ଓଡ଼ିଶା

୧୨ ହେକ୍ଟର ପରିମିତ ନୂଆ ଜଂଗଲ ଠାବ ବୈତରଣୀ ପଠାରେ ଇକୋ-ଟ୍ୟୁରିଜିମ୍ ପାର୍କ ଦାବି

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଲୁଣା ଜଂଗଲ ଏବେ ବୃଦ୍ଧି ହେଉଛି ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି। ଭିତରକନିକା ଓ କାଳିଭଞ୍ଜଡିଆ ଲୁଣା ଜଂଗଲ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ଅବିଭକ୍ତ ବାଲେଶ୍ୱର ଏବର ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନସ୍ଥ ଧାମରାର ଦୋସିଙ୍ଗା ଉପକୂଳରେ ୪୬୫.୬୩ ହେକ୍ଟର ପରିମିତ କନିକା ବାଲି (ଡାକନାମ ଉଡା ବାଲି), ୨୧.୨୫ ହେକ୍ଟର ଲଙ୍ଗ୍ ହୁଇଲର, ୩୯.୪୬ ହେକ୍ଟର କୋକାନଟ୍ ଆଇଲାଣ୍ଡ, ୪.୩୦ ହେକ୍ଟର ସ୍କୁଲ୍ ହୁଇଲର, ୧୬.୯୦ ହେକ୍ଟର ସଟ୍ ଆଇଲାଣ୍ଡ (ବୁଦ୍ଧିଆ ବାଲି) ଏବଂ ୧୦୬.୪୯ ହେକ୍ଟର ବାବୁ ବାଲିରେ ଲୁଣା ଜଂଗଲ ଦେଖାଯାଉଥିଲା। ଏବେ କାଣ୍ଡ ନାଳି ପାଖରେ ବୈତରଣୀ ନଦୀରେ ୧୨ ହେକ୍ଟର ପରିମିତ ନିୟୁ ଆଇଲାଣ୍ଡରେ ଲୁଣା ଜଂଗଲ ସୃଷ୍ଟି ହୋଇଛି। ଏଥିସହ ଧାମରା ଠାରୁ ଚନ୍ଦନିପାଳ ପର୍ଯ୍ୟନ୍ତ ୪୦୦.୬୫ ହେକ୍ଟର ଗରମାଳ ମୁଖ୍ୟତଃ ହରକଞ୍ଚ ଓ ହେନ୍ତାଳ ଗଛ ଥିବା ଲୁଣା ଜଂଗଲ ରହିଛି। ଏତଦ୍ବ୍ୟତୀତ କଇଥଖୋଲା ପଂଚାୟତ ଗୌରୀପ୍ରସାଦ, ଶରତ ପ୍ରସାଦ, କରଂଜମାଳ ପଂଚାୟତ ନରେନ୍ଦ୍ରପୁର, ହୃଦୟପ୍ରସାଦ, ଧାନକୁଟା, ବଇଁଚା ଏବଂ କରଣପଲ୍ଲୀ ପଂଚାୟତର କୁଆମରା, ବିଜୟପାଟଣା ଓ କରଣପଲ୍ଲୀ ଗ୍ରାମର ଉପକୂଳ ପଠାରେ କାଇକା ପ୍ରୋଜେକ୍ଟ ମାଧ୍ୟମରେ ୩ ହଜାର ୪୬୭.୦୩ ହେକ୍ଟରରେ ଲୁଣା ଜଂଗଲ ସୃଷ୍ଟି କରାଯାଇଥିଲା। ଏହି ଲୁଣା ଜଂଗଲର ରକ୍ଷଣା ବେକ୍ଷଣ କରିବା ନିମନ୍ତେ ଜଂଗଲ ବିଭାଗ ଦ୍ୱାରା ଗ୍ରାମବାସୀ ଓ ସଂପୃକ୍ତ ବିଭାଗକୁ ନେଇ ଇକୋ ଡେଭଲପମେଣ୍ଟ କମିଟି (ଇଡିସି) ମାନ ଗଠନ କରାଯାଇଥିଲା। ପ୍ରତ୍ୟେକ ଇଡିସିର ସଭାପତି ଓ ସଂପାଦକ ଜଂଗଲ ବିଭାଗର କର୍ମଚାରୀ ଥିବାବେଳେ ଗ୍ରାମବାସୀ ସଦସ୍ୟ ଥିଲେ। ଇଡିସି କାର୍ଯ୍ୟାଳୟ ନିର୍ମାଣ କରାଯାଇ ପ୍ରତ୍ୟେକ କମିଟିକୁ ୧ ଲକ୍ଷ ଟଙ୍କା କରପସ୍ ଫଣ୍ଡ ପ୍ରଦାନ କରାଯାଇଥିଲା। ଜାଇକା ପ୍ରୋଜେକ୍ଟର ଅବଧି ସରିବା ପରେ ଜଂଗଲ ବିଭାଗ ଇଡିସି କର୍ମକର୍ତ୍ତାରୁ ଓହରି ଯାଇ ୩ ହଜାର ୪୬୭.୦୩ ହେକ୍ଟରରେ ସୃଷ୍ଟି କରାଯାଇଥିବା ଲୁଣା ଜଂଗଲକୁ ସଂପୂର୍ଣ୍ଣ ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ଇଡିସିକୁ ହସ୍ତାନ୍ତର କରିଥିଲେ। ପରେ ଲୁଣା ଜଂଗଲ ମଧ୍ୟରେ ମାଛକଣ୍ଟା ପଦ୍ଧତିରେ ଖୋଳା ଯାଇଥିବା ନାଳ ଗୁଡିକ ବିଲରେ ପୋତି ହୋଇଯିବାରୁ ସମୁଦ୍ରର ଲୁଣା ପାଣି ଜଂଗଲ ମଧ୍ୟରେ ମାଡି ପାରିଲା ନାହିଁ। ଫଳରେ ପାଣି ନପାଇ କେତେକ ଗଛ ମରିଗଲାବେଳେ ଇଡିସିକୁ ନାଲି ଆଖି ଦେଖାଇ ମଇଁଷି ରଖିଥିବା ଗୋପାଳକ ବନି ଗଛ କାଟି ମଇଁଷି ଓ ଗୋରୁଙ୍କୁ ଖୁଆଇଲେ। ଏଥିସହ ଚିଙ୍ଗୁଡି ମାଫିଆ ଜଂଗଲ କାଟି ଅବଧି ଚିଙ୍ଗୁଡି ଘେରି କରିବା ଏବଂ ଚିଙ୍ଗୁଡି ଘେରିର କେମିକାଲ ମିଶା ପାଣିକୁ ଛାଡିବା ଜଂଗଲ ଧ୍ୱଂସ ହେବାର ଅନ୍ୟତମ କାରଣ। ଏହାକୁ ଜଗିବା ପାଇଁ ଆବଶ୍ୟକୀୟ ସଂଖ୍ୟକ ଫରେଷ୍ଟ ଗାର୍ଡ ନଥିବାରୁ ଏହି ଜଂଗଲରେ ବର୍ତ୍ତମାନ ମାଫିଆଙ୍କ ରାଜ୍ ଚାଲିଛି। ଏହାଫଳରେ କୋଟି କୋଟି ଟଙ୍କା ବ୍ୟୟରେ ସୃଷ୍ଟି କରାଯାଇଥିବା ଲୁଣା ଜଂଗଲ ଧ୍ୱଂସାଭିମୁଖୀ ହେବାରେ ଲାଗିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବେ ଠାରୁ ଏହାର ସଂରକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଏଠାରେ ଇକୋ-ଟ୍ୟୁରିଜିମ୍ ପାର୍କ ପ୍ରତିଷ୍ଠା କରିବାକୁ ପରିବେଶବିତ୍ ମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top