ହେକେଟ୍ ରୋଡ଼ରେ ସରିଲା ଉଦ୍ଧାର କାର୍ଯ୍ୟ, ସବୁ ଶବ ଉଦ୍ଧାର

ରାଉରକେଲା ୧୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦୀର୍ଘ ୧୫ ଦିନ ହେଲା ରାଉରକେଲା ସାରନାଛକ- ଦେଓଗାଁ ରାସ୍ତାର ହେକେଟ ରୋଡ଼ ତଳେ ଥିବା ଟନେଲରେ ଫସି ରହିଥବା ୫ ଜଣ ଯୁବକଙ୍କ ଉଦ୍ଧାର ପ୍ରକୀୟା ଶେଷ ହୋଇଛି। ମୋଟ ୫ ଜଣଙ୍କ ଶବ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର ଶବ ଗୁଡ଼ିକ ପଚିସଢି ଯାଇଥିବାରୁ ପରିବାର ଲୋକେ ଶବ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଦିନର ମରାମତି ପରେ ପୁଣିଥରେ ହେକେଟ ରୋଡ଼ ଖୋଲାଯିବା ସମ୍ଭାବନା ପ୍ରକାଶ ପାଇଛି। ପ୍ରକାଶ ଥାଉକି, ସ୍ଥାନୀୟ ଶୀତଳପଡ଼ା ଅଂଚଳର ୫ ଜଣ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଆରଏସପିର ଟନେଲ ମଧ୍ୟ ଦେଇ କାରଖାନାକୁ ପ୍ରବେଶ କରୁଥିବା ସମୟରେ ଟନେଲ ମଧ୍ୟରେ ଫସି ଯାଇ ରହସ୍ୟମୟ ଭାବେ ନିଖୋଜ ହୋଇ ଯାଇଥିଲେ। ଏହାପରେ ଆରଏସପି, ସ୍ଥାନୀୟ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୁଲ୍ୟରେ ଟନେଲ ଖୋଳାଯାଇ ଦିନରାତି ଉଦ୍ଧାର ପ୍ରକ୍ରିୟା ଜାରି ରହିଥିଲା। ଅପରପକ୍ଷରେ ହେକେଟ ରୋଡ଼ ବନ୍ଦ ହେବା କାରଣରୁ ସାରନଗରୀ ସମେତ ୬ଟି ପଂଚାୟତର ଗ୍ରାମାବାସୀ ମାନେ ରାଉରକେଲାର ବିଭିନ୍ନ ସ୍ଥାନକୁ ଯିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜନସାଧାରଣ ମାନେ ତରକେରା ଦେଇ ଯାଇଥିବା ଏକ ବିକଳ୍ପ ରାସ୍ତା ଓ ଏନଏଚ-୧୪୩ ଦେଇ ଯିବା ଆସିବା କରିବା ଦେଖିବାକୁ ମିଳିଥିଲା। ଯାହାକି ଜନସାଧାରଣଙ୍କ ପାଇଁ କଷ୍ଟସାଧ୍ୟ ବେପାର ହୋଇଥିଲା।

Leave a Reply

Your email address will not be published. Required fields are marked *