ହୋଲିରେ ଗୋଷ୍ଠୀ ସଂଘର୍ଷ ଜଣକୁ ହତ୍ୟା ୧୪ ଆହତ

ଭୁବନେଶ୍ୱର ୨-୩ (ଓଡ଼ିଆ ପୁଅ) ଆଜି ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ପ୍ରେମର ପର୍ବ ରଙ୍ଗର ହୋଲି ଖେଳ ଚାଲିଥିବା ବେଳେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଖବର ପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ହୋଇଥିବା ଗୋଷ୍ଠି ସଂଘର୍ଷ ଯୋଗୁଁ ଜଣକୁ ହତ୍ୟା କରାଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।

ମିଳିଥିବା ଖବରରୁ ଜଣାପଡ଼ିଛିଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଅଞ୍ଚଳରେ ପାଳିତ ହୋଇଛି ହିଂସା ତଥା ରକ୍ତର ହୋଲି। ଗୋଷ୍ଠି ଗଣ୍ଡଗୋଳ ଘଟି ଜଣଙ୍କୁ ମର୍ଡର କରାଯାଇଛି। ନିରାକାରପୁର ଥାନା ଅନ୍ତର୍ଗତ ଖଜୁରୀପଡ଼ା ଏବଂ ବଡ଼ପୋଖରୀଆ, ବୋଡ଼ଙ୍ଗରା ଅଞ୍ଚଳର କିଛି ଯୁବକ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ବୋଡ଼ଙ୍ଗରା ଗ୍ରାମର କିଛି ଯୁବକ ଆସି ସଙ୍ଘବଦ୍ଧ ଭାବରେ ଖଜୁରୀପଡ଼ା ଗ୍ରାମର କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଖଜୁରୀପଡ଼ା ଗ୍ରାମର ଗନ୍ଧର୍ବ ପାତ୍ରଙ୍କ ପୁଅ ସନ୍ତୋଷ ପାତ୍ର ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ରଞ୍ଜନ ବଳବନ୍ତରାୟ ନାମକ ଜଣେ ଯୁବକ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ସନ୍ତୋଷଙ୍କ ମୁଣ୍ଡରେ ଗୁରୁତ୍ୱର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକ ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି।

ଅନ୍ୟପଟେ ବିରମିତ୍ରପୁରରେ ହୋଲି ଖେଳକୁ ନେଇ ଗୋଷ୍ଟି ସଂଘର୍ଷ ହୋଇଛି। ଉତ୍ୟକ୍ତ ଲୋକେ୧୪୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୋଲିସର ଲାଠିଚାଳନା ପରେ ଅବରୋଧ ହଟିଥିଲା। ବିରମିତ୍ରପୁର ହଳଦିଆ ଦଫେଇ ଓ କୋଲ ଦଫେଇ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବାର ଜଣାପଡ଼ିଛି । ଏହି ଘଟଣାରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

କେନ୍ଦୁଝରରେ ଆନନ୍ଦପୁର ଭଣ୍ଡାରିଡିହା-ପଦ୍ମପୁର ଗାଁ ଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଆହତ ହୋଇଥିବା ବେଳେ, ରାମଚନ୍ଦ୍ରପୁର ଥାନା ତରୁଆଁ ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇ ଜଣ ୨ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଘସିପୁରା ଥାନା ଭଣ୍ଡାରିଡ଼ିହା ଗ୍ରାମରେ କମେଣ୍ଟ ମରାକୁ ନେଇ ମଦନପୁର ଓ ଭଣ୍ଡାରିଡିହା ମଧ୍ୟରେ ଗଣ୍ଡୋଗଳ ହେବା ଫଳରେ ୪ ଜଣ ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଓଡ଼ଙ୍ଗ ଗାଁରେ ମଧ୍ୟ ହୋଲି ଖେଳକୁ କେନ୍ଦ୍ରକରି ଦୁର୍ବୃତ୍ତ ଆକ୍ରମଣ କରିଥିଲେ, ଏହି ଆକ୍ରମଣରେ ୨ ଜଣ ଆହତ ହୋଇ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *