ଭୁବନେଶ୍ୱର, ୦୮-୦୯(ଓଡ଼ିଆ ପୁଅ): ସ୍ୱେଚ୍ଛାସେବୀ ଯୁବ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲୁ୍ୟଣ୍ଟାରୀ ୱାର୍କ’ ତରଫରୁ ଜୟଦେବବିହାରସ୍ଥିତ ଜଗନ୍ନାଥ ବସ୍ତିରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଛି। ବସ୍ତିରେ ଥିବା ପିଲାମାନଙ୍କୁ “ଆସ ପଢ଼ିବା, ଦେଶ ଗଢ଼ିବା’, “ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ପ୍ରଭୃତି ନାରା ଦେଇ ସେମାନଙ୍କ ମଧ୍ୟରେ ଶିକ୍ଷା ଉପକରଣ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଶିକ୍ଷିତ ହେଲେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ଓ ନିରକ୍ଷର ହେଲେ ଜୀବନର ପ୍ରତିଟି ମୁହୂର୍ତ୍ତରେ କିଭଳି ମଣିଷଟିଏ କଷ୍ଟପାଏ, ସେ ବିଷୟରେ ପିଲାମାନଙ୍କୁ ବୁଝା ଯାଇଥିଲା। ଅଧାରୁ ପାଠ ଛାଡ଼ିଥିବା ପିଲାଟିର ଅଭିଭାବକ ସହ ସ୍ୱେଚ୍ଛାସେବୀମାନେ ପଢ଼ା ଛାଡ଼ିଥିବାର କାରଣ ପଚାରି ବୁଝିଥିଲେ ଓ କିଭଳି ଏହାର ସମାଧାନ ହେବ ସେ ବିଷୟରେ ଆଲୋଚନା କରିଥିଲେ। ପିଲାମାନେ ଭବିଷ୍ୟତରେ ହେବାକୁ ଥିବା ସ୍ୱପ୍ନ ବିଷୟରେ କହିଥିଲେ ଓ ସ୍ୱେଚ୍ଛାସେବୀମାନେ ଏହାକୁ ପୂରଣ କରିବାରେ ସହାୟକ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନୁଷ୍ଠାନର ସଂଯୋଜକ ମିର୍ ଅହମ୍ମଦ ଅଲ୍ଲୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରିଶ ସିଂ, ସୋହେଲ ବେଗ୍, ଗୋପାଲ କ୍ରିଷ୍ଣା ଯୋଗ ଦେଇଥିଲେ।
