ୟୁବିଆଇର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ପଦୋନ୍ନତି

ଭୁବନେଶ୍ୱର ୨୬ ମଇ (ଓଡ଼ିଆ ପୁଅ): ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଓ ଓଡ଼ିଶା ରାଜ୍ୟ ପାଇଁ ଆର୍ବିଆଇ ରାଜ୍ୟ ସରକାରଙ୍କ ସହ ବ୍ୟାଙ୍କର ମୁଖ୍ୟ ସଂଯୋଜକ ମୁକ୍ତି ରଞ୍ଜନ ରାୟ ପଦୋନ୍ନତି ପାଇବା ପରେ ତାଙ୍କୁ ବ୍ୟାଙ୍କର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଟ୍ରାନ୍ସଫର୍ କରାଯାଇଛି। ସେଠାରେ ସେ ଆଗାମୀ ଅକ୍ଟୋବର ମାସରେ ଅଗ୍ରୀମ ବିଭାଗର ମହାପ୍ରବନ୍ଧକ ପଦବୀ ତୁଲାଇବେ ବୋଲି ଜଣାପଡିଛି। ଶ୍ରୀ ରାୟ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟରେ ଯୋଗଦେବା ପରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବିମୁଦ୍ରୀକରଣ, ଆର୍ବିଆଇ ଦ୍ୱାରା ପ୍ରସ୍ତାବିତ ପିସିଏ ଭଳି କଷ୍ଟସାଧ୍ୟ କାର୍ଯ୍ୟକୁ ଶାଖାମାନଙ୍କ ଦ୍ୱାରା ସୁଚାରୁରୂପେ ତୁଲାଇଥିବା ବେଳେ ଋଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ଆଣିଥିଲେ। ଅଗ୍ରୀମ ଓ ଅସୁଲିରେ ଶ୍ରୀ ରାୟଙ୍କ କାର୍ଯ୍ୟକାଳରେ ୨୦୧୭-୧୮ ମସିହାରେ ଭୁବନେଶ୍ୱର କ୍ଷେତ୍ରର ସଫଳତା ବ୍ୟାଙ୍କର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ମାନଙ୍କ ମଧ୍ୟରେ ପ୍ରଥମ ଥିବାବେଳେ କ୍ଷେତ୍ରର ମୋଟ ଅଣକାର୍ଯ୍ୟକାରୀ ଋଣ (ଏନ୍ପିଏ)କୁ ୧୧%ରୁ ୬.୫%କୁ ହ୍ରାସ କରି ପାରିଥିଲେ। ଆର୍ବିଆଇ ଓ ରାଜ୍ୟ ସରକାରଙ୍କ ଆହ୍ୱାନରେ ଅନଗ୍ରସର ଜିଲ୍ଲାମାନଙ୍କର ଋଣ-ଜମା ଅନୁପାତକୁ ୪୦% ବା ତାହାର ପାଖାପାଖି ଆଣିବାରେ ସକ୍ଷମ ହୋଇପାରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନେ ଅଣକାର୍ଯ୍ୟକାରୀ ଋଣ ଏବଂ ନିମ୍ନ ଲାଭାଂଶର ଶିକାର ହୋଇଥିବା ବେଳେ ଶ୍ରୀ ରାୟଙ୍କ ତତ୍ତ୍ୱାବଧାନରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ସର୍ବାଙ୍ଗୀନ ବ୍ୟବସାୟ ସଫଳଜନକ ବୋଲି ପ୍ରତିପାଦିତ ହୋଇଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗ୍ରାହକସେବା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପରି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସେ ସୂଚାରୁ ରୂପେ ସମ୍ପାଦନ କରି ବ୍ୟାଙ୍କର କର୍ମଚାରୀ ତଥା ଗ୍ରାହକମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଭୁବନେଶ୍ୱର ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ରାୟଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏହି ଅବସରରେ ଶ୍ରୀ ରାୟଙ୍କ ସମେତ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଅନସ୍ୱୟା ରାୟ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *