଦାସଙ୍କ ମହାଭାରତ ଓ ଜଗନ୍ନାଥ ଦାସଙ୍କ ରାମାୟଣ କାବ୍ୟରୁ ଓଡ଼ିଆ ଭାଷାର ସମୃଦ୍ଧତା ବିଷୟରେ ଜଣାଯାଏ ବୋଲି କହିଥିଲେ । ପୁସ୍ତକ ଭଳି ବନ୍ଧୁ ଆଉ କେହିନାହିଁ । ଏହି ମେଳା ପ୍ରତି ସମସ୍ତଙ୍କ ଆକର୍ଷଣ ବଢ଼ିଛି । ଆଗାମୀ ଦିନରେ ସମସ୍ତେ ପୁସ୍ତକ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ସାଧାରଣ ସମ୍ପାଦକ ଧୀରମୋହନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୂଚନାଯୋଗ୍ୟ ପୁସ୍ତକ ମହୋତ୍ସବ ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୧୮ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବାବେଳେ ୫୦ରୁ ଉଦ୍ଧ୍ୱର୍ ପୁସ୍ତକ ପ୍ରକାଶକ, ବିତରକ ଏବଂ ବିକ୍ରେତା ସେମାନଙ୍କର ଷ୍ଟଲ ଖୋଲିଥିବା ବେଳେ ତା’ସାଙ୍ଗକୁ ଖାଦ୍ୟ ଷ୍ଟଲ ଏବଂ ବିଭିନ୍ନ କିସମର ଷ୍ଟଲ ଖୋଲାଯାଇଛି । ଉପଲକ୍ଷେ ପ୍ରତ୍ୟେକ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମ୍ପ୍ରତିକ ସମସ୍ୟା ଏବଂ ସାହିତ୍ୟ ସମ୍ପର୍କିତ ସାରସ୍ୱତ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପୁସ୍ତକ ମହୋତ୍ସବର ସଦସ୍ୟ ମଦନ ମୋହନ ସାହୁ,ସୈାଭାଗ୍ୟ ଚନ୍ଦ୍ର ନାୟକ,ଉଚ୍ଛନ ପଟ୍ଟନାୟକ,ବିଷ୍ଣୁମୋହନ ରଥ, ଧୀରେନ୍ଦ୍ର ଦାସ,ମନିଲ ମହାରଣା,ନୃସିଂହ ଗୋଚ୍ଛାୟତ,ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟ,ପ୍ରକାଶ ଚନ୍ଦ୍ର ଦାସ,ଦାଶରଥୀ ସାହୁ, ଶାନ୍ତନୁ କୁମାର ସାହୁ,ପ୍ରଦୀପ୍ତ ସ୍ୱାଇଁ,ଗୈାରବ ରାୟଙ୍କ ସମେତ କମିଟିର ବହୁ ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *