ଆନ୍ତର୍ଜାତୀୟ

ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ସାଧାରଣ ଓଡ଼ିଆ ଘରର ପିଲା ନିଜର ବୌଦ୍ଧିକ ଶକ୍ତି ବଳରେ ଆଣୁଛନ୍ତି ନୂଆ ଆର୍ଥିକ ପ୍ରଗତି – ଧର୍ମେନ୍ଦ୍ର ପ୍ରଧାନ

ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:
ୟୁଏଇ ଓ ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡ଼ିଆମାନଙ୍କୁ କଲେ ସମ୍ବୋଧିତ
ଓଡ଼ିଆ ପିଲା ଓଡ଼ିଶାରେ ସିଲିକନ ଭ୍ୟାଲି ତିଆରି କରିବା ସ୍ବପ୍ନ ଦେଖୁଛି
ସମାଜ ସମ୍ପନ୍ନ ହେଲେ ଚାକିରିଆ ମାନସିକତାରୁ ବାହାରି ଉଦ୍ୟମୀ ହେବ
ମରୁଭୂମିରେ ବୁର୍ଜ ଖଲିଫା ଟାୱାର ଚାରିଆଡେ ଆଲୁଅ ଲଗାଇ ଯଦି ୨ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛି ପୁରୀ, ଲିଙ୍ଗରାଜ ଓ କୋଣାର୍କ ଆଧାରରେ ୨୦ ହଜାର କୋଟି ଟଙ୍କାର ପର୍ୟ୍ୟଟନର ସମ୍ଭାବନା ତିଆରି ସମ୍ଭବ
ଓଡିଶାର କୃଷି ଉତ୍ପାଦ ଦିଲ୍ଲୀ ଅପେକ୍ଷା ସମୁଦ୍ର ପଥରେ ବିଭିନ୍ନ ଦେଶମାନଙ୍କୁ ପହଂଚାଇବା ସହଜ

ଆବୁଧାବି, ଭୁବନେଶ୍ବର, ୧୩ ମଇ (ଓଡ଼ିଆ ପୁଅ) – ୟୁଏଇ ଓ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆ ସମୁଦାୟର ଲୋକଙ୍କୁ ସମ୍ବର୍ଦ୍ଧିତ କରି ସେଠାରେ ଉପସ୍ଥିତ ଥିବା ଅନେକ ପାଂଚ ଶହ- ହଜାର କୋଟିର ମାଲିକ ଥିବା ଓଡ଼ିଆ ମାନଙ୍କର ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯୁଏଇ ଗସ୍ତ ଅବସରରେ ଏହି ଦେଶ ଓ ମଧ୍ୟ ପ୍ରାଚୀରେ ରହୁଥିବା ଓଡ଼ିଆ ମାନଙ୍କର ଏକ ଏକତ୍ରୀକରଣରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜ ଧନୀ ହେବା ଏକ ଭଲ ଲକ୍ଷଣ। ଓଡ଼ିଶାର ମୂଳ ଭୂଖଣ୍ଡରେ ୟୁଏଇ ଓ ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡ଼ିଆଙ୍କ ପରି ଧନୀ ଲୋକ ନାହାନ୍ତି। ସମାଜ ଧନୀ ହେଲେ ସ୍ଵୟଂସମ୍ପୂର୍ଣ୍ଣତା ଆସେ। ସମାଜର ଚାକିରିଆ ମାନସିକତାରୁ ବାହାରକୁ ବାହାରି ନିଜେ ଉଦ୍ୟମୀ ହେବାକୁ ଚେଷ୍ଟା କରେ। ରାଜ୍ୟରେ ପରିବର୍ତ୍ତିତ ପରିସ୍ଥିତିରେ ଆର୍ଥିକ ଦୃଷ୍ଟିରୁ ପଛୁଆ କିନ୍ତୁ ମେଧା ଶକ୍ତିରେ ବେଶ ଆଗୁଆ ନୂଆ ପୀଢିର ଓଡ଼ିଆ ପିଲାମାନେ ନୂଆ ଚିନ୍ତାରେ ନୂଆ ବିଷୟ ତିଆରି କଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଚାମ୍ପିୟାନ୍ସ ଅଫ ଟେଜ ସମ୍ମିଳନୀରେ ଷ୍ଟାର୍ଟଅପ କରୁଥିବା ଢେଙ୍କାନାଳ ଜିଲ୍ଲାର। ଅଖ୍ୟାତ ପଣ୍ଡୁଆ ଗାଁର ଜଣେ ଛୋଟ ଦୋକାନ ଚଳାଉଥିବା ବ୍ୟକ୍ତିର ପୁଅର ଉଦାହରଣ ଦେଇଛନ୍ତି ଶ୍ରୀ ପ୍ରଧାନ। ୯୭ ମସିହାରେ ମାଟ୍ରିକ ପାସ କରିଥିବା ପିଲା ବେଙ୍ଗାଲୁରୁର ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାମ ଆରମ୍ଭ କରି ଆରମ୍ଭ କରିଥିବା ଘରଭଡା ମଡେଲକୁ ଏକ ନୂଆ ରୂପ ଦେଇଛି।

ଦେଶର କିଛି ସହରରେ ଭଡ଼ା ଖୋଜି ଦେବା ଯୋଜନାରେ ୫- ୬ ଶହ କୋଟି ଟଙ୍କାର ବ୍ୟବସାୟ କରୁଛି। ଏହାକୁ ୫ ହଜାର କୋଟି ଟଙ୍କା ଯାଏ ବଢାଇବାର ନକ୍ସାରେ କାମ କରୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପିଲା ସହିତ କଥା ହେବା ବେଳେ ଏହି କମ ବୟସ୍କ ଓଡ଼ିଆ ପିଲା ଅସ୍ତରଙ୍ଗ ଠାରେ ୧୦୦ ବର୍ଗ କିମି ଅଂଚଳରେ ସିଲିକନ ଭ୍ୟାଲି ତିଆରି କରିବାର ସ୍ବପ୍ନ ଦେଖି ପାରୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଙ୍ଗାପୁର- ଦୁବାଇ ବିଗତ ୩୦ ବର୍ଷରେ ମୁଣ୍ଡ ଟେକିଛନ୍ତି। ଆଗାମୀ ୩୦ ବର୍ଷରେ ଓଡିଶା କାହିଁକି ବିଶ୍ୱର ଆଗୁଆ ଅଂଚଳରେ ପରିଣତ ହୋଇ ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ୟୁଏଇର ମରୁଭୂମିରେ ଠିଆ ହୋଇଥିବା ବୁର୍କ ଖଲିଫା ଟାୱାର ଚାରିଆଡେ ଆଲୁଅ ଲଗାଇ ଯଦି ୨ ହଜାର କୋଟି ଟଙ୍କାର ବ୍ୟବସାୟ କରାଯାଇପାରୁଛି, ତା’ହେଲେ ପୁରୀ, ଲିଙ୍ଗରାଜ ଓ କୋଣାର୍କ ଆଧାରରେ ୨୦ ହଜାର କୋଟି ଟଙ୍କାର ପର୍ୟ୍ୟଟନର ସମ୍ଭାବନା ତିଆରି କରାଯିବା ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଯଦି ଆମ ଦେଶର ତୈଳ ଆବଶ୍ୟକତାର ୬୦ ପ୍ରତିଶତ ଆରବ ଦେଶ ମାନଙ୍କରୁ କିଣୁଛୁ, ଓଡିଶାର କୃଷି ଉତ୍ପାଦନକୁ ୟୁଏଇ ବଜାରରେ କାହିଁକି ବିକ୍ରି କରାଯାଇପାରିବ ନାହିଁ? ଓଡିଶାର ଚାଉଳ ମାଙ୍ଗଲୋରରେ ପ୍ରକ୍ରିୟାକରଣ ହୋଇ ଆରବ ଦେଶ ମାନଙ୍କରେ ବିକ୍ରି ହେଉଛି। ଓଡ଼ିଶାରେ ଆମର କୃଷିଜାତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ଆରବ ଦେଶରେ ବିକି ଓଡ଼ିଶାକୁ ବିକାଶ କାହିଁକି ପହଂଚା ଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାର କୃଷିଜାତ ଦ୍ରବ୍ୟକୁ ଦିଲ୍ଲୀ ପହଂଚାଇବା ଯେତିକି କଷ୍ଟସାଧ୍ୟ ସମୁଦ୍ର ରାସ୍ତାରେ ଓଡ଼ିଶାରୁ ବିଶ୍ବର ବିଭିନ୍ନ ଦେଶକୁ ପହଂଚାଇବା ତା ଠାରୁ ଆହୁରି ସହଜ। ଏହି ସୁଯୋଗର ଯୋଜନାବଦ୍ଧ ସଦୁପଯୋଗ ହିଁ ଓଡ଼ିଶାର ଅର୍ଥନୈତିକ ବିକାଶ ଆଣିବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆରବରେ ରହୁଥିବା ଓଡ଼ିଆ ମାନେ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି, ଜଗନ୍ନାଥ ଦେଶର ବିକାଶରେ ବି ଏହି ଓଡିଆ ମାନଙ୍କର ହାତ ଲାଗୁ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top