୧୮ ବର୍ଷର କ୍ଷମତାର ଅହଂକାର କାରଣରୁ ନବୀନ ସରକାର ଓଡିଆ ସ୍ୱାଭିମାନ ଓ ଜନଭାବନାକୁ ବୁଝି ପାରୁ ନାହାନ୍ତି – ଧର୍ମେନ୍ଦ୍ର ପ୍ରଧାନ

– ବ୍ରହ୍ମଗିରିରେ ଲୁଲୁ ମହାପାତ୍ରଙ୍କ ୫୪ ତମ ଜୟନ୍ତୀ
– ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ଘର ଆଗରେ ବିକ୍ଷୋଭ କଲେ ହତ୍ୟା ଉଦ୍ୟମ ପରି ଦଫା କିନ୍ତୁ ଅନ୍ୟ ଅଫିସରଙ୍କ ଉପରେ ସମାନ କାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ?
– କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା, ସମ୍ବଲପୁରରେ ଆଦିବାସୀ ଯୁବକର ହାଜତ ମୃତ୍ୟୁ. ବାଲେଶ୍ୱରରେ ଅଣ୍ଡା ପକାଇଥିବା ମହିଳାଙ୍କୁ କୁରୁସଭା ତଳେ ଉଲଗ୍ନ କରିବା ସ୍ଥିତି ତଥା ନିଜ ଗୁମାସ୍ତାଙ୍କ ଘର ଆଗରେ ବିକ୍ଷୋଭ ହେଲେ କଠୋର କିନ୍ତୁ ଅନ୍ୟ ମାମଲାରେ ଚୁପ ପ୍ରସଙ୍ଗ ଗୁଡିକୁ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଲେ କଟୁ ସମାଲୋଚନା
– ଗଣମାଧ୍ୟମ, ବିରୋଧୀ ଦଳ, ଆଦିବାସୀ, ଦଳିତ, ମହିଳାଙ୍କ କଂଠରୋଧ କରିବା ପାଇଁ ସତେ ଯେମିତି ନବୀନ ସରକାର ପ୍ରସ୍ତୁତ ହୋଇ ବସିଛନ୍ତି – କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ବଦଳରେ ପ୍ରମାଣ ନଷ୍ଟ କରିବାକୁ ଅପଚେଷ୍ଟା କରିଛି ନବୀନ ସରକାର
– ସମ୍ବଲପୁରରେ ହାଜତ ଭିତରେ ହତ୍ୟା କରା ଯାଇଥିବା ଯୁବକର ଅପରାଧ କଣ ସେ ଗରୀବ ଓ ଆଦିବାସୀ ଥିଲା ବୋଲି ପ୍ରଶ୍ନ
– ବାଲେଶ୍ୱରରେ ଅଣ୍ଡା ପକାଇଥିବା ମହିଳାଙ୍କୁ ଦ୍ରୌପଦୀ ବସ୍ତ୍ରହରଣ ସ୍ଥିତି କରିଥିବା ଦଳୀୟ କର୍ମୀଙ୍କ ପ୍ରତି ଏତେ ନରମ କାହିଁକି ନବୀନ ?
– ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ବିଶାଳ ପ୍ରତିମୂର୍ତି ବରୁଣେଇ ପାହାଡ ଉପରେ ନିର୍ମାଣ ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି
– ଓଡିଶାର ସାଂସ୍କୃତିକ ପରିଚୟ ଚିଲିକାକୁ ପୁନରୁଦ୍ଧାର କରି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଦେବା ପାଇଁ ତାଙ୍କ ମନ୍ତ୍ରଣାଳୟ ଅଧୀନସ୍ଥ ଓଏନଜିସି ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇ ୟୁନେସ୍କୋ ସହିତ କାମ କରୁଛି

ଭୁବନେଶ୍ୱର / ବ୍ରହ୍ମଗିରି, ୧୪ ଫେବୃଆରୀ (ଓଡ଼ିଆ ପୁଅ)– ୧୮ ବର୍ଷର କ୍ଷମତାର ଅହଂକାର କାରଣରୁ ନବୀନ ସରକାର ଓଡିଆ ସ୍ୱାଭିମାନ ଓ ଜନଭାବନାକୁ ବୁଝି ପାରୁ ନାହାନ୍ତି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ଘର ଆଗରେ ବିକ୍ଷୋଭ କଲେ ହତ୍ୟା ଉଦ୍ୟମ ପରି ସଙ୍ଗିନ ଦଫା ଲାଗୁଥିବା ବେଳେ କାକଟପୁର ବିଡିଓଙ୍କୁ ସ୍ଥାନୀୟ ସରକାରୀ ଦଳର ବିଧାୟକଙ୍କ ଡାହାଣ ହାତ ମାନେ ଗୋବର ପକାଇଲେ ତାଙ୍କ ବିରୁଦ୍ଧରେ ମାମୁଲୀ ଦଫା କାହିଁକି ଲଗା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଲୁଲୁ ମହାପାତ୍ରଙ୍କ ୫୪ ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା, ସମ୍ବଲପୁରରେ ଆଦିବାସୀ ଯୁବକର ହାଜତ ମୃତ୍ୟୁ. ବାଲେଶ୍ୱରରେ ଅଣ୍ଡା ପକାଇଥିବା ମହିଳାଙ୍କୁ କୁରୁସଭା ତଳେ ଉଲଗ୍ନ କରିବା ସ୍ଥିତି ତଥା ନିଜ ଗୁମାସ୍ତାଙ୍କ ଘର ଆଗରେ ବିକ୍ଷୋଭ ହେଲେ କଠୋର କିନ୍ତୁ ଅନ୍ୟ ମାମଲାରେ ଚୁପ ପ୍ରସଙ୍ଗ ଗୁଡିକୁ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ, ବିରୋଧୀ ଦଳ, ଆଦିବାସୀ, ଦଳିତ, ମହିଳାଙ୍କ କଂଠରୋଧ କରିବା ପାଇଁ ସତେ ଯେମିତି ନବୀନ ସରକାର ପ୍ରସ୍ତୁତ ହୋଇ ବସିଛନ୍ତି ବୋଲି ଉପରୋକ୍ତ ଘଟଣାକ୍ରମ ଆଧାରରେ ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣଦୁଷ୍କର୍ମର ପୀଡିତା କୁନ୍ଦୁଲୀ ନାବାଳିକା ଝିଅ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଉଚିତ ତଦନ୍ତ କରିଥିବା ଦାବିକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଝିଅଟି ଦୁଷ୍କର୍ମ ଅଭିଯୋଗ ଆଣିବା ମାତ୍ରେ ଝିଅ ମିଛ କହୁଛି ବୋଲି ରାଜ୍ୟର ପୋଲିସ ମୁଖ୍ୟ ବିନା ତଦନ୍ତରେ ଘୋଷଣା କରିଥିଲେ। ଝିଅଟିକୁ ପାଗଳୀ, ଚରିତ୍ର ହୀନା କୁହାଗଲା। ତଦନ୍ତ ରିପୋର୍ଟକୁ ବଦଳା ଗଲା। ଖୋଦ ପୋଲିସ ଡିଜିଙ୍କ ନାମରେ ୯୦ ହଜାର ଟଙ୍କା ଲାଂଚ ଦେଇ ଝିଅଟିର ପାଟି ଚୁପ କରିବାର ଅଭିଯୋଗ ଏହି ଝିଅ ଆଣିଲେ। ଆତ୍ମହତ୍ୟା ପରେ ମୁଖ୍ୟମନ୍ତ୍ରୀ ସମ୍ବେଦନା ଦେଖାଇବା ବଦଳରେ ପୋଲିସ ବିଭାଗ ଦ୍ୱାରା ପ୍ରମାଣ ନଷ୍ଟର ସୁଯୋଗ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ସମ୍ବଲପୁରରେ ହାଜତ ଭିତରେ ହତ୍ୟା କରା ଯାଇଥିବା ଯୁବକର ଅପରାଧ କଣ ସେ ଗରୀବ ଓ ଆଦିବାସୀ ଥିଲା ବୋଲି କି ବୋଲି ସେ ପ୍ରଶ୍ନ କରିଥିଲେ। ବାଲେଶ୍ୱର ସଭାରେ ଅଣ୍ଡା ପକାଇବା ଭୁଲ କହିବା ସହ ଅଣ୍ଡା ପରମାଣୁ ବୋମା ଥିଲା କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ।

ମୁଖ୍ୟମନ୍ତ୍ରୀଙ୍କ ସାମନାରେ ତାଙ୍କର ଗୁଣ୍ଡା ମାନେ ଯେପରି ଦ୍ରୌପଦୀର ବସ୍ତ୍ରହରଣ ସ୍ଥିତି ଉତ୍ପନ୍ନ କଲେ ଏହା କି ପ୍ରକାର ମହିଳାକୁ ସମ୍ମାନ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ମହିଳାଙ୍କ ବିରୁଦ୍ଧରେ ହତ୍ୟା ଷଡଯନ୍ତ୍ର ଅଭିଯୋଗ ମାତ୍ର ତାଙ୍କୁ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ, ଏହା କି ପ୍ରକାର ନ୍ୟାୟ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାପାଳ ଓଡିଆ ଝିଅ ରଶ୍ମିତା ପଣ୍ଡାଙ୍କ ଆବାସିକ କାର୍ଯ୍ୟାଳୟକୁ ମଇଳା ପକା ଯିବା, ଆଇଏଏସ ଅଧିକାରୀ ସଂଜୟ ସିଂହଙ୍କ ଘରେ ମନ୍ତ୍ରୀ ଦଳୀୟ ସମର୍ଥକ ପଠାଇ ଭଙ୍ଗାରୁଜା କରିବା ଓ ମନ୍ତ୍ରୀ ଦାମ ରାଉତଙ୍କ ଘରେ ଆନ୍ଦୋଳନକାରୀ ମାନେ ପଶିବା ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ଥିଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ବିଶାଳ ପ୍ରତିମୂର୍ତି ବରୁଣେଇ ପାହାଡ ଉପରେ ନିର୍ମାଣ ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଶ୍ରୀ ପ୍ରଧାନ। ଉପକୂଳ ରାଜପଥ ପୂର୍ବ ଯୋଜନାରେ ପରିବର୍ତ୍ତନ କରି ବ୍ରହ୍ମଗିରିର ମହିଷା ବ୍ରହ୍ମପୁର ଗାଁ ଦେଇ ମୂଳ ଯୋଜନାରେ ପରିବର୍ତ୍ତନ କରା ଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଓଡିଶାର ସାଂସ୍କୃତିକ ପରିଚୟ ଚିଲିକାକୁ ପୁନରୁଦ୍ଧାର କରି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଦେବା ପାଇଁ ତାଙ୍କ ମନ୍ତ୍ରଣାଳୟ ଅଧୀନସ୍ଥ ଓଏନଜିସି ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇ ୟୁନେସ୍କୋ ସହିତ କାମ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *