୨ମାସ ହେଲା ଛୁଟିରେ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଧିକାରୀ ଆପ୍ରୁଭାଲ ପାଇଁ ଅଟକିଛି ବହୁ ପ୍ଲାନ, ବେତନ ନପାଇ ଖଟୁଛନ୍ତି କର୍ମଚାରୀ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱତନ୍ତ୍ର ଟାଉନ୍ ପ୍ଲାନିଂ ଅଧିକାରୀ ୨ ମାସ ହେବ ଛୁଟିରେ ରହିଛନ୍ତି। ନିଜ ନୂତନ ଘରର ପ୍ଲାନ ଅନୁମୋଦନ ପାଇଁ ବହୁ ଗୃହକର୍ତ୍ତା ଅପେକ୍ଷା କରି ବସିଛନ୍ତି। ଗୃହ ନିର୍ମାଣ ପାଇଁ ମ୍ୟୁଟେସନ କେଶ୍, ବ୍ୟାଙ୍କରେ ଲୋନ୍ ନିମନ୍ତେ ମଂଜୁର ମିଳିଥିଲେ ମଧ୍ୟ ଏହି କାରଣରୁ ସେମାନଙ୍କ ଘର ଆଗେଇ ପାରୁନି। କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହୋଇଥିବା ଭଦ୍ରକ ସହରର ମାଷ୍ଟର ପ୍ଲାନ୍ କାର୍ଯ୍ୟକାରିତା କ୍ଷେତ୍ରରେ ମଧ୍ୟ ବହୁ ଅସୁବିଧା ସୃଷ୍ଟି ହୋଇଛି। ଅପରପକ୍ଷରେ ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ୨ ମାସ ଧରି ବେତନ ପାଇ ନପାରି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ମୋଟାମୋଟି ଭାବରେ ସ୍ୱତନ୍ତ୍ର ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟରେ ଏବେ ସଂପୂର୍ଣ୍ଣ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭଦ୍ରକ ସହର ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହେବାପରେ ହରିଆନାର ଏକ ଏଜେନ୍ସି ଗୁଡୁଗାଓର୍ର ଫିଡ୍ ବ୍ୟାକ୍ ଇନ୍ ଫ୍ରା କଂପାନୀ ଭଦ୍ରକ ସହର ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏହି ପ୍ଲାନ୍ ରେ ଆବଶ୍ୟକ ସଂଶୋଧନ ପରେ ସାଧାରଣ ଜନତାଙ୍କ ଠାରୁ ଆପତ୍ତି ଅଭିଯୋଗ ଆହ୍ୱାନ କରିଥିଲା। ସମସ୍ତ ପ୍ରକ୍ରିୟା ପରେ ୨୦୧୬ ମସିହା ସେପ୍ଟେମ୍ବର ଡିଆରଡିଏ ସମ୍ମିଳନୀ କକ୍ଷରେ ମାଷ୍ଟର ପ୍ଲାନ୍ କୁ ଉପସ୍ଥାପିତ କରାଯାଇ ଗୃହୀତ କରାଯାଇଥିଲା। ପାନୀୟ ଜଳ, ସ୍ୱରେଜ, ଡ୍ରେନେଜ୍, ଉତ୍ତମ ରାସ୍ତା, ବସ୍ ଟର୍ମିନାଲ, ରାତ୍ର ଆଶ୍ରୟସ୍ଥଳ, ଅବସର ବିନୋଦନ କେନ୍ଦ୍ର, ପାର୍କିଂ ପରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉକ୍ତ ପ୍ଲାନ୍ ରେ ରହିଥିଲା। ଗୃହ ନିର୍ମାଣ ସମୟରେ ଘର ମାଲିକମାନଙ୍କ ପାଇଁ କଠୋର ସର୍ତ୍ତାବଳୀ ମଧ୍ୟ ଲାଗୁ କରାଯାଇଥିଲା। ଏହି ବୈଠକରେ ତତ୍ କାଳୀନ ଜିଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର, ସ୍ୱତନ୍ତ୍ର ଟାଉନ୍ ପ୍ଲାନିଂ ଅଧିକାରୀ ନବଘନ ମହାନ୍ତି, ପୌରାଧ୍ୟକ୍ଷ ମାନସ ମହାନ୍ତି, ଫିଡ୍ ବ୍ୟାକ୍ ଇନ୍ ଫ୍ରାର ପଦସ୍ଥ ଅଧିକାରୀଙ୍କ ସମେତ ଭଦ୍ରକର ବହୁ ସଚେତନ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଭଦ୍ରକକୁ ଏକ ସୁନ୍ଦର ଓ ସୁବ୍ୟବସ୍ଥିତ ସହରରେ ପରିଣତ କରିବାକୁ ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଏହି ବିଭାଗରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବାକୁ ପ୍ରଶାସନିକ ସ୍ତରରେ ଯେଉଁ ପ୍ରକାର ଉଦ୍ୟମ ହେବା କଥା, ତାହା ହେଉ ନଥିବା ଅଭିଯୋଗ ହୋଇଛି। ଅମୃତ ଯୋଜନାକୁ ସଫଳ ରୂପ ଦେବାକୁ ଟାଉନ୍ ପ୍ଲାନିଂ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏ କ୍ଷେତ୍ରରେ ପ୍ରଶାସନ ଠାରୁ ଆରମ୍ଭ କରି ପୌର କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କ ପର୍ଯ୍ୟନ୍ତ ଅମୃତ ସହର ପାଇଁ ସହଯୋଗ ଜାରି ରହିଥିବାବେଳେ ଟାଉନ୍ ପ୍ଲାନିଂ କର୍ତ୍ତୃପକ୍ଷ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହୁଥିବା ବହୁ ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହି ଅଧିକାରୀଙ୍କ ଅନୁପସ୍ଥିତିରେ ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟ ଏକରକମ୍ ଅଚଳ ଅବସ୍ଥାକୁ ଆସିଯାଇଛି। ଗୃହ ନିର୍ମାଣ ପାଇଁ ଗଦାଗଦା ଫାଇଲ୍ ଅନୁମୋଦନ ବିନା ପଡିରହିଛି। ଅସୁସ୍ଥତା ଜନିତ କାରଣରୁ ଟାଉନ୍ ପ୍ଲାନିଂ ଅଧିକାରୀ ୨ ମାସ ଧରି ଛୁଟିରେ ରହିଥିବାରୁ କେନ୍ଦୁଝର ଟାଉନ୍ ପ୍ଲାନିଂ ବିଭାଗର ୟୁନିଟ୍ ଅଫିସର ପି.କେ ପରିଡାଙ୍କୁ ସାମୟିକ ଦାୟିତ୍ୱ ନିର୍ବାହୀ ପାଇଁ ଡେପୁଟେସନ୍ ରେ ଅଣାଯାଇଛି। ହେଲେ ସେ କୌଣସି ପ୍ଲାନକୁ ଅନୁମୋଦନ କରୁନାହାଁନ୍ତି। ଅପରପକ୍ଷରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ପାଇଁ ଉଦ୍ଦିଷ୍ଟ ଫାଇଲ୍ ରେ ସ୍ୱାକ୍ଷର କରିବା ଦିଗରେ ସେ କ୍ଷମତାପ୍ରାପ୍ତ ହୋଇନଥିବାରୁ ସ୍ୱତନ୍ତ୍ର ଟାଉନ୍ ପ୍ଲାନିଂ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ତେଣୁ ଭଦ୍ରକ ଜିଲାପାଳ ଏ ଦିଗରେ ହସ୍ତକ୍ଷେପ କରି ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *