ଓଡ଼ିଶା

୧୭ ଜୁଲାଇରେ ଷାଠିଏ ହଜାର ଗ୍ରୁପ୍ ‘ଡି’ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ୱର, ତା ୧୦ା୭ (ଓଡ଼ିଆ ପୁଅ): ଷଷ୍ଠ ବେତନରେ ଥିବା ତ୍ରୁଟି ସଂଶୋଧନ କରି କେନ୍ଦ୍ରୀୟ ଢାଞ୍ଚାରେ ସର୍ବନିମ୍ନ ଟ.୧୮, ୦୦୦ଙ୍କା ଦରମା ପ୍ରଦାନ, (ଜଝଚ) ରେ ୧୦ବର୍ଷ, ୨୦ ବର୍ଷ, ୩୦ ବର୍ଷ ପରିବର୍ତ୍ତନ ମାନ୍ୟବର ସୁପ୍ରିମକୋର୍ଟ ୨୦୧୬ ମସିହା ନଭେମ୍ବର ୪ତାରିଖରେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଗ୍ରୁପ୍ ‘ଡି’ ବର୍ଗର ଅସ୍ଥାୟୀ କର୍ମଚାରୀ ଯଥା ଠିକା, ଟେମ୍ପୋରାରୀ ଷ୍ଟାଟସ୍, ଆଉଟ୍ସୋର୍ସିଂ, ସର୍ଭିସ୍ ପ୍ରୋଭାଇଡର, ଡି.ଏଲ୍.ଆର. ଆଦି କର୍ମଚାରୀଙ୍କୁ ‘ସମାନ କାମକୁ ସମାନ ଦରମା’ ଏବଂ ସ୍ଥାୟୀ କର୍ମଚାରୀର ମାନ୍ୟତା ଦେଇ ବେତନ ପ୍ରଦାନ ସହ ପେନ୍ସନ୍ ଘୋଷଣା, ଗ୍ରୁପ୍ ‘ଡି’ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷ ପରିବର୍ତ୍ତେ ୬୨ବର୍ଷକୁ ବୃଦ୍ଧି, ମୃତ କର୍ମଚାରୀଙ୍କ ପରିବାରରୁ ଉତ୍ତରାଧିକାରୀ ସୂତ୍ରରେ ଜଣକୁ ସିଧାସଳଖ ସ୍ଥାୟୀ ନିଯୁକ୍ତି ପ୍ରଦାନ ଆଦି ଦାବି ନେଇ ଚଳିତ ମାସ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ବିଶାଳ ପଟୁଆରରେ ଦାବିପତ୍ର ପ୍ରଦାନ କରାଯିବାକୁ ସଂଘ ନିଷ୍ପତ୍ତି ନେଇଛି। ପ୍ରକାଶଥାଉକି ସର୍ବଭାରତୀୟ ଗ୍ରୁପ୍ ‘ଡି’ କର୍ମଚାରୀ ମହାସଂଘର ନିଷ୍ପତ୍ତି କ୍ରମେ ଆଜି ୟୁନିଟ୍-୩ସ୍ଥିତ ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘ ପରିସରରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଗ୍ରୁପ୍ ‘ଡି’ ବର୍ଗର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ପ୍ରତିନିଧିମାନେ କହିଛନ୍ତି ଯେ ବିଗତ ବର୍ଷମାନଙ୍କରେ ତିନିତିନିଥର ସଂଘର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଆସି ଉପରୋକ୍ତ ଦାବି ସଂକ୍ରାନ୍ତରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ପ୍ରଶାସନିକ ଅମଲାତନ୍ତ୍ରୀ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରିଚାଲିଥିବାରୁ ଜୁଲାଇ ୧୭ରେ ମହାସଂଗ୍ରାମର ଆହ୍ୱାନ ଦେବାକୁ ବାଧ୍ୟ ହୋଇଛନ୍ତି। ସଂଘର ସଭାପତି ଗଙ୍ଗାଧର ସ୍ୱାଇଁ ଓ ସାଧାରଣ ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ଦାସ କହିଛନ୍ତି ଯେ ଫିଟ୍ମେଣ୍ଟ କମିଟିର ଅଧ୍ୟକ୍ଷ, ମୁଖ୍ୟଶାସନ ସଚିବ, ଘରୋଇ ସଚିବ, ଅର୍ଥସଚିବ ସର୍ବୋପରି ଅର୍ଥମନ୍ତ୍ରୀ ଓ ସଚିବାଳୟ ତୃତୀୟ ମହଲାରେ ଥିବା ପ୍ରଶାସନିକ କର୍ତ୍ତୃପକ୍ଷମାନଙ୍କୁ ସଂଘର ପ୍ରତିନିଧିମାନେ ଦାବି ସମ୍ବନ୍ଧରେ ନିଷ୍ପତ୍ତି ଅଥବା ସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରି ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ ମଧ୍ୟ ତଳିଆ ବର୍ଗର କର୍ମଚାରୀଙ୍କ ଦାବିକୁ ବେଖାତିର କରି କର୍ଣ୍ଣପାତ କରିନାହାଁନ୍ତି ବୋଲି ଅଭିଯୋଗ କରିବା ସହ କଡ଼ା ସମାଲୋଚନା କରିଛନ୍ତି। ପ୍ରଶାସନିକ ଅମଲାତନ୍ତ୍ରୀ ଦାବିଗୁଡ଼ିକ କାର୍ଯ୍ୟକାରୀ କରିବାରେ ଲୁଚକାଳି ଖେଳୁଥିବାରୁ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଆଲୋଚନା ଜରିଆରେ ଦାବିସବୁ ସମାଧାନ ହେବ ବୋଲି ସଂଘକୁ ଦେଇଥିବା ପ୍ରତିଶ୍ରୁତି ତତ୍କ୍ଷଣାତ୍ କାର୍ଯ୍ୟକାରୀ ନକଲେ ରାଜ୍ୟର ସମସ୍ତ ଗ୍ରୁପ୍ ‘ଡି’ ବର୍ଗର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନେ ସରକାରଙ୍କୁ ଅସହଯୋଗ କରିବେ ଓ ଦାବି ହାସଲ ହେବା ପର୍ଯ୍ୟନ୍ତ ତୀବ୍ର ଆନ୍ଦୋଳନ ଜାରି ରହିବ ବୋଲି ଚରମବାଣୀ ଶୁଣାଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର କୃଷି ବିଭାଗ ସଂଘ ସ୍ୱାସ୍ଥ୍ୟ ବିଭାଗ ସଂଘ, ଗ୍ରାମ୍ୟ ନିର୍ମାଣ ସଂଘ, ଜଙ୍ଗଲ ବିଭାଗ ସଂଘ, ବାଣିଜ୍ୟ ଓ ପରିବହନ ସଂଘ, ହସ୍ତ ଓ କୁଟିର ଶିଳ୍ପ ବିଭାଗ, ସବାୟ ବିଭାଗ ସଂଘ, ପଶୁପାଳନ ସଂଘ, ହୋମିଓପାଥିକ ସଂଘ, ମୂର୍ତ୍ତିକା ସଂରକ୍ଷଣ, ଶିକ୍ଷା ବିଭାଗ ଓ ସମସ୍ତ ବର୍ଗର ଅସ୍ଥାୟୀ କର୍ମଚାରୀ ପ୍ରତିନିଧିମାନେ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top