ଡ଼ଃ ପୁରୁଷୋତ୍ତମ ନାଥ ଥିଲେ ବିଶ୍ଲେଷଣାତ୍ମକ ଅର୍ଥନୀତିରେ ଏକ ମାଇଲଖୁଣ୍ଟ

ଭଦ୍ରକ, ୪ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପରଲୋକଗତ ଅର୍ଥନିତୀଜ୍ଞ ପ୍ରଫେସର ଡ଼ଃ. ପୁରୁଷୋତ୍ତମ ନାଥଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନାଥଙ୍କ ବୟୋଗ ଓଡିଶାର ଅର୍ଥନୀତି ଶିକ୍ଷା କ୍ଷେତ୍ରରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ସ୍ମୃତି ଚାରଣ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି। ସ୍ମୃତିସଭାରେ ପୌରହିତ୍ୟକରି ପ୍ରଫେସର ବଳରାମ ମିଶ୍ର ଡ଼ଃ. ନାଥଙ୍କୁ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ଅବିହିତ କରିବା ସହ ସେ କିପରି ଅର୍ଥନୀତି ଭଳି ଏକ ଜଟିଳ ବିଷୟକୁ ଖୁବ୍ ସରଳଭାବେ ଛାତ୍ରମାନଙ୍କ ପାଖରେ ଉପସ୍ଥାପିତ କରୁଥିଲେ ତାହା ବର୍ଣ୍ଣନା କରିଥିଲେ। ଡ଼ଃ ନାଥଙ୍କ ସ୍ମୃତିଚାରଣ କରି ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ତାଙ୍କୁ ଜଣେ କର୍ମଯୋଗୀ ଭାବରେ ଅବିହିତ କରିଥିଲେ। ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଡ଼ଃ ନାଥ ତାଙ୍କର ନିଆରା ଅଧ୍ୟାପନା ଶୈଳୀ ପାଇଁ ଗୋଟେ ନଜିର୍ ସୃଷ୍ଟି କରିପାରିଥିଲେ ବୋଲି ପ୍ରଫେସର ଅମୂଲ୍ୟ କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ଡ଼ଃ ନାଥ ଥିଲେ ବିଶ୍ଲେଷଣତ୍ମାକ ଅର୍ଥନୀତିରେ ଏକ ମାଇଲଖୁଣ୍ଟ ଏବଂ ତାଙ୍କ ଅକାଳ ବିୟୋଗ ଏହି କ୍ଷେତ୍ରରେ ଏକ ଯୁଗର ଅବସାନ ଘଟାଇଛି ବୋଲି ପ୍ରଫେସର ହରେକୃଷ୍ଣ ନାୟକ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ମଦନମୋହନ ପଣ୍ଡା, ପ୍ରଫେସର ଗୋଲକ ସାହୁ, ପ୍ରଫେସର ବିରେନ୍ଦ୍ର କୁମାର ଦାସ, ପ୍ରଫେସର ଧନେଶ୍ୱର ସାହୁ, ପ୍ରାଧ୍ୟାପକ ଅଜୟ କୁମାର ପାଢୀ, ପ୍ରାଧ୍ୟାପକ ଗଙ୍ଗାଧର ମଲ୍ଲିକ, ଗୟାଧର ପଣ୍ଡା, ଅନିଲ କୁମାର ନାୟକ, ନିରଂଜନ ମହାରଣା ପ୍ରମୁଖ ଡ଼ଃ ନାଥଙ୍କୁ ଶ୍ରଦ୍ଧଞ୍ଜଳୀ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *