ଓଡ଼ିଶା

୧୨ ବର୍ଷ ଝିଅର ଆତ୍ମହତ୍ୟା କେନ୍ଦ୍ରାପଡା ଜିଲ୍ଲାର ଆର୍ଥିକ ଅବସ୍ଥାର ଚିତ୍ର

କେନ୍ଦ୍ରାପଡା ୧୩/୬(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସହର ନିକଟସ୍ଥ ବୀରସ୍ୱତୀ ଗ୍ରାମର ଏକ ଦରିଦ୍ର ପରିବାରର ଝିଅଟି ରଜପାଇଁ ଡ୍ରେସଟିଏ କିଣିବା ନିମନ୍ତେ ମାତ୍ର ୧୫୦ ଟଙ୍କା ବାପାଙ୍କୁ ମାଗିଥିଲେ। ମାତ୍ର ଦାରିଦ୍ର୍ୟର କଷାଘାତରେ ଆଉଟୁ ପାଉଟୁ ହେଉଥିବା ବାପାଟି ତାହା ଦେଇ ନପାରିବାରୁ ୧୨ ବର୍ଷର ଝିଅଟି ଆତ୍ମହତ୍ୟା କଲା। ଏହି ଦୁଃଖଦ ସମ୍ବାଦ କେବଳ ଯେ ସମସ୍ତଙ୍କୁ ଦୁଃଖିତ କରିଛି ତାହା ନୁହେଁ ବରଂ ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଚିନ୍ତା କରିବାକୁ ଖୋରାକ ଯୋଗାଇଛି। ଏଠାରେ ମନେ ପଡେ ଯେତେବେଳେ ଦୈତାରୀ – ପାରାଦୀପ ୫ନମ୍ବର (କ) ଜାତୀୟ ରାଜପଥ ନିର୍ମାଣ ହେବାପାଇଁ ହଜାର ହଜାର ଏକର ଚାଷ ଜମି ଅଧିଗ୍ରହଣ କରାଗଲା। ସେତେବେଳେ ଚାଷ ଜମି ହରାଇଥିବା ଅଧିବାସୀ ଭାବି ଥିଲେ ଯେ କେନ୍ଦ୍ରାପଡାର ଉନ୍ନତି ହେବ ଏବଂ ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ଶିଳ୍ପାଂଚଳ ଗଢିଉଠିବ। କିନ୍ତୁ ସେମାନଙ୍କର ସ୍ୱପ୍ନ ସ୍ୱପ୍ନରେ ରହିଗଲା। ସେମାନେ ହରାଇଥିବା ଜମି ଉପରେ ପାରାଦୀପକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କଡରେ ନୂତନ ରେଳପଥ ନିର୍ମିତ ହେଉଛି। ଗୋଟିଏ ପଟେ ପାରାଦୀପରେ ବିଭିନ୍ନ ଶିଳ୍ପାଂଚଳ ଓ ତୈଳ ବିଶୋଧନାଗାର ଗଢି ଉଠିଥିଲା ବେଳେ ଅନ୍ୟପଟେ ଯାଜପୁର ଜିଲ୍ଲାରେ ଶିଳ୍ପାଂଚଳ ମଧ୍ୟ ଗଢି ଉଠିଛି କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର କିଛି ଉନ୍ନତି ହୋଇନାହିଁ କିମ୍ବା ଏହି ୫ନମ୍ବର(କ) ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା ହୋଇ ପାରି ନାହିଁ। ଜିଲ୍ଲାର ଶହ ଶହ ବେକାରୀ ଯୁବକ ଆମ ଅଂଚଳର ପୁଅ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ସାଇକେଲ ଚଢି ପାରାଦୀପରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇ ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ତୈଳ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ ଫଳରେ ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ହେଲା। କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ମାତ୍ର ବେକାରୀ ଯୁବକ ସେଠାରେ ଚାକିରି ପାଇଲେ ନାହିଁ। କେନ୍ଦ୍ରାପଡାବାସୀଙ୍କ ଛାତି ଉପରେ ଶହ ଶହ ଟ୍ରକ, ଟ୍ୟାଙ୍କର ଇତ୍ୟାଦି ଦେଶର ବିଭିନ୍ନ ସ୍ଥାନରୁ ପଣ୍ୟଦ୍ରବ୍ୟ ନେଇ ପାରାଦୀପକୁ ଆସୁଛନ୍ତି ଏବଂ ପ୍ରତିଦିନ ବହୁ ଲୋକ ଦୁର୍ଘଟଣାରେ ପ୍ରାଣତ୍ୟାଗ କରୁଛନ୍ତି। ଆମେ ଖାଲି ଏହି ଦୃଶ୍ୟ ଦେଖି ସହିଯାଉଛୁ। ଆମ କଥା ଶୁଣିବାକୁ ଯେମିତି କେହି ନାହିଁ। ପାରାଦୀପ ବନ୍ଦରକୁ ଓ ସେଠାରେ ଗଢିଉଠିଥିବା ଶିଳ୍ପାନୁଷ୍ଠାନ ମାନଙ୍କୁ ସଂଯୋଗ କରିବା ପାଇଁ ଯାଜପୁର ଓ ଜଗତସିଂହପୁର ଜିଲ୍ଲା ମଝିରେ କେନ୍ଦ୍ରାପଡା ଜିଲ୍ଲା ଅବସ୍ଥିତ। କିନ୍ତୁ ଏହାର ଉନ୍ନତି ପାଇଁ କେନ୍ଦ୍ରାପଡା ବାସୀ ଯେତେ ଦାବି କଲେ ମଧ୍ୟ କେହି ଶୁଣୁନାହାନ୍ତି। ଫଳରେ କେନ୍ଦ୍ରାପଡା ଜିଲ୍ଲାର ଆର୍ଥିକ ଅବସ୍ଥିତି ଶୋଚନୀୟ ହୋଇ ପଡିଲାଣି ଏବଂ ଏହାର ଫଳ ସ୍ୱରୂପ ଗୋଟିଏ ୧୨ ବର୍ଷ ବୟସର ବାଳିକାକୁ ରଜ ପାଇଁ ତା’ର ବାପା ମାତ୍ର ୧୫୦ ଟଙ୍କାର ଡ୍ରେସ ଁ କିଣି ଦେବାପାଇଁ ଅକ୍ଷମ ହେବାରୁ ବାଳିକାଟି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି। ଏହାପାଇଁ ଦାୟୀ କିଏ ? ସେଥିପାଇଁ କେନ୍ଦ୍ର୍ରାପଡା ବାସୀ ରାଜରାସ୍ତାକୁ ଓହ୍ଲାଇ ଚରମ ପଦକ୍ଷେପ ନେବା ଛଡା ଅନ୍ୟ ଉପାୟ ନାହିଁ ବୋଲି ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ପ୍ରାକ୍ତନ ସରକାରୀ ଓକିଲ ଗୈାର ପ୍ରସାଦ ମହାପାତ୍ର, ଇଂ ଆଲୋକ ଜେନା ଓ ପୂର୍ବତନ ସରପଂଚ ମାନସ ଦାସ ପ୍ରମୁଖ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top