ବାହାନଗା/ବାଲେଶ୍ୱର, ୦୬/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ନିୟମ ରହିଥିବା ବେଳେ ବିଭିନ୍ନ ହୋଟେଲ, ଢାବା ମାନଙ୍କରୁ ପ୍ରାୟତଃ ସବୁ ସମୟରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚା ହୋଇ ଆସୁଥିବା ବେଳେ ଏଭଳି ଏକ ଘଟଣା ଆଜି ଦେଖିବାକୁମିଳିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବିଜୟାଞ୍ଜଳୀ ଛକ ଠାରେ ଅବସ୍ଥିତ ରବିପ୍ଲାଜା ହୋଟେଲରେ। ସୂଚନା ଅନୁସାରେ ଏହି ହୋଟେଲ ରେ ଦୀର୍ଘ ଦିନ ଧରି ଶିଶୁ ଶ୍ରମିକ ଖଟୁଥିବାର ଅଭିଯୋଗ ଉଠିଥିଲା। ତେବେ ଅଭିଯୋଗ ପାଇ ଖଇରା ଚାଇଲ୍ଡଲାଇନ ନିର୍ଦ୍ଦେଷକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଷରେ ଟିମ ସଦସ୍ୟ ପଞ୍ଚାନନ ତ୍ରିପାଠୀ ଓ ନିରଞ୍ଜନ ପ୍ରଧାନ ଖନ୍ତାପଡ଼ା ପୋଲିସ ସହାୟତାରେ ଆଜି ମଧ୍ୟାନ୍ନରେ ୨ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲୋ ଉଦ୍ଧାର ଶିଶୁ ଶ୍ରମିକ ହେଲେ ସୋର ଥାନା ଅଧିନ ନୂଆଗାଁ ଅଞ୍ଚଳର କାଳିଆ ସିଂ (୧୩) ଓ ଆଗରପଡ଼ାର ଲକ୍ଷ୍ମଣ ନାଥ(୧୩)। ସେମାନଙ୍କୁ ଖନ୍ତାପଡ଼ା ଥାନା ପୋଲିସ ସହାୟତାରେ ଚାଇଲ୍ଡଲାଇନ ତରଫରୁ ପଚାରା ଉଚୁରା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ତେବେ ବୁଦ୍ଧିଜୀବୀ ମହଲରେ ଶିଶୁ ଶ୍ରମିକଙ୍କ ପାଇଁ ଉଦବେଗ ପ୍ରକାଶ ପାଇଛି।ଚାଇଲ୍ଡଲାଇନ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ରବିପ୍ଲାଜାରୁ ଉଦ୍ଧାର ଲକ୍ଷ୍ମଣ କିଛିଦିନ ପୂର୍ବରୁ ଖଇରା ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ଶିଶୁ ଶ୍ରମିକ ଉଦ୍ଧାର ପରେ ମାମଲା ମଧ୍ୟ ରୁଜୁ ହେଉନାହିଁ। ଯାହା ଫଳରେ ହୋଟେଲ ମାଲିକଙ୍କ ମଧ୍ୟରେ ମନମୂଖି କାର୍ଯ୍ୟକଳାପ ବୃଦ୍ଧି ସହ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଛୋଟ ପିଲା ମାନଙ୍କୁ ମନଇଛା ଖଟାଉଥିବାର ଦେଖାଯାଉଛି। ପ୍ରଶାସନ ତରଫରୁ ଏଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
