୧୦ ହଜାର ଟଙ୍କାର ଲାଞ୍ଚ ମହଙ୍ଗା ପଡ଼ିଲା – ଭିଜିଲାନ୍ସ ଜାଲରେ ବାଲିଆପାଳ ଥାନା ଆଇଆଇସି

– ଉପରିସ୍ଥ ଅଧିକାରୀଙ୍କ ପାଇଁ ନେଉଥିଲେ ଅର୍ଥ
ବାଲେଶ୍ୱର,୧୬/୫(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବାଲିଆପାଳ ଥାନାଧିକାରୀ ସୁରେନ୍ଦ୍ର ନାଥ ବେହୁରିଆଙ୍କୁ ଭିଜିଲାନ୍ସ ଟିମ୍ ଆଜି ଗିରଫ କରିଛି। ଏଥି ସହିତ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ହୋଇ ଶ୍ରୀ ବେହୁରିଆଙ୍କର ବହୁ ଟଙ୍କାର ଆୟ ବହୁର୍ଭୁତ ସମ୍ପତ୍ତି ଠାବ କରାଯାଇଛି। ଭାଗୀଦାରୀ ଭାବେ କରିଥିବା ମୁଗଚାଷକୁ ନେଇ ବିବାଦ ଉପୁଜିବାରୁ ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚଡିହା ଅଞ୍ଚଳର ଗଣେଶ ରଂଜନ ମହାପାତ୍ର ତାଙ୍କର ସମ୍ପର୍କୀୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ଗତ ୩୦ ତାରିଖ ଦିନ ଥାନାଧିକାରୀ ଶ୍ରୀ ବେହୁରିଆଙ୍କଠରେ ଏକ ଏତଲା ଦାୟର କରିଥିଲେ। ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବେ ବୋଲି ସେ ଗଣେଶଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧ ତାରିଖ ଦିନ ଅଭିଯୁକ୍ତ ଶରତଙ୍କଠାରୁ ଅନ୍ୟଏକ କାଉଣ୍ଟର ଅଭିଯୋଗ ଗ୍ରହଣ କରି ଶ୍ରୀ ବେହୁରିଆ ଗଣେଶକୁ ଧମକ ଚମକ ଦେବା ସହ ଗିରଫର ଭୟ ଦେଖାଇଥିଲେ। ପ୍ରଥମ ଏତଲାକୁ ଗ୍ରହଣ ନକରି କାଉଣ୍ଟର ଏତଲା ମୂଳେ କିପରି ମାମଲା ରଜୁ କରାଗଲା ବୋଲି ଗଣେଶ ପଚାରନ୍ତେ ଶ୍ରୀ ବେହୁରିଆ ଗାଳିଗୁଲଜ କରିବା ସହ ତୁରନ୍ତ  ଆପୋସ ସମାଧାନ ନ କଲେ ତାଙ୍କୁ ଗିରଫ କରିବେ ବୋଲି ଚେତାବନୀ ଦେଇଥିଲେ। ଏଥି ସହିତ ଏହି ଆପୋସ ଆଲୋଚନା ଭିତ୍ତିରେ ସମାଧାନ ପାଇଁ ଗଣେଶଙ୍କଠାରୁ ସେ ୩୦ ହଜାର ଟଙ୍କା ଦାବି କରିଥିଲେ। ଶେଷରେ ୧୦ ହଜାର ଟଙ୍କା ଦେବାକୁ ରାଜି ହୋଇ ଗଣେଶ ଭିଜିଲାନ୍ସ ବିଭାଗ ସହ ଆଲୋଚନା କରିଥିଲେ। ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶରେ ୨୪/୨୦୧୭ ନଂର ମାମଲା ରୁଜୁ ସହ ଗଣେଶଙ୍କୁ ୧୦ ହଜାର ଟଙ୍କାର ରଙ୍ଗବୋଳା ନୋଟ ପ୍ରଦାନ କରାଯାଇଥିଲା। ଚୁକ୍ତି ଅନୁସାରେ ସେ ଥାନାଧିକାରୀ ଶ୍ରୀ ବେହୁରିଆଙ୍କୁ ତାଙ୍କ କ୍ୱାର୍ଟର୍ସରେ ଆଜି ସକାଳେ ଏହି ଟଙ୍କା ପ୍ରଦାନ କରିବା ବେଳେ ସାଦାପୋଷାକରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା ବୋଲି ଏସପି ସୁନୀଲ କୁମାର ସେନାପତି ସୂଚନା ଦେଇଛନ୍ତି। ଏଥି ସହିତ ଭିଜିଲାନ୍ସ ଡିଏସପି ସଂଜୟ କୁମାର ଦାସମହାପାତ୍ରଙ୍କ ନେତୃତ୍ୱରେ ଦଶଜଣିଆ ଏକ ଟିମ୍ ଦ୍ୱାରା ବାଲିଆପାଳ ଥାନା, ବାଲେଶ୍ୱର ସହରର ନୂଆବଜାର ସ୍ଥିତ ଭଡ଼ାଘର ଓ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ପୈତୃକ ଘରେ ଚଢ଼ଉ ହୋଇଛି। ଏହି ଚଢ଼ଉରେ ବହୁ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ରାଧିକ ଦୁର୍ନୀତିରେ ଜଡ଼ିତ ହୋଇ ସର୍ବଦା ବିବାଦରେ ରହୁଥିବା ଥାନାଧିକାରୀ ଶ୍ରୀ ବେହୁରିଆଙ୍କ ବିରୋଧରେ ଗଣେଶ ମହାପାତ୍ରଙ୍କର ଏହି ପଦକ୍ଷେପ ତଥା ଭିଜିଲାନ୍ସ ବିଭାଗର ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ତେବେ ଜିଲ୍ଲାର ଅନ୍ୟାନ୍ୟ ଥାନା ଅଧିକାରୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି। ଅନ୍ୟପକ୍ଷରେ କୌଣସି ଥାନାଧିକାରୀ ନିଜ ଇଚ୍ଛାରେ ଏତେ ଟଙ୍କାର ଲାଞ୍ଚ ନେଇ ନଥାଏ ବୋଲି ଗିରିଫ ଅଭିଯୁକ୍ତ ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ଦାବି ଓ ମାସିକ ବଟି ପରିମାଣକୁ ଦୃଷ୍ଟିରେ ରଖି ଆଇଆଇସିମାନେ ଅସଦ୍ ଉପାୟରେ ଏହିଭଳି ମୋଟା ଅଙ୍କର ଅର୍ଥ ଆଦାୟ ପାଇଁ  ବାଧ୍ୟ ହୋଇ ଥା’ନ୍ତି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *