ହେକେଟ ରୋଡ ପ୍ରସଙ୍ଗରେ ତାତିଲେ ଜର୍ଜ ବିକଳ୍ପ ରାସ୍ତା ବଦଳରେ ସ୍ଥାୟୀ କରିବାକୁ ଦାବି

ରାଉରକେଲା ୧୦ ଜୁଲାଇ (ଓଡ଼ିଆ ପୁଅ/ଶିବରାମ ପାତ୍ର):ଜଲଦା ‘ଏ’ ବ୍ଲକ ସ୍ଥିତ ବି. ଆର. ଆମ୍ବେଦକର କ୍ଲବ ପ୍ରାଙ୍ଗଣରେ ବେନଦିତ୍ ଲାକ୍ରାଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ପ୍ରାୟ ୧ ମାସ ହେଲା ହେକେଟ ରୋଡ଼ ବନ୍ଦ ରହିବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପରେ ମଧ୍ୟ ଆରଏସପି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରି ଏକ ବାଇପାସ୍ ରାସ୍ତା ଅସ୍ଥାୟୀ ଭାବେ ଖୋଲିଛନ୍ତି। ହେକେଟ ରୋଡ଼କୁ ବନ୍ଦ କରି ଏକ ବିକଳ୍ପ ରାସ୍ତା ଦେବା ପାଇଁ ଆରଏସପି କର୍ତ୍ତୃପକ୍ଷ ବିଚାର କରୁଛନ୍ତି। ଦକ୍ଷିଣ ରାଉରକେଲା, ଲାଠିକଟା ବ୍ଲକର ୭ଟି ପଂଚାୟତ, ଗୁରୁଣ୍ଡିଆର ୩ଟି ପଂଚାୟତର ଲୋକମାନେ ସମୂର୍ଣ୍ଣ ଭାବରେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବିକଳ୍ପ ରାସ୍ତା ନକରି ହେକେଟ ରୋଡ ରାସ୍ତାକୁ ସ୍ଥାୟୀ କରିବା ପାଇଁ ବୈଠକରେ ଉପସ୍ଥିତ ଲୋକ ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଥିଲା। ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କି କହିଲେଯେ, ଆଦିବାସୀ, ମୂଳବାସୀଙ୍କ ଜମିରେ ଯେଉଁ ଆରଏସପି ଗଢି ଉଠିଛି, ବଦଳରେ ବିସ୍ଥାପିତ ମାନଙ୍କୁ ଅବହେଳା କରାଯାଇ ସଦୂର ଜଙ୍ଗଲରେ ଜମି ଦିଆଯାଇଛି ଏବଂ ପୁର୍ନବାସ ଜରିଆରେ ଜଲଦା ଏ, ବି ଓ ସି ବ୍ଲକରେ ଜମି ଘର କରି ରହିବା ପାଇଁ ଦିଆଯାଇଛି। ଯଦି ଆରଏସପି ହେକେଟ ରୋଡ଼ ପ୍ରତି ଧ୍ୟାନ ନଦିଏ ତେବେ ଆଦିବାସୀ ମୂଳବାସୀ ବଂଚାଓ ମଂଚ ଓ ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଂଚ ମିଳିତ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଆୟୋଜିତ ବୈଠକରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ଆଇନଜିବୀ, ଯୁବବର୍ଗ, ସମାଜସେବୀ, ମହିଳା, ଆଦିବାସୀ ଭାଇଭଉଣୀ, ଦଳିତ ଓ ସାଧାରଣ ନାଗରିକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଚ.ଏନ. ଯାଦବ, ଲେଥା ତିର୍କୀ, ଜୁନାସ ଟପ୍ପୋ, କାର୍ତିକ ଭୂମିଜ, ଚୁକା ଓରାମ, ବେନେ ଟପ୍ପୋ, ଗୋପିନାଥ ରଣା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷରେ କିଶୋର ତନ୍ତୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Leave a Reply

Your email address will not be published. Required fields are marked *