ଜିଲ୍ଲା ପରିକ୍ରମା

୧୩ ବର୍ଷ ବିତିଲା, ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ଭଦ୍ରକ ନୂଆ ବସଷ୍ଟାଣ୍ଡ

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ନୂଆ ବସ୍ଷ୍ଟାଣ୍ଡ। ୨୦୦୫ ମସିହାରେ ଉଦ୍ଘାଟନ ହୋଇଥିଲା। ଆଜି ୧୩ ବର୍ଷ ପରେ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାକୁ ନେଇ ୧୩ ବର୍ଷ ହେଲା ବିବାଦ ତୁଟିନାହିଁ। ଭଦ୍ରକର ଅସଲ୍ ବସ୍ ଷ୍ଟାଣ୍ଡ କିହଷଲ ଆଜି ବି ବନ୍ତ ଛକରେ ବସ୍ ମାଲିକ ସଂଘ ପକ୍ଷରୁ ନିର୍ମିତ୍ ବସ୍ ଟର୍ମିନାଲକୁ ବୁଝାଉଛି। ଅନ୍ୟପକ୍ଷଷର ପୌରପାଳିକା ଦ୍ୱାରା ନିର୍ମିତ ନୂଆ ବସ୍ ଷ୍ଟାଣ୍ଡକୁ ସ୍ଥଳ ବିଶେଷରେ ବସ୍ଗୁଡିକ ବିଶ୍ରମସ୍ଥଳ ଭାବେ ବ୍ୟବହାର କରୁଛନ୍ତି। ୧୩ ବର୍ଷ ତଳେ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଆଂଚଳିକ ଉନ୍ନୟନ ପାଣ୍ଠି ଅନୁଦାନ ସମେତ ପୌରପାଳିକା ଅନୁଦାନକୁ ନେଇ ଭଦ୍ରକ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରିଥିଲା। ସେତେବେଳେ ଏ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଜୋରଦାର ଦାବି ହେଉଥିଲା। ଏହାକୁ ସମ୍ମାନ ଜଣାଇ ପୌରପାଳିକା ବସ୍ ଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲା। ଉକ୍ତ ସ୍ଥାନରେ ବସ୍ ଷ୍ଟାଣ୍ଡ ନିର୍ମାଣ ଲାଗି ପର୍ଯ୍ୟାପ୍ତ ସ୍ଥାନ ନଥିଲା। ସାରା ସହରରେ ମଧ୍ୟ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଅନ୍ୟ ବିକଳ୍ପ କିଛି ନଥିଲା। କିନ୍ତୁ ବସ୍ ଷ୍ଟାଣ୍ଡ ନିର୍ମାଣ ସରିବା ପରେ ତତ୍କାଳୀନ ବସ୍ ସିଣ୍ଡିକେଟ୍ ପକ୍ଷରୁ ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରାଇବା ନେଇ ବିବାଦ ସୃଷ୍ଟି କରାଯାଇଥିଲା। ନୂତନ ବସ୍ଷ୍ଟାଣ୍ଡର ଅବସ୍ଥିତିକୁ ନେଇ ଉପୁଜିଥିବା ବିବାଦ, ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ବସ୍ ମାଲିକମାନେ ବ୍ୟବସାୟିକ କ୍ଷତି ସହିବାର ଆଂଶଙ୍କା କରିଥିଲେ ଓ ଯାତ୍ରୀମାନେ ମଧ୍ୟ ନୂଆ ବସ୍ଷ୍ଟାଣ୍ଡରୁ ସହର ଭିତରର ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ଲାଗି ଅସୁବିଧା ଭୋଗିବେ ବୋଲି ବାହାନହା କରାଯାଇଥିଲା। ଏହି ଆଳରେ ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏହା ମଧ୍ୟ ଏକଦା ସହରର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ବର୍ତ୍ତମାନର ସାଂସଦ ଅର୍ଜୁନ ସେଠୀ ମଧ୍ୟ ଅତୀତରେ ଅନଶନରେ ବସିଥିବାର ନଜିର ରହିଥିଲା। ଏତେସବୁ ସତ୍ୱେ ବସ୍ ମାଲିକ ସଂଘ ନିଜ ଜିଦ୍ରେ ଅଟଳ ରହିଥିଲା। ବନ୍ତ ଛକରେ ଥିବା ବସ୍ ରହଣିସ୍ଥଳକୁ ନିଜସ୍ୱ ଅର୍ଥରେ ବିକାଶ କରିଥିଲା ବସ୍ ମାଲିକ ସଂଘ। ସେଠାରେ ଏକ ଯାତ୍ରୀ ବିଶ୍ରାମ ଘର ତିଆରି ହୋଇଥିଲା। ପୌରପାଳିକା ଓ ବସ୍ ମାଲିକ ସଂଘ ବସ୍ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ଲାଗି ଏକ ପ୍ରକାରର ମୁହାଁମୁହିଁ ହୋଇଥିଲେ। ମାମଲା ମଧ୍ୟ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟଙ୍କ ରାୟ ବସ୍ ମାଲିକ ସଂଘ ବିପକ୍ଷରେ ଯିବା ପରେ ପରେ ପୌରପାଳିକା ଓ ବସ୍ ମାଲିକ ସଂଘ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ସମାଧାନର ଫଳ ସ୍ୱରୂପ ବନ୍ତ ଛକର ଯାତ୍ରୀ ବିଶ୍ରାମ ଘର ଭଂଗାଯିବାରୁ ବର୍ତ୍ତିଗଲା। ପରବର୍ତ୍ତୀ ଅବସ୍ଥାରେ ପର୍ଯ୍ୟାୟକ୍ରମେ ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ ବୋଲି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ସମସ୍ତ ରୁଟ୍ରେ ଚଳାଚଳ କରୁଥିବା ବସ୍ଗୁଡିକ ନୂଆ ବସ୍ଷ୍ଟାଣ୍ଡ ଭିତରକୁ ଯାଇ ପୁଣି ବନ୍ତ ଛକରୁ ବସ୍ ଟିର୍ମନାଲରେ ପହଞ୍ଚିବେ ବୋଲି କୁହାଗଲା। ତେବେ କୌଣସି ପ୍ରକାରେ ବନ୍ତ ଛକର ବସ୍ ଟିର୍ମନାଲଟି ପ୍ରକୃତ ବସ୍ଷ୍ଟାଣ୍ଡ କାର୍ଯ୍ୟ କଲା ଏବଂ ଆଜି ବି ସେଇୟା ରହିଛି। ୧୩ ବର୍ଷ ପରେ ବି ଆଜି ନୂଆ ବସ୍ଷ୍ଟାଣ୍ଡ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନାହିଁ। ବାରିପଦା-ଭୁବନେଶ୍ୱର ରୁଟ୍ର ବସ୍ଗୁଡିକ କିଛିକାଳ ବସ୍ଷ୍ଟାଣ୍ଡ ଭିତରେ ନିଜ ଟାଇମ୍କୁ ଲକ୍ଷ୍ୟ କରି ରହୁଥିବାବେଳେ ବାକି ଗ୍ରାମାଞ୍ଚଳ ରୁଟ୍ରେ ଚଳାଚଳ କରୁଥିବା ବସ୍ଗୁଡିକ ବସ୍ ଷ୍ଟାଣ୍ଡ ଭିତରେ ଦେଇ ଯାଉଛି। ମାତ୍ର ବାଲେଶ୍ୱର, କଟକ ବସ୍ ଷ୍ଟାଣ୍ଡ ଭଳି ଭଦ୍ରକର ନୂତନ ବସ୍ ଷ୍ଟାଣ୍ଡରେ ନା ଗହଳି ରହୁଛି ନା ଯାତ୍ରୀସେବା ମିଳୁଛି। କିନ୍ତୁ ସୌଭାଗ୍ୟର କଥା, ବସ୍ଷ୍ଟାଣ୍ଡର ଆଖପାଖ ଇଲାକାରେ ବିକାଶ ଘଟି ଚାଲିଛି। ସରକାରୀ ସ୍ତରରେ ବସ୍ ଷ୍ଟାଣ୍ଡ ନିକଟରେ ପାର୍କ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପୌରପାଳିକାର ପାର୍କ ନିର୍ମାଣ ଚାଲିଥିବାବେଳେ ନିକଟରେ ଏକ କଲ୍ୟାଣ ମଣ୍ଡପର ମଧ୍ୟ ଉଦ୍ଘାଟନ ସରିଛି। ବସ୍ଷ୍ଟାଣ୍ଡ ନିକଟରେ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ରହିଛି। ଇତିମଧ୍ୟରେ ଏକ ପେଟ୍ରୋଲ ପମ୍ପ ମଧ୍ୟ ନିର୍ମାଣ ସରିଛି। ଏଥି ସହିତ ସରକାରଙ୍କ ବହୁଳ ପ୍ରଚାରିତ ଆହାର କେନ୍ଦ୍ର ବି ବସ୍ ଷ୍ଟାଣ୍ଡ ନିକଟରେ ରହିଛି। ଆରମ୍ଭରୁ ବସ୍ ଷ୍ଟାଣ୍ଡ ନିର୍ମାଣରେ ପୌରପାଳିକା କୋଟିଏରୁ ଅଧିକ ଟଙ୍କା ସାରିଥିଲା। ଗତ ୧୩ ବର୍ଷ ମଧ୍ୟରେ ବସ୍ଷ୍ଟାଣ୍ଡକୁ ସଂଯୋଗକାରୀ ରାସ୍ତା ନିର୍ମାଣରେ ମଧ୍ୟ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି। ଏବେ ପାରିପାଶ୍ୱିର୍କ ବିକାଶ ଦିଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଚାଲିଛି। ହେଲେ ବସ୍ଷ୍ଟାଣ୍ଡ କାହିଁକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନାହିଁ, ତାହା ଏବେ ମିଲିଅନ୍ ଡଲାରର ପ୍ରଶ୍ନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top