୧୨ଚକିଆ ଟ୍ରକ ଭିତରୁ ଡ୍ରାଇଭର ମୃତ ଦେହ ଉଦ୍ଧାର ,ସନ୍ଦେହ ଜନକ ମୃତ୍ୟୁ

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଏକ ୧୨ ଚକ ବିଶିଷ୍ଟ (ଡଳୁ ବି ୨୯ ୧୧୪୧)ଏକ ଟ୍ରକ ଭିତରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଏହି ଗାଡ଼ି ଗତ ଶନିବାର ସନ୍ଧ୍ୟା ସମୟରେ ଉକ୍ତ ସ୍ଥାନରେ ଠିଆ ହୋଇଥିବାର ଜଣାପଡିଛି । ଗାଡିର ହେଲପର ଏହି ଘଟଣା ବାବଦରେ ଜାଣିବା ପରେ ମାଲିକଙ୍କୁ ଜଣାଇଥିଲେ । ଖବର ପାଇ ଗାଡି ମାଲିକ ଜଣଙ୍କ ଆସି ତୁରୁମୁଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ମୃତ ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣାପଡିଛି । ମୃତକ ଜଣକ ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ଗ୍ରାମର ହେମନ୍ତ ମହାକୁଡ଼ ବୋଲି ଜଣାପଡ଼ିଛି । ସେ ହଳଦିଆ ପୋର୍ଟରୁ ରିଫାଇନ ତେଲ ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯାତ୍ରା କରୁଥିଲେ । କୌଣସି କାରଣରୁ ଏଠାରେ ତାଙ୍କର ମୃତ୍ୟୁ ଘଟିଛି ନା ତାଙ୍କୁ କିଏ ମାରିଦେଇଛି ତାହା ଅସ୍ପଷ୍ଟ ହୋଇରହିଛି । ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସହ ଡ୍ରାଇଭରଙ୍କ ପରିବାର ଲୋକମାନଙ୍କ ସହ ଯୋଗାଯୋଗ ନିମନ୍ତେ ଉଦ୍ୟମ ଚଳାଇଥିବାର ଜଣାପଡିଛି । ଘଟଣା ବାବଦରେ ଅଧିକରୁ ଅଧିକ ତଦନ୍ତ ଚଳାଇବା ସହ ସତ୍ୟାସତ୍ୟ ଜାଣିବାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଥିବାର ପୋଲିସ ପକ୍ଷରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *