୧୭ଶ ଭଦ୍ରକ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା ଏକ ବିଂଶ ଶତାବ୍ଦୀରେ ଗାନ୍ଧି ଦର୍ଶନର ପ୍ରାସଙ୍ଗିକତା ନେଇ ଆଲୋଚନା

ଭଦ୍ରକ,୨୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ମନମୋହନ ସଂଗୀତ ପରିଷଦ ପରିସର ସନ୍ସାଇନ ମିଶନ ସ୍କୁଲ ପଡିଆରେ ଚାଲିଥିବା ଭଦ୍ରକ ପୁସ୍ତକ ମେଳାର ଆଜି ଥିଲା ତୃତୀୟ ସନ୍ଧ୍ୟା । ଏହି ସାରସ୍ୱତ ଅଧିବେଶନରେ ‘ଏକବିଂଶ ଶତାବ୍ଦୀରେ ଗାନ୍ଧି ଦର୍ଶନର ପ୍ରାସଙ୍ଗିକତା’ ଶୀର୍ଷକ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଆଇନଜୀବୀ ତୁଷାରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଏସ୍.ଏମ୍ ଫାରୁକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ, ସମ୍ମାନିତ ବକ୍ତା ଭାବେ ପ୍ରଫେସର ରାଜକିଶୋର ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ପ୍ରଦୀପ୍ତ ରାୟ ଯୋଗ ଦେଇଥିଲେ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶ ସମସ୍ତଙ୍କ ପାଇଁ ଅନୁକରଣୀୟ ନିଶ୍ଚିତ । ତେବେ ଗାନ୍ଧିଙ୍କର ଯେଉଁ ଦର୍ଶନ ରହିଥିଲା, ଏବେ ଏକବିଂଶ ଶତାବ୍ଦୀରେ ସେହି ଦର୍ଶନର ଅବନତି ଘଟିଛି । ଉନବିଂଶ ଶତାବ୍ଦୀର ସାମାଜିକ ସ୍ଥିତିର ଦର୍ଶନ ଏବଂ ଏକବିଂଶ ଶତାବ୍ଦୀର ସାମାଜିକ ଚଳଣିରେ ବହୁ ପରିବର୍ତ୍ତନ ଘଟିଛି । ସେ ସମୟର ଗାନ୍ଧିବାଦ ଆଜି ଆଉ ନାହିଁ । ଯେଉଁ ଗାନ୍ଧିି ତାଙ୍କର ଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଖ୍ୟାତ ହୋଇଥିଲେ ଆଜି ସେହି ଦର୍ଶନ ଏକ ପ୍ରକାର ଲୋପ ପାଇବାକୁ ବସିଛି । ମାତ୍ର ଆଜିର ଦିନରେ ଗାନ୍ଧି ଦର୍ଶନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜିର ଉତ୍ସବରେ ପୁସ୍ତକ ମେଳା କମିଟିର ପୂର୍ବତନ ସଭାପତି ତଥା ଭଦ୍ରକ ମାଟିର ଗର୍ବ ଗୌରବ ବାଗ୍ମୀ ଅପୂର୍ବ ରଞ୍ଜନ ରାୟଙ୍କ ଏକ କଟ୍ଆଉଟ୍କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Leave a Reply

Your email address will not be published. Required fields are marked *